କଙ୍ଗାରୁ କୋର୍ଟର ନିର୍ଦେଶକୁ ଅବମାନନରୁ ଗୋଟିଏ ପରିବାରକୁ ଗାଁରେ ନିଆଁ ପାଣି ବନ୍ଦ। ଅଭିଯୋଗକୁ ଗ୍ରାମ୍ୟ କମିଟିର ଖଣ୍ଡନ। ଖୋଳତାଡ଼ ଜାରି।

0
735

ହିଂଜିଳିକାଟୁ(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବଡ଼ଖଣ୍ଡି ଗ୍ରାମର ନାଡ଼ି ଭଗବାନ ଓ ନାଡ଼ି ରାଜଶ୍ୱରୀଙ୍କ ସାନ ଝିଅ ମମତା ଗଜପତି ଜିଲା ଲକ୍ଷ୍ମୀପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ମମତା ବଡ଼ଖଣ୍ଡି ଗ୍ରାମରେ ବିବାହ କରିଛନ୍ତି। ତେବେ କୌଣସି କାରଣରୁ ମମତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମନାନ୍ତର ହୋଇଥିବାରୁ ଏହି ପାରିବାରିକ କଲହର ଆପୋଷ ସମାଧାନ ପାଇଁ ଗତ ୧୫ଜୁନରେ ଗାଁ କମିଟିରେ ବିଚାର ହୋଇଥିଲା। ଚାକିରୀ ଛାଡ଼ି ମମତାଙ୍କୁ ଗାଁରେ ସ୍ୱାମୀଙ୍କ ସହ ରହିବାକୁ କମିଟି ମମତାଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଏଥିରେ ମମତା କମିଟିର ଏହି ନିଷ୍ପତ୍ତିରେ ରାଜି ହୋଇ ନଥିଲେ ।
ପରେ ଗତ ଜୁଲାଇ ୪ତାରିଖ ଦିନ କମିଟି ପକ୍ଷରୁ ଗାଁ’ରେ ଧେଣ୍ଡୁରା ଦେଇ ଭଗବାନଙ୍କ ପରିବାରଙ୍କୁ ବାସନ୍ଦ କରାଯାଇଥିବା ଘୋଷଣା କରାଯାଇଥିଲା । ଏନେଇ ଭଗବାନ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ମୁଖ୍ୟମନ୍ତ୍ରୀ, ପୋଲିସ ଡ଼ିଜି, ଗଞ୍ଜାମ ଜିଲାପାଳ, ଗଞ୍ଜାମ ଏସପିଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ଦୀର୍ଘ ୩ମାସରୁ ଉର୍ଧ୍ବ କାଳ ଧରି ଚିଠିଦ୍ୱାରା ଅବଗତ କରାଯାଇଥିଲେ ମଧ୍ୟ କୌଣସି ସମାଧାନର ସୁତ୍ର ବାହାରି ପାରିନଥିଲା । ଫଳରେ ପରିସ୍ଥିତି ଗମ୍ଭିରତା ଆଡ଼କୁ ଗତି କରିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ ସରକାର ଯୋଜନାର ଗୁରୁତ୍ୱକୁ ଉପଲବ୍ଧି କରି ଘଟଣାର ସମାଧାନ ସକାଶେ ରବିବାର ପୂର୍ବାହ୍ନରେ ପୋଲିସ ପ୍ରଶାସନିକ ସ୍ତରରେ ମଧ୍ୟ ଉଦ୍ୟମ କରାଯାଇଥିଲା। ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ହିଂଜିଳିକାଟୁ ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ, ବଡ଼ଖଣ୍ଡି ସରଂପଚ କେ, ଦୁର୍ଗା ପ୍ରସାଦ ରାଓ, ପ୍ରକ୍ତନ ସରଂପଚ ପି. ତୁମ୍ବନାଥ, ହିଂଜିଳି ଥାନା ଏସ.