ଜାତୀୟ ଚିକିତ୍ସା କମିଶନ ବିଲକୁ ବିରୋଧ। ଆଇ ଏମ ଏ ପକ୍ଷରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିବାଦ।

0
703

ବ୍ରହ୍ମପୁର,୩୧/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ଦେଶରେ ଜାତୀୟ ଚିକିତ୍ସା କମିଶନ ଗଠନ ନେଇ କେନ୍ଦ୍ର ସରକାର ଏକ ବିଲ ଆଣିଛନ୍ତି। ଯାହା ଲୋକସଭାରେ ପାରିତ ହୋଇସାରିଥିବା ବେଳେ ଆଗକୁ ରାଜ୍ୟସଭାରେ ଆଗତ ହେବ। ତେବେ ଏହି ବିଲ ଆସିଲେ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ ଏପରିକି ରୋଗୀସେବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ ବୋଲି ଦର୍ଶାଇ ଭାରତୀୟ ଚିକିତ୍ସକ ସଙ୍ଘ ଏହି ବିଲକୁ ବିରୋଧ କରିଛି। ଏହାର ପ୍ରତିବାଦରେ ତଥା ତୁରନ୍ତ ଏହି ବିଲକୁ ପ୍ରତ୍ୟାହାର କରିବାକୁ ଦାବି କରି ଆଜି ପ୍ରତୀକାତ୍ମକ ଭାବେ ଦିନିକିଆ ଡାକ୍ତରଙ୍କ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା। ଯଦିଓ ଏହାର ପ୍ରଭାବ ବ୍ରହ୍ମପୁରରେ ଦେଖିବାକୁ ମିଳିନଥିଲା ତେବେ ଧର୍ମଘଟ ଜାତୀୟସ୍ତରରେ ସଫଳ ହୋଇଥିବା ସଙ୍ଘ ଦାବି କରିଛି। ଏହି ଅବସରରେ ଭାରତୀୟ ଚିକିତ୍ସକ ସଙ୍ଘ ଓ ଏମ୍ କେ ସି ଜି ମେଡିକାଲ କଲେଜ ଛାତ୍ର ସଂସଦର ମିଳିତ ଆନୁକୂଲ୍ୟରେ ପ୍ରତିବାଦ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ମେଡ଼ିକାଲ କଲେଜ ନିକଟରୁ ବାହାରି ମୁଖ୍ୟଫଟକ ନିକଟରେ ପହଞ୍ଚିଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ ପରେ ଜାତୀୟ ଚିକିତ୍ସ କମିଶନ ବିଲର ପ୍ରତିକୃତିକୁ ଦାହ କରିଥିଲେ। ଏହି କାର୍ଯ୍ୟକ୍ରମରେଭାରତୀୟ ଚିକିତ୍ସକ ସଙ୍ଘ ବ୍ରହ୍ମପୁର ଶାଖାର ସଭାପତି ଡାକ୍ତର ସୁରେଶ ଚନ୍ଦ୍ର ମିଶ୍ର ଓ ସମ୍ପାଦକ ଡାକ୍ତର କମଳାକାନ୍ତ ପାଣିଗ୍ରାହୀଙ୍କ ସମେତ ବହୁ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ଥିଲେ। ଏହି ବିଲକୁ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଓ ପ୍ରତିବାଦ ଜାରି ରହିବ ଓ ଆବଶ୍ୟକ ସ୍ଥଳେ ଏହାକୁ ଉଗ୍ର କରାଯିବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।

LEAVE A REPLY

Please enter your comment!
Please enter your name here