କୋଦଳା ଓ ବେଗୁନିଆପଡ଼ାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ।

0
610

ବେଗୁନିଆପଡ଼ା (ନ୍ୟୁଜ୍ ଏକ୍ସଟ୍ରା ବ୍ୟୁରୋ) (21/07/19) : ବର୍ଷା ଦିନ ଆସିଲେ ପରିବେଶ ପୂର୍ତ୍ତୀଗନ୍ଧମୟ ହେବା ସହ ଲୋକ ନାକେଦମ୍ ହେଉଛନ୍ତି । ନା ନିଷ୍କାସନ ହେଉଛି ପାଣି ନା ଅଛି ଡ୍ରେନେଜ୍ ବ୍ୟବସ୍ଥା । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି କୋଦଳା ଓ ବେଗୁନିଆପଡ଼ା ସମେତ ସମସ୍ତ ଗ୍ରାମରେ । କୋଦଳା ବଜାର ଦେଇ ଯାଇଥିବା 30ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ବଡ଼ଡ୍ରେନ୍ ବର୍ତ୍ତମାନ ଚୋକ୍ ହୋଇଯାଇଛି। ପୂର୍ତ୍ତବିଭାଗ ପକ୍ଷରୁ ଦୀର୍ଘ ଦିନ ପୂର୍ବେ ନିର୍ମାଣ କରାଯାଇଥିବା ରାସ୍ତାର ପାର୍ଶ୍ଵରେ ଏହି ଡ୍ରେନ୍ ନିର୍ମାଣ କରାଯାଇଥିବା ବେଳେ ୧୦୦ ମିଟରରୁ ଉର୍ଦ୍ଧ୍ବ ଲମ୍ବର ଏହି ଡ୍ରେନ୍ କିଛି ବାଟ ଓସାରିଆ ଥିବା ବେଳେ ତା ପରେ ଅଣଓସାରିଆ ହୋଇଯାଇଛି । ଫଳରେ ଏହି ଡ୍ରେନରେ ପାଣି ଆଦୌ ନିଷ୍କାସନ ହୋଇପାରୁନାହିଁ । ଅପରପକ୍ଷେ ଅଳିଆ ଆବର୍ଜନା ଏହି ଡ୍ରେନରେ ପଡି ପରିବେଶକୁ ନଷ୍ଟ କରୁଛି । ବର୍ଷବର୍ଷ ଧରି ଏହା ସଫା ନହେବା ଯୋଗୁଁ ଏହା ଲୋକଙ୍କୁ ନାକେଦମ୍ କରୁଛି । କୋଦଳା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ୱପ୍ନାରାଣୀ ପାଢୀଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ ପ୍ରକୃତରେ ଡ୍ରେନ୍ ଚୋକ୍ ହୋଇଛି କାରଣ ଏହାର ପାଣି ନିଷ୍କାସନ ବ୍ୟବସ୍ଥା ଠିକ୍ ସେ ହୋଇନାହିଁ । ଏହା ଉପରେ ସେ ଅଭିଯୋଗ ପାଇଛନ୍ତି । କିନ୍ତୁ ପୂର୍ତ୍ତବିଭାଗ ପକ୍ଷରୁ ତାଙ୍କୁ ଲିଖିତ ଭାବରେ ମରାମତି କରିବା ପାଇଁ ଦିଆଯିବା ପରେ ସେ ଏହାର ମରାମତି ପାଇଁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ କରିବେ । ଅପର ପକ୍ଷରେ ଏହି ଡ୍ରେନରେ ପାଣି ଜମି ରହି ପଚି ମଶା ସ୍ରୁଷ୍ଟି ହେବା ସହ ଦୁର୍ଗନ୍ଧ ଜାତ ହେଉଥିବା ଯୋଗୁଁ ଏହାର ତୁରନ୍ତ ନିଷ୍କାସନ ସାଙ୍ଗକୁ ଡ୍ରେନ୍ ପୁନଃନିର୍ମାଣ ପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି । ସେପଟେ ସୁମଣ୍ଡଳ ଠାରୁ ଅଙ୍ଗାରଗାଁ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ରାସ୍ତାର ସାଙ୍କୁଡା ଠାରେ ରାସ୍ତା ପାର୍ଶ୍ଵରେ ଗଭୀର ଡ୍ରେନ୍ ନଥିବା ଯୋଗୁଁ ପାଣି ରାସ୍ତାରେ ଜମି ରହିବା ସହ ଗାଁ ମଧ୍ୟରେ ପ୍ରବେଶ କରୁଛି । ଏହି ପଞ୍ଚାୟତର ଲଚ୍ଛିପୁର ଗ୍ରାମରେ ବର୍ଷା ଦିନେ ଅବସ୍ଥା ବେହାଲ୍ ହୋଇଯାଉଛି । ଆଗରୁ ଏହି ରାସ୍ତା ପାର୍ଶ୍ଵରେ ଡ୍ରେନ୍ ଥିବା ବେଳେ ରାସ୍ତା ନିର୍ମାଣ ଯୋଗୁଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ଡ୍ରେନକୁ ପୋତି ଦେଇଛି। କେବଳ ରାସ୍ତା ଉପରେ ବର୍ଷା ପାଣି ଯିବାପାଇଁ ନାମକୁ ମାତ୍ର ଏକ ସ୍ଲୋପ୍ କରିଛି । ଚିନ୍ତାର ବିଷୟ ଏହାଯେ ଏହି ଗ୍ରାମର ପାଖରେ ଥିବା ପାହାଡର ପାଣି ସହ ଉପର ମୁଣ୍ଡର ପାଣି ଆସି ଗାଁ ଭିତରେ ଜମି ରହିବା ସହ ରାସ୍ତା ପାର୍ଶ୍ଵରେ ଥିବା ଘର ଭିତରେ ପାଣି ପଶୁଛି । ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକାଶ କରିଛି ଯେ ରାସ୍ତା ଉପର କାମ ଆମର ଆଉ ଯାହା ଡ୍ରେନ୍ କାମ ପଞ୍ଚାୟତର । ବେଗୁନିଆପଡ଼ା ବି ଡି ଓ ଅରୁଣ କୁମାର ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ ପଞ୍ଚାୟତ ଉନ୍ନୟନ୍ନ ପ୍ଲାନରେ ଏହି ଡ୍ରେନ୍ ନିର୍ମାଣ ପାଇଁ ପ୍ରସ୍ତାବ ଆସିଲେ ତାହା ନିର୍ମାଣ କରାଯିବ । ଡ୍ରେନ୍ ନଥିବା ଯୋଗୁଁ ଲଚ୍ଛିପୁର ଗ୍ରାମରେ ରାସ୍ତା ପାର୍ଶ୍ଵ ଲୋକ ଓ ମୁଖ୍ୟ ସାହି ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେପଟେ ଅଙ୍ଗାର ଗାଁରେ ରାସ୍ତା ତ ହେଇନାହିଁ ଡ୍ରେନ୍ କଥା ପଚାରେ କିଏ ? ଏପଟେ ବେଗୁନିଆପଡ଼ା ବଜାର୍ ମୁଖ୍ୟ ରାସ୍ତାରେ ଡ୍ରେନ୍ ନଥିବା ଯୋଗୁଁ ବର୍ଷା ପାଣି ରାସ୍ତା ପାର୍ଶ୍ଵରେ ଜମି ରହୁଛି । ଵର୍ଷେ ପୂର୍ବରୁ ରାସ୍ତା ପାର୍ଶ୍ଵ ଲୋକ ନିଜେ ଆଗ୍ରହ ନେଇ ଏକ ପାର୍ଶ୍ଵ ଡ୍ରେନ୍ କରି ନିକଟତା ଏକ ନାଳକୁ ପାଣି ଛାଡିଥିଲେ ବି ତାହା ସୁରକ୍ଷିତ ନଥିବା ଯୋଗୁଁ ସ୍ଥାୟୀ ଡ୍ରେନ୍ ନିର୍ମାଣ ପାଇଁ ଦାବୀ ହୋଇଛି । ଏହା ବ୍ୟତୀତ ବେଗୁନିଆପଡ଼ା ବ୍ଲକର ସମସ୍ତ ଗ୍ରାମରେ ଡ୍ରେନ୍ ବ୍ୟବସ୍ଥା ମଧ୍ୟ ଅବ୍ୟବସ୍ଥାରେ ରହିଛି । ବ୍ଲକର ସାତନଳ ଗ୍ରାମର ହାଇସ୍କୁଲ ଠାରୁ ମଠ ପର୍ଯ୍ୟନ୍ତ ଥିବା ୧୦୦ ମିଟର ଡ୍ରେନେଜ ବ୍ୟବସ୍ଥା ଠିକ୍ନ ଥିବାରୁ ପାଣି ରାସ୍ତା ମଝିରେ ଜମି ରହି ଘର ଭିତରେ ପ୍ରବେଶ କରୁଛି । ମୋଟ ଉପରେ ପାଖାପାଖି ୭୦ ପ୍ରତିଶତ ଗ୍ରାମରେ ଡ୍ରେନ୍ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖାଦେଇଥିବାରୁ ପଞ୍ଚାୟତ ତରଫରୁ ଏହାର ସମାଧାନ ପାଇଁ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here