ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯାତ୍ରୀ ବାହୀ ବସ୍ ଓଲଟି; ୮ ମୃତ,୩୬ ଆହତ ଓ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

0
645

ବ୍ରହ୍ମପର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବୁଧବାର ଭୋରରେ ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିର ପାଳୁଖୋଳା ନିକଟରେ ୨୦ ଫୁଟ ତଳକୁ ଏକ ଯାତ୍ରୀ ବାହୀ ବସ୍ ଓଲଟିଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୬ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ‘ମାରୁତି‘ ନାମକ ଏହି ଯାତ୍ରୀବାହୀ ବସ୍ ନଂ(ଓଆର୍୦୫ ଏବି ୩୫୩୦) ଟି ରାୟଗଡ଼ାର ଟିକିରିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏବଂ ଯାତ୍ରୀମାନେ ଓଲଟିଯାଇଥିବା ବସ୍ ମଧ୍ୟରେ ହିଁ ଲଟକି ରହିଯାଇଥିଲେ । ଖବର ପାଇ ପୋଲିସ,ଦିଗପହଣ୍ଡି, ସାନଖେମୁଣ୍ଡି ଏବଂ ବ୍ରହ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ୍ କଟର୍ ମାଧ୍ୟମରେ ସମସ୍ତ ମୃତାହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିବା ମୁଖ୍ୟ ଫାୟାର ଅଫିସର ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି। । ୧୦୮ ଆମ୍ବୁଲାନ୍ସ ଏବଂ ଦମକଳ ଗାଡି ଦ୍ୱାରା ସମସ୍ତଙ୍କୁ ପୁଡାମାରୀ, ଡେଙ୍ଗାଓସ୍ତା,ଦିଗପହଣ୍ଡି ଓ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଓ ୨ଜଣଙ୍କର ମେଡିକାଲକୁ ନେବା ବେଳେ ରାସ୍ତାରେ ମୃତ୍ୟୁ ଘଟିଛି । ମୃତକ ମାନେ ୭ ପରିବାରର ୮ଜଣ ଏବଂ ଗୋଟିଏ ପରିବାରର ମା ଓ ଝିଅ । ଖବର ପାଇ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଏସ୍ ପି ବ୍ରିଜେଶ୍ ରାୟ ଦୂର୍ଘଟଣା ସ୍ଥଳରେ ପହଁଚି ସ୍ଥିତି ପରିଦର୍ଶନ କରିବା ସହ ଏଭଳି ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ଶୋକ ପ୍ରକାଶ କରିଥିଲେ । ମୃତକ ମାନଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଅନୁକମ୍ପା ରାଶି ଯୋଗାଇଦେବା ସହିତ ଜାତୀୟ ରାଜପଥ ବିଭାଗୀୟ କର୍ତ୍ତୃପକ୍ଷ ମାନଙ୍କ ସହିତ ଆଲୋଚନା କରି ବାରମ୍ବାର ଘଟୁଥିବା ଦୂର୍ଘଟଣା ଗୁଡିକର ସ୍ଥାୟୀ ପ୍ରତିକାରାତ୍ମକ ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଦୀର୍ଘ ୬ ଘଣ୍ଟାର ଅଗ୍ନିଶମ ବିଭାଗ ଅପରେସନ୍ ପରେ ସମସ୍ତ ଉଦ୍ଧାର କରାଯାଇ ଗୋଟିକ ପରେ ଗୋଟିଏ ମୃତ ଦେହକୁ ଦିଗପହଣ୍ଡି ମେଡିକାଲକୁ ଅଣାଯାଇ ରଖାଯାଉଥିଲା । ପାଟପୁର ଥାନା ପୋଲିସ ଦ୍ୱାରା ସମସ୍ତ ମୃତ ଦେହର ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here