ଜ୍ୱାଇଁ ଉପରେ ଶ୍ୱଶୁରର ଆକ୍ରମଣ ମାମଲା, ୮ ଦିନ ପରେ ମଧ୍ୟ ପୋଲିସକୁ ଚକମା ଦେବାରେ ଶ୍ୱଶୁର ସଫଳ।

0
658

ଦିଗପହଣ୍ଡି,୨୬ା୭( ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକରେ ହୋଇଥିବା ଜ୍ୱାଇଁଙ୍କୁ ଛୁରା ମାରି ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ ଶ୍ୱଶୁର ଫେରାର୍ ଥିବା ବେଳେ ଇତି ଘଟଣାକୁ ୮ଦିନ ବିତିସରିଛି। ଅଭିଯୁକ୍ତ ଶ୍ୱଶୁର ଉମାକାନ୍ତ ଗୌଡଙ୍କୁ ଜେରା କରିବା ତ ଦୂରର କଥା ଏଯାବତ୍ ଠାବ କରିବାରେ ଦିଗପହଣ୍ଡି ଥାନା ପୋଲିସ ବିଫଳ ହୋଇଛି। ସେପଟେ ଗୁରୁତର ଆହତ ଜ୍ୱାଇଁ ସଞ୍ଜୟ ଗୌଡ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଜୀବନ ସହତ ସଂଗ୍ରାମ କରୁଥିବା ଜଣାପଡିଛି । ସଞ୍ଜୟଙ୍କ ସ୍ଥିତି ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କ ପତ୍ନୀ ଜୟନ୍ତୀ ଗୌଡ ଏବଂ ସଞ୍ଜୟଙ୍କ ପରିବାର ଭୟ ଓ ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି। ଅଭିଯୁକ୍ତ ଜଣକ ଫେରାର ରହିଥିବାରୁ ସଞ୍ଜୟଙ୍କ ପରିବାର ନିଜକୁ ଅସୁରକ୍ଷିତ ମଣୁଛନ୍ତି। ପୋଲିସ ଏହି ମାମଲାରେ ସେତେଟା ଗୁରୂତ୍ୱ ଦେଉନଥିବା ଅଭିଯୋଗ କରି ବ୍ରହ୍ମପୁର ପୋଲିସ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ ଜଣାଇବେ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁବାସିନୀ ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ ଯେ ଦିଗପହଣ୍ଡି ଥାନା କଲ୍ୟାଣପୁର ଗ୍ରାମର ଉମାକାନ୍ତ ଗୌଡଙ୍କ ଝିଅ ଜୟନ୍ତୀ ଏବଂ ମହେଶୁ ଗୌଡଙ୍କ ପୁଅ ସଞ୍ଜୟ ପରସ୍ପରକୁ ଭଲ ପାଇ ଆସୁଥିଲେ । ଗତ ଜୁନ୍ ୩୦ରେ କୁଳ ରିତିନିତିରେ କାଶୀବିଶ୍ୱନାଥ ଶୈବ ପୀଠରେ ପରସ୍ପରକୁ ବିବାହ କରି ଦିଗପହଣ୍ଡିରେ ରହି ଆସୁଥିଲେ । ଉକ୍ତ ବିବାହକୁ ଉମାକାନ୍ତଙ୍କ ସହମତି ନଥିବା ବେଳେ ସର୍ବଦା ଆକ୍ରୋଷ ମନୋଭାବ ପୋଷଣ କରିଆସୁଥିଲେ ବୋଲି ସଞ୍ଜୟ କହିଛନ୍ତି । ସଞ୍ଜୟ ପୁଞ୍ଜିକୟାଁ ଛକର ଏକ ଲୁଗା ଦୋକାନରେ କାମ କରୁଥିଲେ। ଘଟଣା ଦିନ ଦୋକାନ କାମ ସାରି ଘରକୁ ଫେରିବା ବାଟରେ ସଞ୍ଜୟଙ୍କ ଶ୍ୱଶୁର ଉମାକାନ୍ତ ହାତରେ ଏକ ଛୁରୀ ଧରି ସଞ୍ଜୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଛୁରାମାଡରେ ସଞ୍ଜୟଙ୍କ ଶରୀର ସାରା କ୍ଷତବିକ୍ଷତ ହୋଇଯାଇଥିବା ବେଳେ ପେଟରୁ ଅନ୍ତବୁଜୁଳା ବାହାରିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସର୍ଜରୀ ବିଭାଗରେ ସେ ଭର୍ତ୍ତି ହୋଇ ସଙ୍କଟାପନ୍ନ ସ୍ଥିତିରେ ଚିକିତ୍ସିତ ହେଉଛନ୍ତି । ଏନେଇ ଦିଗପହଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here