ଗାଙ୍ଗପୁର ଏବଂ ବେଲଗୁଣ୍ଠI ଅଞ୍ଚଳରେ ପୋଲିସ୍ ତରଫରୁ କରୋନା ସଚେତନତା

0
508

ବେଲଗୁଣ୍ଠI(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନାର କବଳରେ ସାରା ବିଶ୍ଵ ଆଜି କବଳିତ ହୋଇ ଏଥିରୁ ମୁକ୍ତି ପାଇବା ପାଇଁ ପୃଥିବୀର 188 ଦେଶ ସଂଗ୍ରାମ ଜାରି ରଖିଛନ୍ତି l ଏହି ସଂଗ୍ରାମରେ ଆମେରିକା, ଇଟାଲୀ , ଚୀନ ଭଳି ବିକଶିତ ରାଷ୍ଟ୍ରମାନେ ଧୈର୍ଯ୍ୟହରା ହୋଇପଡିଥିବା ବେଳେ ଏମାନଙ୍କ ଠାରୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବହୁ ପଛରେ ଥିବା ଭାରତ ଭଳି ଗ୍ରାମ ବହୁଳ ବିକାଶଶୀଳ ରାଷ୍ଟ୍ର ନିଜର ସମସ୍ତ ଶକ୍ତି ଲଗାଇ କରୋନାର ସାମ୍ନା କରୁଛି l କରୋନାକୁ ରୋକିବା ପାଇଁ ଭାରତର କେନ୍ଦ୍ର ସରକାରଙ୍କ ସମେତ ସମସ୍ତ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିବାରେ ଲାଗିଛନ୍ତି l କେନ୍ଦ୍ର ସରକାର 24 ତାରିଖ ମଧ୍ୟ ରାତିରୁ ସାରା ଦେଶରେ ଲକ୍ ଡ଼ାଉନ୍ ଘୋଷଣା କରିଥିଲାବେଳେ ଓଡ଼ିଶା ସରକାର 23 ତାରିଖରୁ ଲକ୍ ଡ଼ାଉନ୍ ଘୋଷଣା କରିଛନ୍ତି l କିନ୍ତୁ ଲକ୍ ଡ଼ାଉନ୍ ଘୋଷଣା ହେବାର 3/4 ଦିନ ପରେ ମଧ୍ୟ ଗାଙ୍ଗପୁର ଅଞ୍ଚଳରେ ଜନ ସାଧାରଣ ସଚେତନ ଅଭାବରୁ ହେଉ ବା ଖାମଖିଆଲି ଭାବରେ ହେଉ ଏହି ଲକ୍ ଡ଼ାଉନ୍ କୁ ଅବମାନନା କରୁଛନ୍ତି l ଏହା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି l ସେହିପରି ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ତଥା ଆଳୁ, ଡାଲି, ଖାଇବା ତେଲ, ପନିପରିବା ଆଦିର ଦରଦାମ୍ ହୂ ହୂ ହୋଇ ବଢ଼ି ଚାଲିଛି l କିଛି ଅସାଧୁ ବ୍ୟବସାୟୀ ନିଜ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖି କଳାବଜାରୀ କରି ଜନ ସାଧାରଣକୁ ଠକିବାରେ ଲାଗିଛନ୍ତି l ଏଥିରେ ବେଶୀ ପ୍ରଭାବିତ ହୋଇଛନ୍ତି ଅଞ୍ଚଳର ଖଟିଖିଆ ଦିନ ମଜୁରିଆମାନେ l ଲକ୍ ଡ଼ାଉନ୍ ଯୋଗୁଁ ସେମାନଙ୍କର ଦୈନିକ ଆୟ ବନ୍ଦ ହୋଇଯାଇଥିବା ବେଳେ ଖାଇବା ସାମଗ୍ରୀର ଦରବୃଦ୍ଧି ସେମାନଙ୍କ ଚିନ୍ତା ବଢ଼େଇ ଦେଇଛି l ଏସବୁ ବେଆଇନ କାର୍ଯ୍ୟର ତଦାରଖ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମୀଞ୍ଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନକ୍ରମେ ଗାଙ୍ଗପୁର ପୋଲିସ୍ ତିନୋଟି ଟିମ୍ ରେ ବିଭକ୍ତ ହୋଇ ଗାଙ୍ଗପୁର ଥାନା ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି l ଗୋଟିଏ ଟିମ୍ ଏସ୍. ଆଇ ଅଜିତ କୁମାର ପରିଡାଙ୍କ ନେତୃତ୍ଵରେ ଗାଙ୍ଗପୁର ମୁଖ୍ୟ ରାସ୍ତାରେ ଗାଡ଼ି ମଟର ଯାଞ୍ଚ କରି ଅନାବଶ୍ୟକସ୍ଥଳେ ବୁଲୁଥିବା ଲୋକଙ୍କୁ ସଚେତନ ଏବଂ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ତାଗିଦ୍ କରୁଥିବା ବେଳେ ଅନ୍ୟ ଦୁଇଟି ଟିମ୍ ଯଥା କ୍ରମେ ପ୍ରୋବେସନ୍ ଡି.