ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ:ନିୟମକୁ କଡାକଡ଼ି ପାଳନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ…

0
585

ଛତ୍ରପୁର: 21/07/19(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଡିଆରଡିଏ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ବହୁ ଉଦ୍ୟମ କରିବା ସହ ବିଭିନ୍ନ ଆଇନ ପ୍ରଣୟନ କରାଯାଇଥିବା ବେଳେ ନୋ ହେଲମେଟ୍ ନୋ ପେଟ୍ରୋଲ ଆଇନକୁ କଡ଼ାକଡ଼ି ପାଳନ କରିବା ସହ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ୍ ମାଲିକମାନେ ଏହି ନିୟମକୁ ପାଳନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପେଟ୍ରୋଲ ପମ୍ପ୍ ଗୁଡ଼ିକରେ ନୋ ହେଲିମେଟ୍ ନୋ ପେଟ୍ରୋଲର ହୋର୍ଡ଼ିଂ ଓ ଏଠାରେ ସିସିଟିଭି କ୍ୟାମେରା ଲଗାଯାଇଥିବା ଦର୍ଶାଇବାକୁ କୁହାଯାଇଛି । ପେଟ୍ରୋଲ ପମ୍ପ୍ ଗୁଡ଼ିକରେ ଲାଗି ଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ମାଲିକ ମାନେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜରିଆରେ ଗଞ୍ଜାମ ଆରଟିଓଙ୍କୁ ଦେବା ପାଇଁ କୁହାଯାଇଛି । ଏହି ଫୁଟେଜ ଜରିଆରେ ଯେଉଁମାନେ ବିନା ହେଲମେଟରେ ପେଟ୍ରୋଲ ପକାଉଛନ୍ତି ସେମାନଙ୍କ ଉପରେ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଉପଖଣ୍ଡସ୍ତରୀୟ ବୈଠକରେ ଉପଜିଲ୍ଲାପାଳ, ତହସିଲଦାର, ଆରଟିଓ ଏବଂ ପୋଲିସ ମିଳିତ ଭାବେ ଏହାକୁ ତଦାରଖ କରିବେ । ଜାତୀୟ ରାଜପଥ ଉପରେ ଜବରଦଖଲ କରିଥିବା ବିଭିନ୍ନ ଦୋକାନ, ଢାବା ଆଦି ହଟାଯିବ । ଏହି ଜବରଦଖଲ ଦ୍ୱାରା ବିଭିନ୍ନ ପ୍ରକାର ଦୁର୍ଘଟଣାରେ ଲୋକଙ୍କ ଧନଜୀବନ ନଷ୍ଟ ହେଉଛି । ଏଣୁ ଜିଲ୍ଲାପାଳ ଜବରଦଖଲ ହଟାଇବା ନିମନ୍ତେ ଉପଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ରାଜପଥରେ କୌଣସି ଗାଡ଼ି ପାର୍କିଂ କରିପାରିବେ ନାହିଁ କି ଅଟକାଇ ରଖି ପାରିବେ ନାହିଁ । ଏଥି ନିମନ୍ତେ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ସୋମବାର ନୋ ହେଲମେଟ ନୋ ପେଟ୍ରୋଲ ଉପରେ କଡ଼ାକଡ଼ି ଯାଂଚ କରାଯିବ । ସ୍କୁଲ ଓ କଲେଜ ପିଲାମାନେ ବିନା ହେଲମେଟ ଓ ବିନା ଲାଇସେନ୍ସରେ କଲେଜ କ୍ୟାମ୍ପସକୁ ପଶିପାରିବେ ନାହିଁ । ଏଥି ନିମନ୍ତେ କଲେଜ ପରିସରରେ ସିସିଟିଭି କ୍ୟାମେରା ଲଗାଯିବା ସହ ଦୁଇଜଣ ସ୍ୱତନ୍ତ୍ର ଭାବେ କର୍ମଚାରୀ ରହିବେ । ଯଦି କୌଣସି କଲେଜ ଛାତ୍ରଛାତ୍ରୀ ଏହାକୁ ଅବମାନନା କରିବେ ସେମାନଙ୍କୁ ନୋଟିସ ଜାରୀ କରି ସେମାନଙ୍କ ଅଭିଭାବକମାନଙ୍କୁ ଏହି ବିଷୟରେ ଅବଗତ କରାଇବାକୁ କୁହାଯାଇଛି । ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବା ନିମନ୍ତେ ଜିଲ୍ଲାପାଳ ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୧୬ ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ଛକ ଗୁଡିକରେ ହାଇ ପ୍ରୋଫାଇଲ କ୍ୟାମେରା ଲଗାଯିବ । ପ୍ରତି ଯାନବାହନର ଗତିବିଧିକୁ ଯେପରି ନିରୀକ୍ଷଣ କରିହେବ । ଜାତୀୟ ରାଜପଥରେ ବିନା ହେଲମେଟରେ ଗାଡିଚାଳନା ଠାରୁ ଆରମ୍ଭ କରି ବେପାରୁଆ ଗାଡିଚାଳନା ପ୍ରତି ଅନୁଧ୍ୟାନ କରିହେବ । ଫଳରେ ସଂପୃକ୍ତ ଗାଡି ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ବିଏମସି କମିଶନର ଚକ୍ରବର୍ତି ସିଂ ରାଠୋର, ପ୍ରବେସନାରୀ ଆଇଏଏସ୍ ଅଫିସର କିର୍ତୀ ଭାସନ ଭି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାଏ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ , ଗଞ୍ଜାମ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ, ଏମଭିଆଇ ସମୀର ଦଳେଇ, ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୁପକାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ଡ଼ିପିସି ବିନିତା ସେନାପତିଙ୍କ ସମେତ ଟ୍ରକ୍, ବସ୍ ଏସୋସିଏସନର କର୍ମକର୍ତ୍ତା ଏବଂ ବିଭାଗୀୟ ଅଧିକାରୀ ଓ କମିଟିର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here