ସଂଘବଦ୍ଧ ହତ୍ଯା ମାମଲାରେ ଚାରି ଗିରଫ

0
168

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଦୋଳବ ଗ୍ରାମର ରବିନ୍ଦ୍ର ସେଠୀଙ୍କୁ ସଂଘବଦ୍ଧ ହତ୍ୟା ମାମଲାରେ ନୂଆଗାଁ ଥାନା ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର ଦିଗପହଣ୍ଡି କୋର୍ଟ ଚାଲାଣ କରିଛନ୍ତି । ସେଠାରେ ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ଗିରଫ ଅଭିଯୁକ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ମାନେ ହେଲେ ଭ୍ରମରପୁର ଗ୍ରାମର ଏନ୍. ସନ୍ତୋଷ, ଜେ. କାଳିଆ, ଜେ. ଶ୍ରୀରାଙ୍ଗୁଲୁ ଏବଂ ପି. ଆପ୍ପାରାଓ । ଗତ ବୁଧବାର ଦିନ ଏନ୍. ସନ୍ତୋଷ ଦୋଳବ କେନାଲ ନିକଟରେ ଛେଳି ଚରାଉଥିବା ବେଳେ କିଛି ଛେଳି ରବିନ୍ଦ୍ରଙ୍କ ପରିବା ବାଡରେ ପଶି ଫସଲ ନଷ୍ଟ କରିଥିଲେ । ଏହା ଜାଣିବା ପରେ ରବିନ୍ଦ୍ର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ସନ୍ତୋଷଙ୍କ ଅନ୍ୟ ସହଯୋଗୀ ମାନେ ପହଞ୍ଚି ରବିନ୍ଦ୍ରଙ୍କୁ ସଂଘବଦ୍ଧ ଭାବେ ଠେଙ୍ଗାରେ ଆକ୍ରମଣ କରିଥିଲେ । ରବିନ୍ଦ୍ରଙ୍କ ମୁଣ୍ଡଫାଟି ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ପ୍ରଥମେ ବମକୋଇ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଶୁକ୍ରବାର ପୂର୍ବାହ୍ନରେ ରବିନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାରେ ମୃତ ରବିନ୍ଦ୍ରଙ୍କ ଭାଇ ସିମାଞ୍ଚଳ ସେଠୀ ଲିଖିତ ଏତଲା ଦେବାପରେ ପୋଲିସ ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here