ରକ୍ଷଣାବେକ୍ଷଣ ଅପେକ୍ଷାରେ ମିନିଷ୍ଟାଡିୟମ୍ କ୍ରୀଡା ପ୍ରେମୀ ହତୋତ୍ସାହିତ

0
521

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବହୁ ପୁରାତନ ଦିଗପହଣ୍ଡି ବଡଖେମୁଣ୍ଡି ହାଇସ୍କୁଲ ଖେଳ ପଡିଆ ତଥା ମିନିଷ୍ଟାଡିୟମ୍ ବର୍ତ୍ତମାନ ରକ୍ଷଣା ବେକ୍ଷଣ ଅଭାବରେ ରହିଛି । ଫଳରେ ଖେଳିବାକୁ ଆସୁଥିବା କ୍ରୀଡାବିଦ୍ ମାନେ ନିରାଶ ହେଉଥିବା ଆଭାସ ମିଳିଛି । ଦିଗପହଣ୍ଡି ସହର ତଥା ଆଖପାଖ ଗ୍ରାମାଞ୍ଚଳର କ୍ରୀଡାବିଦ୍ ମାନଙ୍କ ପାଇଁ ଦିଗପହଣ୍ଡି ମିନି ଷ୍ଟାଡିୟମ୍ ଏକ ପ୍ରମୁଖ ଖେଳ ପଡିଆ । ଗୋଟିଏ ମିନିଷ୍ଟାଡିୟମ୍ ଉପରେ ଦିଗପହଣ୍ଡି ଗୋପବନ୍ଧୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବଡଖେମୁଣ୍ଡି ହାଇସ୍କୁଲ ସମେତ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଖେଳିବା ପାଇଁ ପ୍ରତ୍ୟେହ ବ୍ୟବହାର କରିଥାନ୍ତି । ଅନ୍ୟାନ୍ୟ ଦିନ ମାନଙ୍କରେ ଖେମୁଣ୍ଡି କଲେଜ ସମେତ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସମେତ କ୍ରୀଡା ପ୍ରେମୀ ମାନେ ଅଭ୍ୟାସ ରତ ମ୍ୟାଚ୍ ଖେଳିବା ପାଇଁ ମିନିଷ୍ଟାଡିୟମ୍ ଉପରେ ନିର୍ଭର ହୋଇଥାନ୍ତି । ହେଲେ ବର୍ତ୍ତମାନ ଖେଳ ପଡିଆଟି ଅତି ଶୋଚନୀୟ ଭାବେ ରହିଛି । ଯଦ୍ୱାରା କ୍ରୀଡା ପ୍ରେମୀ ମାନେ ଖେଳରୁ ମନବଳାଇଦେଉଥିବା ଜାଣିବାକୁ ମିଳିଛି । ମିନିଷ୍ଟାଡିୟମ୍ ରେ ଦିଗପହଣ୍ଡି ମହୋତ୍ସବ ପାଳନ କାର୍ଯ୍ୟକ୍ରମ ପରେ ଷ୍ଟାଡିୟମ୍ ର ଆଉ ରକ୍ଷଣାବେକ୍ଷଣ କରାଯାଇନାହିଁ । ଖେଳ ପଡିଆର ପିଚ୍ ନିୟମିତ ସ୍ଥାନରେ ସମତଳ ନଥିବା ବେଳେ ୱାକ୍ ପାଥ୍ ମଧ୍ୟ ରକ୍ଷଣାବେକ୍ଷଣ ଅପେକ୍ଷାରେ ରହିଛି । ସେହିପରି ବିଭିନ୍ନ ସମୟରେ ଟୂର୍ଣ୍ଣାମେଣ୍ଟ୍ ଆଦି ହେଉଥିବା ବେଳେ ଆୟୋଜକ କମିଟି ମାନଙ୍କ ଦ୍ୱାରା ହିଁ ଅଦ୍ୟାବଧି ମିନିଷ୍ଟାଡିୟମର ଯାହା କିଛି ଉନ୍ନତି ହୋଇଛି ସିନା କ୍ରୀଡାବିଭାଗ ଏବଂ ଜିଲାପ୍ରଶାସନ ସହାୟତାରେ କୌଣସି ଅଗ୍ରଗତି କିମ୍ବା ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ କ୍ରୀଡାପ୍ରେମୀ ମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ମିନିଷ୍ଟାଡିୟମ୍ ରେ ବାହ୍ୟ ବ୍ୟାୟାମକେନ୍ଦ୍ର ଓପେନ୍ ଜିମ୍ ସେଣ୍ଟର୍ ଏବଂ ଶିଶୁ ପାର୍କ ନିର୍ମାଣ କରାଯାଇଥିବାରୁ ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ଆବାଳ ବୃଦ୍ଧ ବନୀତା ଭିଡ ଲାଗି ରହିଥାଉଛି । ବିଶେଷ କରି କ୍ରିକେଟ୍ ଏବଂ ଫୁଟବଲ୍ ଖେଳିବା ପାଇଁ ଖେଳ ପଡିଆର ସ୍ତର ଆବଶ୍ୟକ ଅନୁସାରେ ନଥିବା ବେଳେ ଗାଲିଚା ଘାସ ମଧ୍ୟ ନାହିଁ । ତେବେ ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ କରିବା ସକାଶେ ପ୍ରାୟ ଦୁଇରୁ ତିନି ଲକ୍ଷ ଟଙ୍କାର ଅର୍ଥରାଶି ଆବଶ୍ୟକତା ପଡୁଥିବା ବେଳେ ସେସବୁ ପୂରଣ ହୋଇଗଲେ କ୍ରୀଡା ପ୍ରେମୀ ମାନଙ୍କ ମହଲରେ ଆଗ୍ରହ ଜନ୍ମିବ ବୋଲି କ୍ରୀଡାପ୍ରେମୀ ହର ସେଠୀ, ପ୍ରିୟରଞ୍ଜନ ସାହୁ, ଅଜିତ୍ ସାହୁ, ସନ୍ଦୀପ ପାଣିଗ୍ରାହୀ, ଟୁକୁଲା ପାଢୀ, ଟୁଲୁ ସ୍ୱାଇଁ ପ୍ରମୁଖ କହିଛନ୍ତି । ଅନ୍ୟପକ୍ଷରେ ଖେଳ ପଡିଆର ଉନ୍ନତି ପାଇଁ ବଡଖେମୁଣ୍ଡି ହାଇସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ପୂର୍ତ୍ତ ବିଭାଗକୁ ଅବଗତି କରିଦିଆଗଲେ ଖେଳ ପଡିଆର ଉନ୍ନତି କରଣ କାର୍ଯ୍ୟ ହୋଇପାରିବ ବୋଲି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ କହିଛନ୍ତି ।

LEAVE A REPLY

Please enter your comment!
Please enter your name here