ଏସ୍. ପି ସଞ୍ଜୟ କୁମାର ମହାପାତ୍ର ଏବଂ ଥାନା ଅଧିକାରୀ ଧୀରେସ୍ କୁମାର ଦାସଙ୍କ ନେତୃତ୍ଵରେ ପ୍ରତ୍ୟେକ ଗ୍ରାମର ଗଳିକନ୍ଦିରେ ବୁଲି ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସଚେତନ କରୁଛନ୍ତି l ନିଜ ପରିବାରକୁ ଛାଡି ତଥା ନିଜ ଜୀବନକୁ ପାଣି ଛଡାଇ ଜନତାଙ୍କ ସେବାରେ ଲାଗିଥିବା ପୋଲିସ୍ ବିଭିନ୍ନ ଗ୍ରାମରେ ଲୋକଙ୍କୁ ସରକାରଙ୍କ ନିର୍ଦ୍ଦେଶକୁ ମାନିବା ପାଇଁ ନିବେଦନ କରିଥିବା ଦେଖାଯାଇଛି l ଏହା ମଧ୍ୟରେ ଗାଙ୍ଗପୁର ପୋଲିସ୍ କିଛି ଅମାନିଆ ଗାଡ଼ି ଚାଳକଙ୍କ ଠାରୁ 2500 ଟଙ୍କାର ଜୋରିମନା ଆଦାୟ କରିଛି l ଥାନା ଅଧିକାରୀଙ୍କ ସୂଚନା କ୍ରମେ ତିନିଦିନ ଧରି ଲୋକଙ୍କୁ ସଚେତନ କରିବା ସ୍ଥଳେ ବି ଯଦି ଲୋକେ ଲକ୍ ଡ଼ାଉନ୍ କୁ ଅବମାନନା କରନ୍ତି ତେବେ ଆଗାମୀ ଦିନରେ ପୋଲିସ୍ ନିଜର କାର୍ଯ୍ୟକ୍ରମକୁ କଠୋର କରି ଗାଡ଼ି ଜବତ ଏବଂ ଉଲ୍ଲଂଘନକାରୀଙ୍କୁ ଗିରଫ କରିବା ଭଳି ପଦକ୍ଷେପ ଗ୍ରହଣ କରିବ l ପୋଲିସ୍ ବ୍ୟତିତ ଗ୍ରାମାଞ୍ଚଳରେ ଆଶା କର୍ମୀ ଏବଂ ଅଙ୍ଗନଓ୍ଵାଡ଼ି କର୍ମୀମାନେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି l ପ୍ରତି ରାଜସ୍ଵ ନିରୀକ୍ଷକଙ୍କ ଅଧୀନରେ ଥିବା ଆଶା ଏବଂ ଅଙ୍ଗନଓ୍ଵାଡ଼ି କର୍ମୀମାନେ ବିଦେଶ ଫେରନ୍ତାମାନଙ୍କର ନାମ ପଞ୍ଜିକରଣ କରି ରାଜସ୍ଵ ନିରୀକ୍ଷକକୁ ପ୍ରଦାନ କରିବା ସହ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ 1 ଦିନ ପାଇଁ ହୋମ କ୍ୱାରେଣ୍ଟାଇନ୍ ରହିବା ପାଇଁ ବୁଝାଉଛନ୍ତି l ଏସବୁ ବିଷୟରେ ପୋଲିସ୍ ତରଫରୁ ଡାକବାଜି ଯନ୍ତ୍ର ଏବଂ ଡେଙ୍ଗୁରା ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି l ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ପ୍ରତି ବିଦେଶ ଫେରନ୍ତାଙ୍କ ଘର ଆଗରେ ପୋଷ୍ଟର ଲଗାଯାଇ ସେମାନଙ୍କୁ ସଚେତନ କରାଯାଉଛି l ଏହି କାର୍ଯ୍ୟକ୍ରମଗୁଡ଼ିକରେ ସ୍ଥାନୀୟ ଜନ ପ୍ରତିନିଧି ,ସ୍ଵେଚ୍ଛାସେବୀ ସଂଗଠନ ଏବଂ ଗଣ ମାଧ୍ୟମ ପ୍ରତିନିଧିମାନେ ମଧ୍ୟ ସହଯୋଗ କରୁଛନ୍ତି l

LEAVE A REPLY

Please enter your comment!
Please enter your name here