ନକଲି ସୁନାମାଳି ଦେଇ ଅସଲି ସୁନାମାଳି ଠକି ନେଲେ ଛତିଶିଗଡ଼ ମହିଳା;୪ ଗିରଫ

0
681

ହିଞ୍ଜିଳିକାଟୁ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ନୂଆ ବୁରୁପୋଡ଼ା ଗ୍ରାମ ଅଞ୍ଚଳରେ ମାଳି ଗୁନ୍ଥିବା ଆଳରେ ଠକେଇ ହୋଇଛି। ସୁନାମାଳି ବଦଳରେ ନକଲି ମାଳି ଦେଇଥିବା ଅଭିଯୋଗରେ ଶୁକ୍ରବାର ସ୍ଥାନୀୟ ପୋଲିସ ୪ ଜଣ ଅଣଓଡ଼ିଆ ମହିଳାଙ୍କୁ ଗିରଫ କରିଛି। ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂଚନା ଅନୁସାରେ,ଅଭିଯୁକ୍ତମାନେ ଛତିଶଗଡ଼ ରାଜ୍ୟ ସରଭୁଜା ଜିଲ୍ଲା ଅମ୍ବିକାପୁର ଥାନା ଟିକିରା ଗ୍ରାମର ଶିବ କୁମାରୀ, ଶିବ ବାଇ, ଅନସୂୟା ଓ ଗଳେଶ୍ୱରୀ ବାଇ । । ସେମାନେ ଗ୍ୟାଙ୍ଗ୍ ହୋଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମହୁ ବିକିବା,ସୁନାମାଳି ଗୁନ୍ଥିବା ଓ ସୁନା ଅଳଙ୍କାର ସଫାକରିବା ବାହାନାରେ ଲୁଟ୍ କରନ୍ତି ବୋଲି ଜଣାପଡିଛି । ନୂଆ ବୁରୁପଡ଼ା ଗ୍ରାମର କାଳୁଚରଣ ନାହାକଙ୍କ ