ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ବିରୋଧରେ ସୁପ୍ରିମ କୋର୍ଟର କଡା ନିର୍ଦେଶ

0
642

କଟକ : ଆଜି ବସିଛି ହାଇକୋର୍ଟ ବାର୍ ଆସୋସିଏସନ୍ର ଆକ୍ସନ ଟେକେନ୍ କମିଟି ବୈଠକ। ଆଇନର ମନ୍ଦିରକୁ ଅଚଳ କରାଯାଇ ପାରିବନି। ଅଦାଲତ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ସ୍ଥାନୀୟ ପୋଲିସ ଅସମର୍ଥ ହେଉଥିଲେ ପାରା ମିଲିଟାରି ଫୋର୍ସ ବା ଅର୍ଦ୍ଧ ସାମରିକ ବଳ ମୁତୟନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବ। ମଙ୍ଗଳବାର ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମ୍କୋର୍ଟ। ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧ ସାମରିକ ବଳ ନିୟୋଜନ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ ଓକିଲ ସଂଘ। ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ଅଦାଲତଗୁଡିକରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୂର କରିବାକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏଥିସହ ହାଇକୋର୍ଟଙ୍କଠାରୁ ଏ ସମ୍ପର୍କରେ ଜବାବ ରଖିବାକୁ ସରକାରୀ ଓକିଲ ୨ଦିନ ସମୟ ନେଇଛନ୍ତି। ଆସନ୍ତା ୨୪ତାରିଖରେ ମାମଲାର ପରିବର୍ତ୍ତୀ ଶୁଣାଣି ହେବ। ଓଡ଼ିଶା ହାଇକୋର୍ଟ ଆଇନଜୀବୀଙ୍କ ଦୀର୍ଘଦିନ ଆନ୍ଦୋଳନ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ କିଛି ଲୋକଙ୍କ ସ୍ୱାର୍ଥ ପାଇଁ ଆଇନର ମନ୍ଦିରକୁ ଅଚଳ କରାଯାଇ ପାରିବ ନାହିଁ ବୋଲି ମତ ରଖିଛନ୍ତି। ବିଚାରପତି ସଞ୍ଜୟ କିଶାନ କୌଲ ଓ ବିଚାରପତି କେ.ଏମ୍. ଯୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ଅଦାଲତକୁ ସଚଳ କରିବା ପାଇଁ ପୋଲିସର ସହାୟତା ନେବାକୁ ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ପୋଲିସ ସହାୟତା ନ ଦେଇପାରିଲେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳକୁ ମୁତୟନ କରି କୋର୍ଟ କାର୍ଯ୍ୟ ଆରମ୍ଭ କରିବା ଉଚିତ ବୋଲି ଖଣ୍ଡପୀଠ ମତ ରଖିଛନ୍ତି। ପିଏଲ୍ଆର୍ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍ ଓ ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟରେ ଅଚଳାବସ୍ଥା ଯୋଗୁ ଉପରୋକ୍ତ ମାମଲା ପରିଚାଳନା ହୋଇ ପାରୁ ନଥିବା ପ୍ରସଙ୍ଗ ସୁପ୍ରିମକୋର୍ଟରେ ଉପସ୍ଥାପନ ହୋଇଥିଲା। ସୁପ୍ରିମକୋର୍ଟ ଏ ସମ୍ପର୍କରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here