ଲକ ଡାଉନ ସମୟରେ କୋଦଳା ପୁଲିସର ଶାଳୀନତା

0
464

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା): ଲକ ଡାଉନ ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ପୁଲିସର ଜନ ସଚେତନତା ଏବଂ ଜନତାଙ୍କ ପ୍ରତି ଶାଳୀନତା ଲୋକଙ୍କୁ ପ୍ରଭାବିତ କରିଛି l କରୋନା ସଂକ୍ରମଣରୁ ଲୋକଙ୍କୁ ଦୁରେଇ ରଖିବାର ପ୍ରତ୍ୟେକ୍ଷ ଦାଇତ୍ୱ ପୁଲିସ ବାହିନୀ ଉପରେ ନ୍ୟସ୍ତ ଥାଏ l ତେଣୁ ଲୋକଙ୍କ ହିତପାଇଁ ଏମାନେ ଦିନ ରାତି ଅହରହ ପରିଶ୍ରମ କରିବାକୁ ଶ୍ରେୟ ମଣନ୍ତି l କିଛି ଅମାନିଆ ଲୋକଙ୍କ ବେପରୁଆ ମନୋଭାବ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀ କଠୋର ହେଲେ ମଧ୍ଯ ଏମାନଙ୍କ ପ୍ରକୃତ ଉଦେଶ୍ୟ ହେଉଛି ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା l ସେହି ଦୃଷ୍ଟିରୁ କୋଦଳା ପୁଲିସ ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରି ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରିବା ଦେଖାଯାଉଛି l ଅତ୍ୟାବଶ୍ୟକୀୟ ଜିନିଷ ପାଇଁ ବଜାରକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର କରି ଲକ ଡାଉନର ଆବଶ୍ୟକତା ବୁଝାଉଛନ୍ତି l ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ଆବଶ୍ୟକ ପଡିଲେ ବ୍ରହ୍ମପୁରରୁ ଔଷଧ ମଗାଇବା ପାଇଁ ସାତୋଟି ଔଷଧ ଦୋକାନକୁ ସ୍ୱୀକୃତି ପ୍ରଦାନ କରିଛି l ଦିନକୁଦିନ ତାପମାତ୍ରା ବୃଦ୍ଧି ଯୋଗୁଁ ଅସହ୍ୟ ଗରମରେ ଡ୍ୟୁଟି କରୁଥିବା କୋଦଳା ପୁଲିସ କର୍ମୀମାନେ ନିଜ ପାଇଁ ରଖିଥିବା ମୃଦୁ ପାନୀୟକୁ ଶୁକ୍ରବାର ଦିନ ତୁଷାର୍ତ୍ତ ଜନତାକୁ ବଣ୍ଟନ କରିବା ଦେଖାଦେଇଥିଲା l କୋଦଳା ପୁଲିସର ଏହି ଉଦାରତାକୁ ସାଧାରଣରେ ଭୁରିଭୁରି ପ୍ରଶଂସା କରାଯାଇଛି l

LEAVE A REPLY

Please enter your comment!
Please enter your name here