ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଦାବୀ

0
374

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ସମଗ୍ର ବିଶ୍ୱ ଆଜି କରୋନାର କରାଳ ଛାୟାରେ ଜର୍ଜରିତ। ଏହି ମହାମାରୀ ସାରା ବିଶ୍ୱକୁ ଦୀର୍ଘ ପାଞ୍ଚ ମାସରୁ ଉର୍ଦ୍ଧ୍ବ ସମୟ ଧରି ସମଗ୍ର ମାନବ ସମାଜକୁ ଦୟନୀୟ କରିବା ସହ ବିଶ୍ୱ ଅର୍ଥନୀତିକୁ ମଧ୍ୟ ସମ୍ପୂର୍ଣ ରୂପେ ଉଜାଡି ଦେଇଛି।
ଏହି ସାମ୍ପ୍ରତିକ ପରିସ୍ଥିତିରେ ପ୍ରବାସୀ ଶ୍ରମିକମାନେ ଜିଲ୍ଲାକୁ ଫେରିଥିବାରୁ ବେରୋଜଗାରୀ ଏକ ବଡ ସମସ୍ୟା ରୂପେ ମୁଣ୍ଡ ଟେକିଛି। ସୁରଟ,ମୁମ୍ବାଇ,ଆନ୍ଧ୍ର ପ୍ରଦେଶ ଇତ୍ୟାଦି ଅଞ୍ଚଳରୁ ଆସିଥିବା ଶ୍ରମିକ ମାନଙ୍କ ପାଇଁ କିପରି ଅଧିକରୁ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି କରାଯାଇ ପାରିବ ଏବଂ ତତ୍ ସଙ୍ଗେସଙ୍ଗେ ଲଘୁ ଉଦ୍ୟୋଗ ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ କିପରି ନୂଆ ସମ୍ଭାବନା ସୃଷ୍ଟି କରାଯାଇ ପାରିବ ସେଥିପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବା ଆବଶ୍ୟକତା ରହିଛି। କିନ୍ତୁ ବିଡମ୍ବନାର ବିଷୟ ଗତ ୩୦ ବର୍ଷ ତଳେ ରେଶମ ସହର ବ୍ରହ୍ମପୁରର ପାଟ,ପିତଳ ଗାମୁଛା ଓ କଟନ ଶାଢ଼ୀ,ଆସ୍କା କଟନ ଶାଢ଼ୀ,ପଦ୍ମନାଭପୁରର ବସ୍ତ୍ର , ହିଂଜିଳୀ ଅଞ୍ଚଳର ସୂତା ଲୁଗା କିମ୍ବା ସମ୍ବଲପୁରୀ ପାଟ ଇତ୍ୟାଦି ଏକ ମୁଖ୍ୟ ରୋଜଗାରର ପନ୍ଥା ସାଜିଥିବା ସ୍ଥଳେ ବର୍ତମାନ ଏହା କେବଳ ହସ୍ତତନ୍ତ ମଧ୍ୟରେ ହିଁ ଶିରୋନାମା ପାଲଟି ରହିଯାଇଛି। ବ୍ରହ୍ମପୁର ପାଟ ବିଭିନ୍ନ ପ୍ରୋତ୍ସାହନର ଅଭାବ ତଥା ଅନ୍ୟାନ୍ୟ ପାରିପାର୍ଶ୍ୱିକ ସମସ୍ୟା ଯୋଗୁଁ କୁଶଳୀ କାରିଗରମାନେ ତାଙ୍କ କୌଳିକ ବୃତ୍ତିକୁ ଛାଡି ଅନ୍ୟ ରାଜ୍ୟାଭିମୁଖି ହେଉଛନ୍ତି ।ବିଭିନ୍ନ ରାଜ୍ୟରେ ଶ୍ରମ ଭିତ୍ତିକ କାର୍ଯ୍ୟରେ ନିୟୋଜିତ ଓଡ଼ିଆ ଶ୍ରମିକମାନେ କରୋନା ମହାମାରୀ ଯୋଗୁଁ ଜୀବନଜୀବିକା ହରାଇ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ୪ ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ସୁରତ,ମୁମ୍ବାଇ,ବାଙ୍ଗାଲୋର,ହାଇଦ୍ରାବାଦ ଆଦି ସ୍ଥାନରୁ ନିଜ ଭିଟାମାଟିକୁ ଫେରିଛନ୍ତି।ସେମାନଙ୍କର ଭିତରୁ କୁଶଳୀ ଏବଂ ଅଣ କୁଶଳୀ ଶ୍ରମିକ ୩ ଲକ୍ଷରୁ ଉର୍ଦ୍ଧ୍ଵଙ୍କୁ ନେଇ ଜିଲ୍ଲାରେ ଏକ ବୟନ ଶିଳ୍ପ ପାର୍କ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକ୍ଷମ କରାଗଲେ ଗଞ୍ଜାମ ଜିଲ୍ଲାର ଅର୍ଥନୀତି ସୁଦୃଢ଼ ହେବା ସହ ରୋଜଗାରର ମାଧ୍ୟମ ସୁଯୋଗ ସୃଷ୍ଟି ହୋଇ ପାରିଥାଆନ୍ତା। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ଏକ ବୟନ ଶିଳ୍ପ ପାର୍କ ନିର୍ମାଣ କରିବା ପାଇଁ ଆନ୍ତରିକତା ପ୍ରକାଶ କରି ଗୁରୁତର ସହ ଅନୁଧ୍ୟାନ କରି ପ୍ରତ୍ୟକ୍ଷ ହସ୍ତକ୍ଷେପ କରି କାର୍ଯ୍ୟ କରିବା ଉଚିତ। ବୋଲି ସୁଗମ ପ୍ରତିଷ୍ଠାନ ତରଫରୁ ଦାବୀ କରାଯାଇଛି। ଆଜି ଏନେଇ କିଛି ସମାଜସେବୀ ଏବଂ କାରିଗର ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ସମାଜସେବୀ ତଥା ଅଧିବକ୍ତା ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଶ୍ରୀକାନ୍ତ ପାଢ଼ୀ, ଅରୁଣ ପାଠୀ, ଚିନ୍ତାମଣି ବେହେରା, ପ୍ରଶାନ୍ତ ପାଣିଗ୍ରାହୀ, ଆଲୋକ କୁମାର ନାୟକ, ରବୀନ୍ଦ୍ର ବେହେରା, ରାଜେନ୍ଦ୍ର ଗୌଡ଼ କବିରାଜ ବେହେରା, ପ୍ରକାଶ ବେହେରା, ରମେଶ ବେହେରା, ଭଗବାନ ପଣ୍ଡା, ନାରାୟଣ ସାହୁ, ଚିତ୍ରସେନ ପାଢ଼ୀ ପ୍ରମୂଖ ଏଥିରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here