ମା ନାରାୟଣୀ ଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ?ପରିଚାଳନା କମିଟିର ଭୂମିକା କୁ ନେଇ ସନ୍ଦେହ

0
583

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ନାରାୟଣୀ ମନ୍ଦିର ରେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ମା ନାରାୟଣୀଙ୍କ ମନ୍ଦିର ପରିସର ମଧ୍ୟରେ ଥିବା ହୁଣ୍ଡି ରେ ଗତକାଲି ସନ୍ଧ୍ୟାରେ ଜଣେ ଭକ୍ତ ଦାନ ଅର୍ଥ ପକାଇବା ପାଇଁ ଯାଇଥିବା ବେଳେ ହୁଣ୍ଡି ର କବାଟ ଖୋଲା ଥିବା ଦେଖି ପୂଜାରୀ ଙ୍କୁ କହିଥିଲେ । କିନ୍ତୁ ମନ୍ଦିର ରେ ଥିବା ଅନ୍ୟ କୌଣସି ବ୍ୟକ୍ତି ଏ ସମ୍ପର୍କରେ ଜାଣିପାରି ନ ଥିଲେ । ରାତିରେ ମନ୍ଦିର କବାଟ ବନ୍ଦ କରି ସମସ୍ତେ ଚାଲି ଯାଇଥିଲେ । ଆଜି ସକାଳେ କୌଣସି ସୂତ୍ରରୁ ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ସଦଳେବଳେ ନାରାୟଣୀ ମନ୍ଦିର ରେ ପହଞ୍ଚି ନିଜ ଆଡୁ ତଦନ୍ତ ଆରମ୍ଭ କରିଥିଲେ । ଫାଣ୍ଡି ଅଧିକାରୀ ଙ୍କ କହିବା କଥା ହୁଣ୍ଡି ର କବାଟ ଖୋଲାଥିଲା । ଭଙ୍ଗାଯିବାଭଳି ସେମିତି କିଛି ଲାଗୁନଥିଲା । ହୁଣ୍ଡି ଭିତରେ ଦୁଇ ଚାରି ଟା ଶହେ ଟଙ୍କିଆ ଓ ପଚାଶ ଟଙ୍କିଆ ନୋଟ କୁ ଛାଡି ଦେଲେ ଆଉସବୁ ଦଶ ଓ କୋଡିଏ ଟଙ୍କିଆ ନୋଟ ଭରପୁର ହୋଇ ରହିଥିଲା । ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଙ୍କୁ ପୋଲିସ ପଚାରିବାରୁ ସେମାନେ କେହି ଦୁର୍ବୁତ୍ତ ହୁଣ୍ଡି ଖୋଲି ୫୦୦ ଓ ୧୦୦ ଟଙ୍କିଆ ନୋଟ ଗୁଡିକ ନେଇ ଯାଇଥିବା ଅଭିଯୋଗ କରିଥିଲେ । ତେବେ ଫାଣ୍ଡି ଅଧିକାରୀ ଙ୍କ କହିବା କଥା ଯଦି ବାହାରୁ କେହି ଚୋରି କରିବା ପାଇଁ ଆସିଥାନ୍ତା ତାହେଲେ କେବଳ ୫୦୦ ଓ ୧୦୦ ଟଙ୍କିଆ ନୋଟ ନ ନେଇ ସେ ସବୁ ଟଙ୍କା ଲୁଟ କରି ନେଇଯାଇଥାନ୍ତା । ତାପରେ ଚୋରି ହେବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମନ୍ଦିର ପରିଚାଳନା କମିଟିର କୌଣସି ସଦସ୍ୟଙ୍କ ର ଦେଖା ନାହିଁ କି ସେମାନେ ପୋଲିସ ନିକଟରେ ଅଭିଯୋଗ ପତ୍ର ଦାଖଲ କରି ନାହାନ୍ତି । ଏହା ପରିଚାଳନା କମିଟିର ଭୂମିକା କୁ ସନ୍ଦେହ ଘେରକୁ ଟାଣିଆଣିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।ମନ୍ଦିର ରେ ସିସିଟିଭି ଲାଗିଥିଲେ ମଧ୍ୟ ଚୋରି ସମୟରେ ଏହା ବନ୍ଦ ଥିବା ପୋଲିସ ତଦନ୍ତ ରେ ଜାଣିବାକୁ ପାଇଛି । ଏମିତି ପୂର୍ବରୁ ତିନି ଥର ହୁଣ୍ଡି ରୁ ଚୋରି ହେଲାଣି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏପରିକି ଥରେ ହୁଣ୍ଡି କୁ କେହି ଦୁର୍ବୁତ୍ତ ଟେକି ନେଇ ପଳେଇ ଯାଇଥିଲା । ପରିଚାଳନା କମିଟିର ବୈଠକ ଦୀର୍ଘ ଦିନ ହେଲା ବସିନାହଁ କି କର୍ମକର୍ତ୍ତା ପରିବର୍ତ୍ତନ ହୋଇପାରୁନାହିଁ । ମନ୍ଦିର ରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଥିଲେ ମଧ୍ୟ ତାହା ମନ୍ଦିର ର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ରେ ତାହା ଖର୍ଚ୍ଚ ହେଉନଥିବା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟଙ୍କା କୁଆଡେ ଯାଉଛି ତାହାର ଏକ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here