ଗଞ୍ଜାମ ଜିଲ୍ଲା ବାସୀଙ୍କୁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ନିମନ୍ତେ ଜିଲ୍ଲାପାଳଙ୍କ ଅନୁରୋଧ

0
955

ଛତ୍ରପୁର(ନ୍ୟୁଜଏକ୍ସଟ୍ରା)ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଭିଡିଓ ବାର୍ତ୍ତାରେ ସତର୍କତା ଅବଲମ୍ବନ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।
ଗଞ୍ଜାମ ଜିଲ୍ଲାରେ ଗତ ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ସଟ୍ ଡାଉନ୍ ପରେ ଜିଲ୍ଲା ପ୍ରଶାସନ ତିନି ଦିନ ଅର୍ଥାତ୍ ୧୪ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ନିମନ୍ତେ କୋହଳ କରିଛନ୍ତି । ଜିଲ୍ଲାପାଳ, ଜିଲ୍ଲାବାସୀଙ୍କୁ ଅନୁରୋଧ କ୍ରମେ ଜଣାଇଅଛନ୍ତି ଯେ, ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ନିମନ୍ତେ ଘରୁ ବାହାରକୁ ଗଲା ବେଳେ ମାସ୍କ ପିନ୍ଧିବା ଓ ସମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି । ମାସ୍କ ପିନ୍ଧିବା ବେଳେ ମାସ୍କଟି ଯେପରି ନାକ ଏବଂ ପାଟିକୁ ସମ୍ପୂର୍ଣ୍ଣ ରୂପେ ଘୋଡାଇ ରଖିବ ସେଥିସକାଶେ ନଜର ଦେବାପାଇଁ କହିଛନ୍ତି । ଯେଉଁ ମାନଙ୍କ ଠାରେ ଗ୍ଲୋବସ୍ ଅଛି ସେମାନେ ଗ୍ଲୋବସ୍ ର ବ୍ୟବହାର କରନ୍ତୁ ବୋଲି ମଧ୍ୟ ଜିଲ୍ଲାପାଳ ଜଣାଇଛନ୍ତି । ସାମାଜିକ ଦୂରତା ବଜାୟ ରଖିବା ବେଳେ ନିହାତି ଭାବରେ ୨ ମିଟର ବ୍ୟବଧାନ ରଖିବାକୁ ଅନୁରୋଧ କରିଛନ୍ତି । ଜନ ଗହଳି ଠାରୁ ନିଜକୁ ଦୂରେଇ ରଖନ୍ତୁ ନଚେତ୍ ଏହା ଆମ ପାଇଁ ବିପଦ । ବୟସ୍କ, ମଧୁମେହ ଆକ୍ରାନ୍ତ ବ୍ୟକ୍ତି, ରକ୍ତଚାପ ଜନୀତ ଚିକିତ୍ସିତ ହେଉଥିବା ବ୍ୟକ୍ତି, କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବିଶେଷ ଙ୍କୁ ନିଜ ଘର ଛାଡି କୌଣସିମତେ ବାହାରକୁ ଯିବାପାଇଁ ବାରଣ କରିଛନ୍ତି ।
୧୪ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଜନ ସାଧାରଣଙ୍କ ଯିବା ଆସିବା କୋହଳ କରାଯାଇ ଦୃଷ୍ଟି ରଖାଯାଇଛି । ଯଦି ସାମାଜିକ ଦୂରତା ଅବଲମ୍ବନ, ମାସ୍କ ପରିଧାନ ଇତ୍ୟାଦି କୋଭିଡ୍ ନିୟମ ପାଳନ ନ ହେଲେ ପୁନର୍ବାର ଲକ୍ ଡାଉନ୍ କରିବାପାଇଁ ଜିଲ୍ଲା ପ୍ରଶାସନ ବାଧ୍ୟ ହେବ ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସତର୍କ କରାଇଛନ୍ତି ।
ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ସାଧାରଣ ଜନତାଙ୍କ ନିମନ୍ତେ ବାରଣ କରାଯାଇଛି । ଗ୍ରାମାଞ୍ଚଳ ଲୋକେ ସହରାଞ୍ଚଳକୁ ଯାଆନ୍ତୁ ନାହିଁ । ବ୍ରହ୍ମପୁର ସହରକୁ ସିଲ୍ କରିଦିଆଯାଇଛି । ଜନ ସାଧାରଣ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ସତର୍କତା ଅବଲମ୍ବନ କଲେ କରୋନା ଠାରୁ ବିଜୟ ହାସଲ କରିହେବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here