ମାର୍ଚ୍ଚ ତିନିରୁ +୨ ପରୀକ୍ଷା : ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ୭୧୭୧0 ପରୀକ୍ଷାର୍ଥୀ

0
536

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟର ଦ୍ଵିତୀୟ ବୃହତ୍ତମ ମହତ୍ତ୍ୱପୂର୍ଣ୍ଣ +୨ ପରୀକ୍ଷା ଆଗାମୀ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖରେ ସମ୍ପନ୍ନ ହେବ l ଅନ୍ୟୂନ କୋଡ଼ିଏଟି ସିଟି°ରେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ସ୍ରୋତର ସବୁ ବିଷୟର ପରୀକ୍ଷା କରାଯିବା ନିମନ୍ତେ ଡିସେମ୍ବର ଶେଷ ସପ୍ତାହରୁ ପରୀକ୍ଷା ସୂଚୀ ପ୍ରକାଶ ପାଇସାରିଛି l +୨ ପରୀକ୍ଷାର ପ୍ରତ୍ୟେକ ସିଟି° ପୂର୍ବାହ୍ଣ ୧0ଟାରୁ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏ ସମୟରେ ଶେଷ ହେବ l ମାର୍ଚ୍ଚ ୩ ତାରିଖ ପ୍ରଥମ ଦିନ +୨ ବିଜ୍ଞାନ ପରୀକ୍ଷାର୍ଥୀଙ୍କ ଆଧୁନିକ ଭାରତୀୟ ଭାଷା-ଓଡ଼ିଆ ପରୀକ୍ଷା ହେବାକୁ ଯାଉଥିବା ବେଳେ ମାର୍ଚ୍ଚ ଚାରି ତାରିଖ ଦିନ +୨ କଳା ଓ ବାଣିଜ୍ୟ ପରୀକ୍ଷାର୍ଥୀମାନେ ଆଧୁନିକ ଭାରତୀୟ ଭାଷା-ଓଡ଼ିଆ ବିଷୟରେ ପରୀକ୍ଷା ଦେବେ l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର +୨ ପରୀକ୍ଷାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ, ନିରପେକ୍ଷ ଓ କପିମୁକ୍ତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ଏବଂ ସମସ୍ତ ‘ପରୀକ୍ଷା ପରିଚାଳନା ହବ’ ସୁପରଭାଇଜର ଓ ପରୀକ୍ଷା କେନ୍ଦ୍ର ତତ୍ତ୍ବାବଧାରକମାନଙ୍କୁ ଏ ସଂକ୍ରାନ୍ତରେ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡକ୍ଟର କୁଳମଣି ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି l
ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ ମୋଟ ପଇଁଚାଳିଶଟି ‘ପରୀକ୍ଷା ପରିଚାଳନା ହବ’ ପ୍ରତିଷ୍ଠା କରାଯାଇଥିବା ବେଳେ ସର୍ବମୋଟ ୧୯୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି l ଇତି ମଧ୍ୟରେ ଉପର୍ଯ୍ଯୁକ୍ତ ସମସ୍ତ ‘ପରୀକ୍ଷା ପରିଚାଳନା ହବ’ରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଞ୍ଚି ସାରିଛି ଏବଂ ଚବିଶ ଘଣ୍ଟା ସିସିଟିଭି ସର୍ଭିଲେନ୍ସରେ ଥିବା ‘ହବ’ମାନଙ୍କରେ ସଶସ୍ତ୍ର ସୁରକ୍ଷା ବଳ ମୁତୟନ କରାଯାଇଥିବା ଡ. ଓଝା ପ୍ରକାଶ କରିଛନ୍ତି l
