ଖଲ୍ଲିକୋଟ ପାରିନୂଆଁ ଗାଁ ରେ କୋଭିଡ୍ ନିୟମ ଉଲ୍ଲଂଘନ : ମା ବାହୁତୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶହ ଶହ ଲୋକଙ୍କ ସମାଗମ

0
378

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀର ଭୟାବହତା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ସଂକ୍ରମଣ ରୋକିବା ପାଇଁ ନୂଆ ନୂଆ ପଦକ୍ଷେପ ନେଉଥିବା ବେଳେ ଅଧିକାଂଶ ଲୋକ ନିୟମକୁ ଖୁଲମ ଖୁଲା ବେଖାତିର୍ କରୁଥିବା ଦେଖିବାକୁ ମିଳିଛି । ସଂକ୍ରମଣ ନ ବ୍ୟାପିବା ପାଇଁ ସଭାସମିତି , ଧାର୍ମିକ କାର୍ଯ୍ୟକ୍ରମ କିମ୍ବା ରାଜନୈତିକ କାର୍ଯ୍ୟକ୍ରମ ଉପରେ କଡ଼ା କଟକଣା ଜାରି ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟ ଗାଁ ପଞ୍ଚାୟତର ପାରିନୂଆଁ ଗାଁ ପଙ୍ଗୀସାହି ନିକଟରେ ଥିବା ମାଆ ବାହୂତୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଥିବା ଦେଖିବାକୁ ମିଳିଛି । ଶହଶହ ଲୋକ ରୁଣ୍ଡ ହୋଇଥିବା ବେଳେ ଦୁଇ ହଜାର ରୁ ଉର୍ଦ୍ଧ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କୌଣସି ବିଶ୍ବସ୍ତ ସୂତ୍ରରୁ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ ପ୍ରଧାନ , ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାସ , ଭେଜିପୁଟ RI ରମେଶ ଚନ୍ଦ୍ର ଜେନା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ପୋଲିସ ଆସିବା ପୂର୍ବରୁ ରୁଣ୍ଡ ହୋଇଥିବା ଲୋକମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଖଲ୍ଲିକୋଟ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ରୋଷେଇ ହୋଇଥିବା ରନ୍ଧା ଖାଦ୍ୟକୁ ପୋତିବା ସହ ରୋଷେଇ ସାମଗ୍ରୀ, ହଣ୍ଡାହାଣ୍ଡି , ଡାକବାଜୀ ଯନ୍ତ୍ର , ମ୍ୟୁଜିକ୍ ସାମାନ ସହ ବହୁ ଜିନିଷପତ୍ର ଜବତ କରିବା ସହ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ମାନଙ୍କୁ ପଚାରା ଉଚରା କରି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଦୁଇ ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅଞ୍ଚଳରେ ହନୁମାନ ମନ୍ଦିର ପ୍ରତିଷ୍ଠା ହେଉଥିବା ଖବର ପାଇ ପୋଲିସ ୧୧ ଜଣଙ୍କୁ ଗିରଫ କରିବା ସହ ଅନ୍ୟାନ୍ୟ ପଦକ୍ଷେପ ନେଇଛି । କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିବା ବେଳେ ସରପଞ୍ଚ ନିଜେ ଏହି ଗ୍ରାମର ତଥାପି କାହା ନିର୍ଦ୍ଦେଶରେ ନିୟମର ଉଲଂଘନ କରାଗଲା ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here