ଅସହାୟ ଅବସ୍ଥାରେ ରାସ୍ତା କଡରେ ଜୀବନ କାଟୁଥିବା ବୃଦ୍ଧଙ୍କୁ ନୂଆ ଜୀବନ ଦେବାରେ ସଫଳ ଟିମ କ୍ଲିନ ସିଟି।

0
705

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ): ମନୁଷ୍ୟକୁ କେତେବେଳେ କେଉଁ ସ୍ଥିତିରେ ଗତି କରିବାକୁ ହେବ ତାହାର କେହି କେବେ ପୂର୍ବାନୁମାନ କରିପାରିବ ନାହିଁ।ତେବେ ପରିସ୍ଥିତିକୁ ଆଦରି ସମାଜରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯଦିଓ ସେମାନଙ୍କର ମାନସିକ ସ୍ଥିତି ଠିକ ତଥାପି ରାସ୍ତାକଡରେ ସେମାନଙ୍କୁ ଜୀବନ ବିତାଇବାକୁ ପଡୁଛି। ଏଭଳି କିଛି ବ୍ୟକ୍ତିବିଶେଷଙ୍କୁ ସହରର ବିଭିନ୍ନ ସ୍ଥାନରେ ଆମେ ଦେଖୁଥିଲେହେଁ ସେମାନଙ୍କୁ ଉଦ୍ଧାର କରି ମୁଖ୍ୟସ୍ରୋତରେ ସାମିଲ କରିବାକୁ ଆଗକୁ ଆସୁଥିବା ଲୋକଙ୍କ ସଂଖ୍ୟା ଖୁବ କମ। ଏଭଳି ଲୋକଙ୍କୁ ସହାୟତା କରି ଉଦ୍ଧାର କରିବା ପାଇଁ ଅଣ୍ଟା ଭିଡ଼ିଛି ବ୍ରହ୍ମପୁର ସହରର ସାମାଜିକ ସ୍ବେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି। ଏହି ଟିମର ସଦସ୍ୟ ମାନେ ପୂର୍ବରୁ ଦୁଇଜଣ ଅସହାୟ ବ୍ୟକ୍ତିଙ୍କୁ ସହାୟତା ଯୋଗାଉଥିବା ଚିତ୍ର ସୋସିଆଲ ମିଡିଆରେ ପ୍ରଘଟ ହେବାପରେ ଆଜି ଦେଶିବେହେରା ସହି କେଦାରେଶ୍ୱର ମନ୍ଦିର ସମ୍ମୁଖ ରାସ୍ତା କଡରେ ଦୀର୍ଘଦିନ ଧରି ବର୍ଷା, ଖରା ଓ ଶୀତରେ ପଡିରହିଥିବା ବୃଦ୍ଧ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ସେହି ଅଞ୍ଚଳର ଜନୈକ ମହିଳା ଟିମ କ୍ଲିନ ସିଟି ସଦସ୍ୟଙ୍କୁ ନିବେଦନ କରିଥିଲେ।
ଏବଂ ଏନେଇ ସୂଚନା ପାଇବା କ୍ଷଣି ଟିମ ସଦସ୍ୟମାନେ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ଆରମ୍ଭ କରିଦେଇଥିଲେ ଉଦ୍ଧାର କାର୍ଯ୍ୟ। ଯଦିଓ ପ୍ରଥମେ ବୃଦ୍ଧ ଜଣକ ସହଯୋଗ କରିନଥିଲେ କିନ୍ତୁ ବୁଝାସୁଝା ପରେ ସେ ସହଯୋଗ କରିଥିଲେ। ଏବଂ ସେଠାରେ ତାଙ୍କୁ ଟିମ ସଦସ୍ୟମାନେ ଚୁଟି କାଟି, ଗାଧୁଆ ପାଧୁଆ କରି ନୂଆ ବସ୍ତ୍ର ପରିଧାନ କରାଇ ତାଙ୍କୁ ସେଠାରୁ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସହାୟତାରେ ସହରାଞ୍ଚଳ ବାସହୀନ ଲୋକଙ୍କୁ ପାଇଁ ଉଦ୍ଧିଷ୍ଟ ଆଶ୍ରୟକୁ ସ୍ଥାନାନ୍ତର କରି ସେଠାରେ ଥଇଥାନ କରିଥିଲେ। ଟିମ ସଦସ୍ୟଙ୍କ ଏଭଳି ମହାନ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଟିମର ସଦସ୍ୟ ମାନେ ମଧ୍ୟ ନିଜକୁ ଏଭଳି କାର୍ଯ୍ୟରେ ନିୟୋଜିତ କରି ବେଶ ଖୁସି ଥିବା କହିଛନ୍ତି। ଟିମ ପକ୍ଷରୁ ଏହା ତୃତୀୟ ସଫଳ ଉଦ୍ୟମ ହୋଇଥିବା ବେଳେ ଟିମ ପକ୍ଷରୁ ବ୍ରହ୍ମପୁର ସହରକୁ ସୁନ୍ଦର ଓ ପୋଷ୍ଟର ମୁକ୍ତ କରିବାକୁ ଶପଥ ନିଆଯାଇ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ପୋଷ୍ଟର ଗୁଡିକୁ ଚିରାଯିବା ଭଳି ନିଆରା ଅଭିଯାନ ଜାରି ରହିଛି। ଯାହାକୁ ମଧ୍ୟ ସହରବାସୀ ଓ ପ୍ରସାଶନ ପକ୍ଷରୁ ଭୁୟସୀ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here