ଭଗବତୀ ଗ୍ରାମଦେବତୀ ପୀତାମ୍ବରୀ ଦେବୀ ପ୍ରାସାଦ ପ୍ରତିଷ୍ଠା ଉତ୍ସବ

0
572

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଅବିଭକ୍ତ ଖେମୁଣ୍ଡି ରାଜ୍ୟ ତଥା ଏବେକାର ଦିଗପହଣ୍ଡି ବ୍ଳକ ଅଧିନସ୍ଥ ବିଜେପଦ୍ମନାଭପୁର ଶାସନ (ଲାଡିଗାଁ)ରେ ଶନିବାର ଠାରୁ ଭଗବତୀ ଗ୍ରାମଦେବତୀ ପୀତାମ୍ବରୀ ଦେବୀ ପ୍ରାସାଦ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି । ଶନିବାର ଅଙ୍କୁରାରୋପଣ ହେବା ପରେ ରବିବାର ଜଳଯାତ୍ରୀ, ଦୀକ୍ଷା ଗ୍ରହଣ, ବନଯୋଗ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୋମବାର ପ୍ରତିଷ୍ଠା ଆରମ୍ଭ, ବ୍ରାହ୍ମଣ ବରଣ, ଯଜ୍ଞ ଶାଳା ସଂସ୍କାର, ପାର୍ବତ୍ୟାଗ୍ନି ସଂସ୍କାର, ରତ୍ନମୁଦ୍ରା, ମଙ୍ଗଳବାର ମହାତ୍ନାନ, ଜୀବନ୍ୟାସ, ନାମ ଯଜ୍ଞ, ଚଣ୍ଡୀ ପାଠ ଆଦି ହେବା ପରେ ମଙ୍ଗଳବାର ପାଶ୍ୱର୍ଦ୍ୱାର, ତ୍ରିଶୂଳ ସ୍ଥାପନ, ଦେବତା ପ୍ରବେଶ, ଯଜମାନ ପ୍ରତିଷ୍ଠା, ମହାଧ୍ୱଜ ଭ୍ରମଣ ହେବା ପରେ ପ୍ରସାଦ ସେବନ ହୋଇ ପୂର୍ଣ୍ଣାହୁତି ହେବ ବୋଲି ଜାଣିବାକୁ ମିଳିଛି । ମୁଖ୍ୟ ପଣ୍ଡିତ ଭାବେ ଅଶୋକ କୁମାର ପାଢୀ ଯୋଗଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଯଜ୍ଞ ପରିଚାଳନା କମିଟିର ସଭାପତି କୁରେଶୁ ଦାସ, ସମ୍ପାଦକ ସୁବାଷ ଚନ୍ଦ୍ର ଦାସ, ସହସମ୍ପାଦକ ବିପିନ ବିହାରୀ ଦାସ, ଗଗନ ବିହାରୀ ଦାସ, କୃପାସିନ୍ଧୁ ଦାସ, ସନ୍ତୋଷ ଦାସ, ଅଶୋକ କୁମାର ଦାସ, କାଳିଆକାହ୍ନୁ ଦାସଙ୍କ ସମେତ ଗ୍ରାମବାସୀ ପରିଚାଳନା କରୁଥିବା ଜାଣିବାକୁ ମିଳିଛି ।
ପ୍ରକାଶ ଯେ, ୧୭୨୩ ସାଲ୍ରେ ତତ୍କାଳୀନ ରାଜା ଶ୍ରୀପଦ୍ମନାଭ ଦେବ ଲାଡିଗାଁ ବିଜେପଦ୍ମନାଭପୁର ଶାସନ (ଲାଡିଗାଁ)ରେ ସ୍ୱୟଂ ବିଜେ ହୋଇ ଗ୍ରାମ ଟିକୁ ବ୍ରାହ୍ମଣ ଶାସନର ମୁଖ୍ୟ ମାନଙ୍କୁ ଗ୍ରାମଟିକୁ ଦାନ କରିଥିଲେ । ସେବେ ଠାରୁ ପିଢୀ କ୍ରମେ ଖେମୁଣ୍ଡି ରାଜବଂଶ ସହିତ ଉକ୍ତ ଗ୍ରାମବାସୀ ଏବଂ ଗ୍ରାମର ସମ୍ପର୍କ ରହି ଆସିଛି । ପଦ୍ମନାଭ ଦେବଙ୍କ ପରେ କୃପାମୟ ଦେବ, ଲକ୍ଷ୍ମୀନାୟାରଣ ଦେବ, ରାମଚନ୍ଦ୍ର ଦେବ ଏବଂ ମାଣିକେଶ୍ୱରୀ ଦେବଙ୍କ ସହିତ ବିଜେପଦ୍ମନାଭପୁର ଶାସନ ବାସିନ୍ଦା ଏବଂ କର୍ମକାଣ୍ଡି ବ୍ରାହ୍ମଣ ମାନଙ୍କ ସହିତ ଦୀର୍ଘଦିନର ସମ୍ପର୍କ ରହି ଆସିଛି । ସମ୍ପ୍ରତ୍ତି ଗ୍ରାମଦେବତୀ ଭଗବତୀ ପୀତାମ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ଯଜ୍ଞରେ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଖେମୁଣ୍ଡି ରାଜବଂଶକୁ ନିମନ୍ତ୍ରଣ କରାଯାଇଥିଲା । ସ୍ୱର୍ଗତ ରାଜା ମାଣିକେଶ୍ୱରୀ ଦେବଙ୍କ ଅନ୍ତରାଳେ ନିମନ୍ତ୍ରଣ ରକ୍ଷା କରି ରାଜବଂଶର ଦାୟାଦ ମୋହନ ପ୍ରସାଦ ଦେବ, ସୁଶାନ୍ତ ପ୍ରସାଦ ଦେବ, କିଶୋର ପ୍ରସାଦ ଦେବ, ଶ୍ରୀଧର ଦେବ ଏବଂ ସପନ ଦେବଙ୍କ ସମେତ ରାଜମାତାମାନେ ମଧ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ । ପାରମ୍ପରିକ ରିତୀନିତୀ ଅନୁସାରେ ଗ୍ରାମ ପ୍ରାରମ୍ଭରେ ରାଜବଂଶର ଦାୟାଦ୍ ଏବଂ ଯୁବ ରାଜ ଓ ରାଜକୁମାର୍ ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ମନ୍ଦିର ମଧ୍ୟକୁ ପାଛୋଟି ନିଆଯାଇଥିଲା । ସେହିପରି ଗ୍ରାମର ପୁରୁଷ ଓ ମହିଳାମାନେ କଳସ ଜଳ ଯାତ୍ରାରେ ସାମିଲ ହୋଇ ଯଜ୍ଞ ପୀଠ ନିକଟକୁ ଗଙ୍ଗା ଆବାହନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପାଞ୍ଚ ଦିନ ବ୍ୟାପୀ ଏହି ଯଜ୍ଞ ଚାଲିବା ପରେ ସମାପ୍ତି ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here