ବ୍ରହ୍ମପୁରରେ ଧର୍ମଘଟ ଶାନ୍ତିପୂର୍ଣ୍ଣ ଓ ସଫଳ।

0
651

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ଓ ଦରଦାମ ବୃଦ୍ଧି ସହିତ ବିଭିନ୍ନ ଦାବିରେ ଆଜି ବିଭିନ୍ନ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଦିଆଯାଇଥିବା ଦେଶ ବ୍ୟାପି ଦିନିକିଆ ଧର୍ମଘଟର ବେଶ ପ୍ରଭାବ ବ୍ରହ୍ମପୁର ସହରରେ ତଥା ସମଗ୍ର ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି।ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ସକ୍ରିୟ ସାମିଲ ହୋଇଛି କଂଗ୍ରେସ। ଭୋର ସମୟରେ ବ୍ରହ୍ମପୁର ରେଳଷ୍ଟେସନରେ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ରେଳରୋକ କରାଯାଇଥିଲା। ଫଳରେ ବହୁ ଟ୍ରେନ ଦୀର୍ଘ ସମୟ ପର୍ଯ୍ୟନ୍ତ ଷ୍ଟେସନରେ ଅଟକି ରହିବା ଯୋଗୁଁ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ପରେ ଆନ୍ଦୋଳନକାରୀମାନେ ସହରରେ ପରିକ୍ରମା କରି ବିଭିନ୍ନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଗୁଡିକରେ ପିକେଟିଂ କରିଥିଲେ। ଧର୍ମଘଟକୁ ଦୃଷ୍ଟିରେ ରଖି ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ପେଟ୍ରୋଲ ପମ୍ପ ଓ ଦୋକାନବଜାର ମଧ୍ୟ ଅନେକାଂଶରେ ବନ୍ଦ ରହିଥିଲା। ସେପଟେ କୌଣସି ପ୍ରକାରର ବିଶୃଙ୍ଖଳାକୁ ଆଶଙ୍କା କରି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖିବାକୁ ନିର୍ଦେଶ ଜାରି କରାଯାଇଥିଲା। ଅପରପକ୍ଷେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ବନ୍ଦ ସଫଳ ହୋଇଥିବା ଓ ଏହାକୁ ସାଧରଣଲୋକେ ସମର୍ଥନ ଜଣାଇଥିବା ଦାବି କରିଛନ୍ତି ଧର୍ମଘଟ ଡାକରା ଦେଇଥିବା ଶ୍ରମିକ ସଂଗଠନମାନେ।

LEAVE A REPLY

Please enter your comment!
Please enter your name here