ପରୀକ୍ଷା ଦିନମାନଙ୍କରେ କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଅତି କମରେ ଦୁଇ ଘଣ୍ଟା ପୂର୍ବରୁ ‘ହବ’ରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପ୍ରେରଣ କରାଯିବ ଏବଂ ପ୍ରତ୍ୟେକ କେନ୍ଦ୍ରକୁ ‘ହବ’ରୁ ଜଣେ ଜଣେ ଅବଜର୍ଭରଙ୍କୁ ପଠାଯିବ l ପରୀକ୍ଷା କେନ୍ଦ୍ରର ୨00 ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ମୋବାଇଲ ଫୋନ ଓ ସମସ୍ତ ପ୍ରକାର ଇଲେକ୍ଟ୍ରୋନିକ୍ସ ଗାଡ଼ଜେଟ୍ସ ବ୍ୟବହାର ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି l ଦକ୍ଷିଣାଞ୍ଚଳର ସମସ୍ତ ୧୯୮ ପରୀକ୍ଷା କେନ୍ଦ୍ରରେ ଇତିମଧ୍ୟରେ ସିସିଟିଭି ସଂଯୋଗ ହୋଇସାରିଥିବା ମହାବିଦ୍ୟାଳୟ ଅଧ୍ୟକ୍ଷମାନେ +୨ ଶିକ୍ଷା ପରିଷଦକୁ ସୂଚିତ କରିଥିବା ଉପସଚିବ ଡ. ଓଝାଙ୍କୁ ପଚାରିବାରେ ଜଣାପଡ଼ିଛି l
ଚଳିତ ବର୍ଷ ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ସର୍ବମୋଟ ୭୧୭୧0 ପରୀକ୍ଷାର୍ଥୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଛନ୍ତି l କଳା ସ୍ରୋତରେ 45144, ବିଜ୍ଞାନ ସ୍ରୋତରେ 19625, ବାଣିଜ୍ୟ ସ୍ରୋତରେ 4614, ଧନ୍ଦାମୂଳକ ଶିକ୍ଷାରେ 792 ଓ ପତ୍ର ଵିନିମୟ ପାଠ୍ୟକ୍ରମରେ 1535 ପରୀକ୍ଷାର୍ଥୀ +୨ ପରୀକ୍ଷାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି l
ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୧୬ଟି ‘ପରୀକ୍ଷା ପରିଚାଳନା ହବ’ ଓ ୭୨ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ ଚଳିତ ବର୍ଷ କଳା ସ୍ରୋତରେ 18090, ବିଜ୍ଞାନ ସ୍ରୋତରେ 10333, ବାଣିଜ୍ୟ ସ୍ରୋତରେ 2121, ଧନ୍ଦାମୂଳକ ଶିକ୍ଷାରେ 227 ଓ ପତ୍ର ବିନିମୟ ପାଠ୍ୟକ୍ରରେ 691ଛାତ୍ରଛାତ୍ରୀ +୨ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି l ଗଜପତି ଜିଲ୍ଲାରେ ଚାରିଟି ‘ପରୀକ୍ଷା ପରିଚାଳନା ହବ’ ଓ ୧୫ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ କଳା ସ୍ରୋତରେ 3636, ବିଜ୍ଞାନ ସ୍ରୋତରେ 1027, ବାଣିଜ୍ୟ ସ୍ରୋତରେ 64, ଧନ୍ଦାମୂଳକ ଶିକ୍ଷାରେ 111 ଓ ପତ୍ର ବିନିମୟ ପାଠ୍ୟକ୍ରମରେ 112 ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ଏହି ସୂତ୍ରରୁ ପ୍ରକାଶ l
ସେହିପରି କୋରାପୁଟ ଜିଲ୍ଲାରେ ୬ଟି ‘ପରୀକ୍ଷା ପରିଚାଳନା ହବ’ ଓ ୨୬ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ କଳା ସ୍ରୋତରେ 5496, ବିଜ୍ଞାନ ସ୍ରୋତରେ 2964, ବାଣିଜ୍ୟ ସ୍ରୋତରେ 770, ଧନ୍ଦାମୂଳକ ଶିକ୍ଷାରେ 169 ଓ ପତ୍ର ବିନିମୟ ପାଠ୍ୟକ୍ରମରେ 112 ପରୀକ୍ଷାର୍ଥୀ +୨ ପରୀକ୍ଷା ଦେବେ l ମାଲକାନଗିରି