ବଣଭୋଜି ଓ ଜୁଆଖେଳ ଚାଲିଥିବା ବେଳେ ସାନଖେମୁଣ୍ଡି ବ୍ଳକ ପ୍ରଶାସନର ଚଢ଼ାଉ : ୮ ଗିରଫ

0
426

ସନଖେମୁଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ପୋଡାମାରୀ ପଞ୍ଚାୟତ ଅନ୍ତର୍ଗତ ତାଳପୁର ଗ୍ରାମ ଗୋକର୍ଣ୍ଣମରୀପଲ୍ଲୀ – ପଦ୍ମପୁର ମଧ୍ୟରେ ଥିବା ମଣିପୁର ତୋଟାରେ ଏକ ବଡ ଧରଣର ବଣଭୋଜି ସହ ଜୁଆଖେଳ ଚାଲିଥିବା ସମୟରେ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା । ପ୍ରଶାସନର ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୮ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଭୋଜି ନିମନ୍ତେ ବ୍ୟବହାର କରାଯାଇଥିବା ହଣ୍ଡାହାଣ୍ଡି ସାମଗ୍ରୀ ସହ ନଗଦ ୮ ହଜାର ପଞ୍ଚଚାଳିଶି ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ପାଟପୁର ଥାନା ଅଧୀନସ୍ଥ ଗୋକର୍ଣ୍ଣମରୀପଲ୍ଲୀ ଏବଂ ଆଖପାଖ ଗ୍ରାମର ବହୁ ଲୋକ ରବିବାର ରାଜ୍ଯରେ ଚାଲିଥିବା ଲକଡାଉନ କଟକଣା ନିୟମକୁ ଉଲ୍ଲଂଘନ କରି ମଣିପୁର ତୋଟା ନିକଟରେ ବିରାଟ ଭୋଜି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଥିସହ ଜୁଆଖେଳ ଚାଲିଥିବା ସମୟରେ ଖବରପାଇ ସ୍ଥାନୀୟ ତହସିଲଦାର ଅମିତ ନାୟକ , ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଏବଂ ପାଟପୁର ଥାନା ଅଧିକାରୀ ଅଜୟ ବାରିକଙ୍କ ନେତୃତ୍ବରେ ପୋଲିସ କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ାଉ କରି ୮ ଜଣ ଯୁବକଙ୍କୁ କାବୁ କରିଥିବା ବେଳେ ଅନ୍ୟତ୍ର ଯୁବକ ମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ହୋଇ ପଳାଇଥିବା ଜଣାପଡିଛି । ପାଟପୁର ପୋଲିସ ରନ୍ଧାଖାଦ୍ୟ ନିମନ୍ତେ ବ୍ୟବହୃତ ହଣ୍ଡାହାଣ୍ଡି ସହିତ ଜୁଆଡି ମାନଙ୍କ ଠାରୁ ଟଙ୍କା ଜବତ କରିଛି । ଏନେଇ ଥାନା କେସ ନଂ ୧୦୩/୨୦୨୦ ଅନୁଯାୟୀ ଅଭିଯୁକ୍ତ ମାନଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ କରାଯାଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here