ସାମାନ୍ୟ ବଚସାରୁ ବ୍ୟବସାୟୀଙ୍କ ଉପରେ ଗୁଳି ମାଡ଼। ଅଭିଯୁକ୍ତ ଫେରାର, ଆହତ ବ୍ୟବସାୟୀ ବ୍ରହ୍ମପୁର ଡାକ୍ତରଖାନାରେ।

0
822

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ମାତ୍ର କେଇ ଦିନର ବ୍ୟବଧାନରେ ଗଞ୍ଜାମ ଜିଲ୍ଲାରେ ପୁଣି ଫୁଟିଛି ଗୁଳି। ବାକି ମାଗିବାକୁ ନେଇ ପ୍ରଥମେ ସାମାନ୍ୟ ବଚସା ଆଉ ତାପରେ ଏକ ତେଜରାତି ଦୋକାନୀଙ୍କ ଉପରେ ହୋଇଛି ଗୁଳି ମାଡ଼। ଏଭଳି ଘଟଣା ଘଟିଛି ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ। ଗତ ରାତି ପ୍ରାୟ ସାଢ଼େ ୯ଟା ବେଳେ ଦୋକାନୀ ସୁଶାନ୍ତ ପାତ୍ର ଦୋକାନରେ ନ ଥିଲେ। ଏହି ସମୟରେ ତାଙ୍କ ପୁଅ ଦୋକାନରେ ବସିଥିଲେ। ଅଭିଯୁକ୍ତ ସଞ୍ଜୟ ବାରିକ ଦୋକାନକୁ ଆସି ଗୁଟଖା ମାଗିଥିଲା। ତେବେ ପୁଅ ଓ ସୁଶାନ୍ତଙ୍କ ପତ୍ନୀ ବାକି ଦେବାକୁ ମନା କରିଥିଲେ। ସେ ଦୁହିଁଙ୍କ ସହ ସଞ୍ଜୟ ପାଟିତୁଣ୍ଡ କରୁଥିବା ବେଳେ ସୁଶାନ୍ତ ସେଠାକୁ ଆସି ସେ ବି ବାକି ଦେବାକୁ ମନା କରିଥିଲେ। ଏହି ସମୟରେ ଉତକ୍ଷିପ୍ତ ହୋଇ ସଞ୍ଜୟ ସେଠାରୁ ଘରକୁ ଯାଇ ଏକ ମାଉଜର ଆଣିବା ସହ ତାଙ୍କୁ ଆକ୍ରମଣ କରିଥିଲେ। ସଞ୍ଜୟ ମାଉଜର ଆଣିବା ଦେଖି ସୁଶାନ୍ତ ଘରକୁ ଯାଉଥିବା ବେଳେ ପଛପଟୁ ଗୁଳି ମାଡ଼ କରିଥିଲା। ତାହା ସୁଶାନ୍ତଙ୍କ ଅଣ୍ଟାରେ ବାଜି ବାହାରି ଯାଇଥିଲା। ଗୁଳିମାଡ଼ ପରେ ସେଠାରୁ ସଞ୍ଜୟ ଫେରାର ହୋଇଯାଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସୁଶାନ୍ତ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି। ଫେରାର ସଞ୍ଜୟକୁ ଗିରଫ କରିବାକୁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି।

LEAVE A REPLY

Please enter your comment!
Please enter your name here