ଆଇ ପ୍ରଦିପ୍ତ କୁମାର ଦାଶ ଓ ଗ୍ରାମ୍ୟ କମିଟି ସଦସ୍ୟ ମିଳିତ ହୋଇ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅଭିଯୋଗକାରୀ ନାଡ଼ି ଭଗବାନଙ୍କ ପରିବାର ବାସନ୍ଦ ଅଭିଯୋଗ ଉପରେ ଲିଖିତ ସ୍ପଷ୍ଟୀକରଣ ଦେଇଥିଲେ । ସ୍ପଷ୍ଟୀକରଣ ପତ୍ରାନୁଯାୟୀ ନାଡ଼ି ଭଗବାନଙ୍କ ପରିବାର ପ୍ରତି ସାମାଜିକ ବାସନ୍ଦ ଅପପ୍ରଚାର ସମ୍ପୁଣ୍ଣ ମଥ୍ୟା ଓ କପୋଳକଳ୍ପିତ। ଏବଂ ଏଭଳି ମିଥ୍ୟା ଅପପ୍ରଚାର ଯୋଗୁଁ ଗାଁ ବଦନାମ ହୋଇଥିବାରୁ ଗ୍ରାମବାସୀ ମର୍ମାହତ ବୋଲି ଉଲ୍ଲେଖ କରିଛନ୍ତି । ନାଡ଼ି ଭଗବାନଙ୍କ ପରିବାର ଗ୍ରାମରେ ବସବାସ କଲେ ଗ୍ରାମବାସୀଙ୍କ ତରଫରୁ କୌଣସି ଅଭିଯୋଗ କରାଯିବ ନାହିଁ କିମ୍ବା ଭବିଷ୍ୟତରେ ପ୍ରତିରୋଧ କରାଯିବ ନାହିଁ ବୋଲି ସ୍ପଷ୍ଟୀକରଣ ପତ୍ରରେ ଉଲ୍ଲେଖ କରିଛନ୍ତି । ଗ୍ରାମବାସୀ, ନାଡ଼ି ଭଗବାନଙ୍କ ଦ୍ୱାରା କରାଯାଇଥିବା ଅପପ୍ରଚାରକୁ ବନ୍ଦ କରି ଗ୍ରାମ୍ୟ ମର୍ଯ୍ୟଦାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ନିବେଦନ କରିଛନ୍ତି । ଗ୍ରାମ୍ୟ କମିଟି ସଦସ୍ୟଙ୍କ ବିଚାର ବିମର୍ଷ ପରେ ଏକ ସ୍ୱାକ୍ଷର ସମ୍ବଳିତ ସ୍ପଷ୍ଟୀକରଣ ପତ୍ରକୁ ବ୍ଳକ ଅଧ୍ୟକ୍ଷ, ସରଂପଚ ଓ ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକଙ୍କ ଉପସ୍ଥିତିରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।
ପ୍ରକାଶ ଥାଉକି, ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମରେ ଗ୍ରାମ୍ୟ କମିଟି ନିଷ୍ପତିରେ ଗୋଟିଏ ପରିବାର ଦୁର୍ବିସହ ଜୀବନ କାଟୁଛନ୍ତି । ଝିଅର ବ୍ୟକ୍ତିଗତ ଜୀବନରେ ଦଖଲ କରି ଗ୍ରାମ୍ୟ କମିଟି ବାପ ମାଆଙ୍କ ଉପରେ ବାସନ୍ଦ ଭଳି ଚରମ ନିଷ୍ପତି ଶୁଣାଇଛନ୍ତି । ୫ହଜାର ୫ଶହ ଜରିମାନା କରିବା ସହ ଗାଁରେ ଧଣ୍ଡୁରା ଦେଇ ସାମାଜିକ ବାସନ୍ଦ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଗତ ଜୁଲାଇ ମାସ ୪ତାରିଖରୁ ଗ୍ରାମର ନାଡ଼ି ଭଗବାନଙ୍କ ପରିବାରଙ୍କୁ ସାମାଜିକ ବାସନ୍ଦ ହୋଇଥିବାରୁ ପରିବାର ଲୋକେ ଅନ୍ୟତ୍ର ରହୁଛନ୍ତି । ଚଳିତ ବର୍ଷ ବାସନ୍ଦ ପରିବାରର ଚାଷ ଜମିକୁ କୌଣସି ମୂଲିଆ ନ ଆସିବାରୁ ବିଲ ପଡ଼ିଆ ପଡ଼ିଛି । ଉପରିସ୍ଥ ଅଧିକାରୀ ଘଟଣାର ସମାଧାନ ସହ ସେମାନଙ୍କ ଗ୍ରାମରେ ବଂଚିବାକୁ ଦେବାକୁ ନାଡ଼ି ଭଗବାନ ଓ ତାଙ୍କ ସ୍ତ୍ରୀ ନାଡ଼ି ରାଜେଶ୍ୱରୀ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here