ବିଧାୟକଙ୍କୁ କର୍ମଚାରୀଙ୍କ ଭଳି ଛୁଟି ନେବାକୁ ପଡ଼ିବ

0
635

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ପାଳି ସରକାର ଗଠନ ପରେ ସଂସ୍କାର ଦିଗ ପ୍ରତି ଦେଇଛନ୍ତି ଅଧିକ ଗୁରୁତ୍ୱ । କେବଳ ପ୍ରଶାସନିକ ନୁହେଁ, ରାଜନୈତିକ କ୍ଷେତ୍ରରେ ମଧ୍ୟ ସଂସ୍କାର ଆଣିବାକୁ ପଦକ୍ଷେପ ନେଇଛନ୍ତି । ଏକଥା ଅଜବ ଲାଗିପାରେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଦଳୀୟ ବିଧାୟକମାନଙ୍କ ଉପରେ । ଆଉ ବିଧାୟକଙ୍କର ମନମାନୀ ଚଳିବ ନାହିଁ । ଅଫିସରମାନଙ୍କ ଭଳି ସେମାନେ ବି ରିପୋର୍ଟ କାର୍ଡ ଦେବେ ଏବଂ କର୍ମଚାରୀଙ୍କ ଭଳି ଛୁଟିନେବେ । ବିଧାନସଭା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନ ନେଇ କେହି ଛୁଟିରେ ରହିପାରିବେ ନାହିଁ । ରାଜନୀତିରେ ଏହି ଘଟଣା ସମ୍ପୂର୍ଣ୍ଣ ନିଆରା । ବିଧାୟକଙ୍କୁ ଛୁଟି ନେବାକୁ ହେବ ଓ ଏଥିପାଇଁ ମୁଖିଆଙ୍କୁ ଜଣାଇବାକୁ ପଡ଼ିବ । ଏହି ଘଟଣା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଛି ।
ମୁଖ୍ୟମନ୍ତ୍ରୀ ଜାରି କରିଛନ୍ତି ଯେ, ବିଜେଡି ବିଧାୟକମାନେ ନିୟମିତ ବିଧାନସଭା ଆସୁଛନ୍ତି କି ନାହିଁ? କେତେବେଳେ ଗୃହକୁ ଆସୁଛନ୍ତି, ଆଉ କେତେବେଳେ ଯାଉଛନ୍ତି? ବିତର୍କରେ କିଭଳି ଅଂଶଗ୍ରହଣ କରୁଛନ୍ତି? ତାହାର ପ୍ରଦର୍ଶନ କେମିତି? ଏଣିକି ଏହାର ହିସାବ ନେବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ବିଧାୟକଙ୍କ ଉପସ୍ଥାନ ଓ କାର୍ଯ୍ୟକଳାପ ଉପରେ ରହିବ ମୁଖ୍ୟମନ୍ତ୍ରୀଙ୍କ ନଜରରେ । ଚଳିତ ବିଧାନସଭା ଶୀତ ଅଧିବେଶନରୁ ଏଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଜାରି କରିଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ସମୟାନୁବର୍ତୀ ହୁଅ, ନିୟମିତ ବିଧାନସଭାକୁ ଆସ ଏବଂ ବିତର୍କରେ ଭାଗ ନିଅ । ବିଧାନସଭା ଗୃହ କାର୍ଯ୍ୟକୁ ହାଲୁକା ମନେକରି କେହି ଅନୁପସ୍ଥିତ ରହିପାରିବେ ନାହିଁ । ମନଇଚ୍ଛା କେହି ଅନୁପସ୍ଥିତ ରହିବେ ନାହିଁ । ବିଧାନସଭା ଚାଲିବାବେଳେ ୨ ଦିନରୁ ଅଧିକ ଦିନ ଅନୁପସ୍ଥିତ ବା ଛୁଟିରେ ଚାହୁଁଥିବା ବିଧାୟକ ତାଙ୍କଠୁ ଅନୁମତି ନେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ସାଂସଦମାନେ ଯେପରି ପ୍ରତି ଦୁଇ ମାସରେ ଥରେ ରିପୋର୍ଟ କାର୍ଡ ଦାଖଲ କରୁଛନ୍ତି, ଠିକ ସେହିପରି ବିଧାୟକମାନେ ଦୁଇ ମାସରେ ଥରେ ନିଜ ନିଜ ରିପୋର୍ଟ କାର୍ଡ ଦେବେ । ରିପୋର୍ଟ କାର୍ଡ ଢ଼ାଞ୍ଚା ପ୍ରସ୍ତୁତି ପାଇଁ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାକୟ, ଉଷା ଦେବୀ, ଅମର ଶତପଥୀ ଓ କିଶୋର ମହାନ୍ତିଙ୍କୁ ରଖାଯାଇଛି । ୧୦ ଦିନ ଭିତରେ କମିଟିକୁ ରିପୋର୍ଟ ଦେବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here