ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ନେଇ ପ୍ରଶାସନ ଓ ବସ ମାଲିକ ସଙ୍ଘ ମୁହାଁମୁହିଁ, ଯାତ୍ରୀ ହନ୍ତସନ୍ତ।

0
607

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ବହୁ କୋଟି ଟଙ୍କା ବ୍ୟୟରେ ହଳଦିଆପଦର ଠାରେ ନବନିର୍ମିତ ବ୍ରହ୍ମପୁର ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଉଦଘାଟନର ଦୀର୍ଘ ୩ବର୍ଷ ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ନହୋଇ ପଡିରହିଛି। ତେବେ ବିକଳ୍ପ ବ୍ୟବସ୍ଥା ନକରି ପ୍ରଶାସନର ଏଭଳି ଏକତରଫା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଘରୋଇ ବସ ମାଲିକ ସଙ୍ଘ। ଆଜିଠାରୁ ବସ ଚଳାଚଳ ବନ୍ଦ ରଖିଛନ୍ତି। ଉଭୟ ପ୍ରଶାସନ ଓ ବସ ମାଲିକ ସଙ୍ଘ ନିଜନିଜ ଜିଦରେ ଅଟଳ ରହିବା ଫଳରେ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ବ୍ରହ୍ମପୁର ସହର ମଧ୍ୟରେ ରହିଛି ବସଷ୍ଟାଣ୍ଡ। ଦିନକୁ ଦିନ ଜନ ସଂଖ୍ୟ ଓ ଯାନବାହନ ସଂଖ୍ୟା ବୃଦ୍ଧି ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଏହାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହର ବାହାରେ ପ୍ରାୟ ୧୪କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା ନୂତନ ବସ ଟର୍ମିନାଲ।ଯାହାକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ମସିହାରେ ଉଦ୍ଘାଟନ କରିଥିଲେ। କିନ୍ତୁ ବସ ମାଲିକଙ୍କ କିଛି ସମସ୍ୟା ଓ ଅସହଯୋଗ ଯୋଗୁଁ ଏହି ନୂତନ ବସଷ୍ଟାଣ୍ଡ ଦୀର୍ଘ ବର୍ଷ ଧରି କାର୍ଯ୍ୟକ୍ଷମ ନହୋଇ ପଡିରହିଛି। ବର୍ତ୍ତମାନ ପ୍ରଶାସନ ସହର ମଧ୍ୟରେ ଥିବା ବସଷ୍ଟାଣ୍ଡର ମରାମତି ଓ ପୁନଃରୁଦ୍ଧରପାଇଁ ଦୁଇ ମାସ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ ସମସ୍ତ ବସ ଗୁଡିକୁ ସହର ବାହାରକୁ ଅର୍ଥାତ ହଳଦିଆପଦର ବସ ଟର୍ମିନାଲକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଯାହାକୁ ପୁଣି ବିରୋଧ କରି ଗତ କାଲି ସୋମବାର ଦିନ ବସ ମାଲିକ ମାନେ ପ୍ରଶାସନ ସହିତ ଆଲୋଚନା କରିଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ନଥିଲା। ଫଳରେ ପୁଣି ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚକ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଫଳରେ ଆଜି ସକାଳୁ ବ୍ରହ୍ମପୁର ସହରକୁ ବା ସହରରୁ କୌଣସି ବସ ଚଳାଚଳ ହେଉନାହିଁ। ଯଦ୍ୱାରା ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଅପରପକ୍ଷେ ପୂର୍ବ ନିଷ୍ପତ୍ତି ପ୍ରକାରେ ପ୍ରଶାସନ ପକ୍ଷରୁ ସକାଳୁ ସକାଳୁ ବସ ଷ୍ଟାଣ୍ଡରେ ଥିବା ସମସ୍ତ ବସ ଗୁଡିକୁ ବାହାର କରି ବସଷ୍ଟାଣ୍ଡ କୁଖାଲି କରାଯାଇଛି। ଏବଂ ଭିତରକୁ ଯେଭଳି କୌଣସି ବସ ନଆସେ ସେଥିପାଇଁ ବସ ଷ୍ଟାଣ୍ଡର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଖୋଳି ଦିଆଯାଇଛି। ବସ ଧର୍ମଘଟ ଯୋଗୁଁ ଯାତ୍ରୀଙ୍କୁ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ସେଥିପାଇଁ ଅଧିକ ସିଟି ବସ ଓ ରାଜ୍ୟ ପରିବହନ ବିଭାଗର ବସ ସହିତ କିଛି ସ୍କୁଲ ଓ କଲେଜର ଗାଡିକୁ ମଧ୍ୟ ବ୍ୟବହାର କରାଯିବ। ଆବଶ୍ୟକ ସ୍ଥଳେ ଭୁବନେଶ୍ୱରରୁ ଅଧିକ ସଂଖ୍ୟାରେ ମୋ ବସ ଅଣାଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ। ବର୍ତ୍ତମାନ ସ୍ଥିତିରେ ବସ ମାଲିକ ସଙ୍ଘ ସହିତ ଆଲୋଚନା କିମ୍ବା ସେମାନଙ୍କ ଦାବି ପୂରଣ କରିବା ଆଦୌ ସମ୍ଭବ ନୁହଁ ବୋଲି ରୋକଠୋକ ମନା କରିଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ। ବସଷ୍ଟାଣ୍ଡରୁ ବାହାରି ଥିବା ବସଗୁଡିକୁ ଏଣେତେଣେ ରାସ୍ତାକଡରେ ରଖି ଟ୍ରାଫିକ ସମସ୍ୟା ସୃଷ୍ଟି କଲେ ସମ୍ପୃକ୍ତ ବସ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ବିଳମ୍ବରେ ହେଲେ ମଧ୍ୟ ସହରର ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି।

LEAVE A REPLY

Please enter your comment!
Please enter your name here