ସାବଧାନ ! ମାର୍ଚ୍ଚ ପହିଲାରୁ ନିସ୍ତାର ନାହିଁ

0
540

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ପହିଲାରେ ଡେଡ୍ ଲାଇନ୍ ଶେଷ ହେବା ପରେ ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ଦୁର୍ଘଟଣା ହାର କମାଇବାକୁ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯିବ । ନୂଆ ନିୟମ ଅନୁଯାୟୀ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅଧିକାଂଶ ଲୋକ କାଗଜପତ୍ର ଠିକ୍ କରାଇ ସାରିଲେ । ଆଉ ଆରଟିଓ ଅଫିସ୍ ରେ ଭିଡ ହେଉନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।ସେପ୍ଟେମ୍ବର ୧ ତାରିଖରେ କେନ୍ଦ୍ର ସରକାର ନୂତନ ମୋଟର ଯାନ ଆଇନ୍ ଲାଗୁ କରିବା ପରେ ସାଧାରଣରେ ଅସନ୍ତୋଷ ଦେଖାଦେବାରୁ ୩ ମାସ ଲେଖାଏଁ ୨ ଥର ପାଇଁ ନିୟମକୁ କୋହଳ କରାଯାଇଥିଲା । ଏହି କୋହଳର ସମୟସମୀା ଆସନ୍ତା ମାର୍ଚ୍ଚ ୧ ତାରିଖରେ ଶେଷ ହେବାକୁ ଯାଉଛି । ତେଣୁ ମାର୍ଚ୍ଚ ପହିଲାରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ୍ ଚେକିଂ ଆରମ୍ଭ ହୋଇଯିବ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଚାଳକଙ୍କକ୍ନୂଆ ନିୟମ ଅନୁଯାୟୀ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡିବ । ଏହାସହ ଜେଲ ଏବଂ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାର ମଧ୍ୟ ବ୍ୟବସ୍ଥା ରହିଛି । ନୂଆ ନିୟମ ଅନୁଯାୟୀ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବାକୁ ହେବ । ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୩ଶହ ଓ ତୃତୀୟ ଥର ଧରାପଡ଼ିଲେ ୫ ଶହ ଓ ଚତୁର୍ଥ ଥର ନିୟମ ଭାଙ୍ଗିଲେ ୧୫ ଶହ ଟଙ୍କା ଗଣିବାକୁ ପଡିବ । ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦେଶକୁ ଅବଜ୍ଞା କଲେ ୫ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଦେବେ ଉଲ୍ଲଂଘନକାରୀ । ଦ୍ରୁତଗତିରେ ଗାଡି ଚାଳନା ପାଇଁ ୪ ଶହରୁ ୨ ହଜାର ଟଙ୍କା , ମୋବାଇଲରେ କଥା ହୋଇ ଗାଡ଼ି ଚଲାଉଥିଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରାଯିବ କାରର ସିଟ୍ ବେଲଟ ବାନ୍ଧିନଥିଲେ ହଜାରେ ଟଙ୍କା, ବିନା ସେଫଟି ବେଲଟରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କ କାରରେ ନେଉଥିଲେ ୧ ହଜାର ଟଙ୍କା ଗଣିବାକୁ ପଡ଼ିବ । ସେହିଭଳି ଗୋଟିଏ ବାଇକରେ ୨ରୁ ଅଧିକ ବ୍ୟକ୍ତି ଯାଉଥିଲେ ୧ ହଜାର ଟଙ୍କା , ଗାଡ଼ି ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ ମଧ୍ୟ ୧ହଜାର ଟଙ୍କା ଜରିମାନା ,ରାସ୍ତାରେ ଗଲା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ିକୁ ବାଟ ନ ଛାଡ଼ିଲେ ୧୦ ହଜାର ଟଙ୍କାର ଜରିମାନା କରାଯିବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

LEAVE A REPLY

Please enter your comment!
Please enter your name here