ଜିଲ୍ଲାରେ ୩ଟି ‘ପରୀକ୍ଷା ପରିଚାଳନା ହବ’ ଓ ୧୫ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ କଳା ସ୍ରୋତରେ 2358, ବିଜ୍ଞାନ ସ୍ରୋତରେ 1049, ବାଣିଜ୍ୟ ସ୍ରୋତରେ 171, ଧନ୍ଦାମୂଳକ ଶିକ୍ଷାରେ କେହି ନାହାନ୍ତି ଓ ପତ୍ର ବିନିମୟ ପାଠ୍ୟକ୍ରମରେ 56 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରେ ୩ଟି ‘ପରୀକ୍ଷା ପରିଚାଳନା ହବ’ ଓ ୨୧ଟି ପରୀକ୍ଷା କେନ୍ଦ୍ର ଥିବା ବେଳେ କଳା ସ୍ରୋତରେ 4192, ବିଜ୍ଞାନ ସ୍ରୋତରେ 1480, ବାଣିଜ୍ୟ ସ୍ରୋତରେ 592, ଧନ୍ଦାମୂଳକ ଶିକ୍ଷାରେ 17 ଓ ପତ୍ର ବିନିମୟ ପାଠ୍ୟକ୍ରମରେ 71 ଜଣ ପରୀକ୍ଷାର୍ଥୀ ରହିଛନ୍ତି l ରାୟଗଡ଼ା ଜିଲ୍ଲାରେ ୫ଟି ‘ପରୀକ୍ଷା ପରିଚାଳନା ହବ’ ଓ ୧୯ଟି ପରୀକ୍ଷା କେନ୍ଦ୍ର କରା ଯାଇଥିବା ବେଳେ କଳା ସ୍ରୋତରେ 3609, ବିଜ୍ଞାନ ସ୍ରୋତରେ 1956, ବାଣିଜ୍ୟ ସ୍ରୋତରେ 664, ଧନ୍ଦାମୂଳକ ଶିକ୍ଷାରେ 75 ଓ ପତ୍ର ବିନିମୟ ପାଠ୍ୟକ୍ରମରେ 172 ପରୀକ୍ଷାର୍ଥୀଙ୍କ ନାମ ପଞ୍ଜୀକୃତ ହୋଇଛି l
ଅନୁରୂପ ଭାବରେ ବୌଦ୍ଧ ଜିଲ୍ଲାରେ ୩ଟି ‘ପରୀକ୍ଷା ପରିଚାଳନା ହବ’ ଓ ୧0ଟି ପରୀକ୍ଷା କେନ୍ଦ୍ର ଖୋଲା ଯାଇଥିବା ବେଳେ କଳା ସ୍ରୋତରେ 2416, ବିଜ୍ଞାନ ସ୍ରୋତରେ 156, ବାଣିଜ୍ୟ ସ୍ରୋତରେ 07, ଧନ୍ଦାମୂଳକ ଶିକ୍ଷାରେ 68 ଓ ପତ୍ର ବିନିମୟ ପାଠ୍ୟକ୍ରମରେ 207 ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l କନ୍ଧମାଳ ଜିଲ୍ଲାରେ ୫ଟି ‘ପରୀକ୍ଷା ପରିଚାଳନା ହବ’ ଓ ୨0ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ କଳା ସ୍ରୋତରେ 5347, ବିଜ୍ଞାନ ସ୍ରୋତରେ 660, ବାଣିଜ୍ୟ ସ୍ରୋତରେ 225, ଧନ୍ଦାମୂଳକ ଶିକ୍ଷାରେ 125 ଓ ପତ୍ର ବିନିମୟ ପାଠ୍ୟକ୍ରମରେ 114 ପରୀକ୍ଷାର୍ଥୀ +୨ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଥିବା ଜଣାପଡ଼ିଛି l ଚଳିତ ବର୍ଷର +୨ ପରୀକ୍ଷାକୁ ପୂରାପୂରି କପିମୁକ୍ତ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଡି.ଏଲ.ସି. ସ୍କ୍ୱାଡ଼, ଉପସଚିବଙ୍କ ତତ୍ତ୍ୱାବଧାନରେ ଜୋନାଲ ସ୍ତରୀୟ ସ୍କ୍ୱାଡ଼ ଓ କେନ୍ଦ୍ରୀୟ ସ୍କ୍ୱାଡ଼ ଆଦି ତ୍ରିସ୍ତରୀୟ ସ୍କ୍ୱାଡ଼ ବ୍ୟବସ୍ଥା ହୋଇଛି l ଏତଦ୍ଭିନ୍ନ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଜଣେ ପ୍ରାଶାସନିକ ଅଧିକାରୀ ଓ ‘ହବ’ରୁ ଯାଇଥିବା ଅବଜର୍ଭର ପୂରା ତିନି ଘଣ୍ଟା ପରୀକ୍ଷା ବ୍ୟବସ୍ଥାର ନିରୀକ୍ଷଣ କରିବେ ବୋଲି ଉପସଚିବ ଡ. ଓଝା ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here