ଯୁବତୀଙ୍କ ମୃତଦେହ ନଦୀପଠାରୁ ଉଦ୍ଧାର; ହତ୍ୟା ସନ୍ଦେହ

0
370

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅର୍ନ୍ତଗତ ଦେଓଖାଳି ଗ୍ରାମରେ ରବିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଉକ୍ତ ଗ୍ରାମଦେଇ ଯାଇଥିବା କଣ୍ଟେଇଯୋଡ଼ି ନଦୀପଠାରୁ ଦେଓଖାଳି ଗ୍ରାମର ଲଡୁ ନାୟକଙ୍କ ଝିଅ ପ୍ରମୋଦିନୀ ନାୟକ ଜଣେ ଯୁବତୀଙ୍କ ମୃତଦେହ ସ୍ଥାନୀୟ ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଅନ୍ତର୍ଗତ ଦେଓଖାଳି ଗ୍ରାମର ଲଡୁ ନାୟକଙ୍କ ସ୍ତ୍ରୀ ଓ ଝିଅ ପ୍ରମୋଦିନୀ ମିଶି ସକାଳେ ରାଶି ଫସଲ ଦେଖିବା ପାଇଁ ନିକଟସ୍ଥ ଚାଷ ଜମିକୁ ଯାଇଥିଲେ। କାମ ସରିବା ପରେ ଝିଅ ମାଆଙ୍କୁ ଜଣାଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ମାଆ ମଧ୍ୟ ନିଜ କାମ ସାରି ଘରକୁ ଯାଇଥିଲେ । ତେବେ ଝିଅ ଘରେ ପହଞ୍ଚି ନ ଥିବା ଦେଖି ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ। ଘଟଣାପରେ ସକାଳ ୧୦ ଘଣ୍ଟା ସମୟରେ ଗ୍ରାମର କେତେକ ବ୍ୟକ୍ତି ନଦୀକୁ ଗାଧୋଇବାକୁ ଯିବା ସମୟରେ ପ୍ରମୋଦିନୀଙ୍କ ମୃତଦେହ ପଡିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଘରକୁ ନେଇ ଆସିଥିଲେ। ଖବରପାଇ ପରେ ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ , ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ ପହଞ୍ଚି ମୃତଦେହ ଜବତ କରିବାସହ ଅପମୃତ୍ୟୁ ମାମଲା ରୁଜୁ କରି ଥାନା କେସ ନଂ ୨/୨୦ ଅନୁସାରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇ ଦେଇଥିବା ସୂଚନା ମିଳିଛି। ତେବେ ଯୁବତୀଙ୍କ ନାକ , ମୁହଁ ଓ ଶରୀରର ବିଭିନ୍ନ ଭାଗରେ କ୍ଷତ ଚିହ୍ନ ଥିବାରୁ ଯୁବତୀ ଜଣକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ପର୍ଦ୍ଦାଫାଶ ହୋଇପାରିବ ବୋଲି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here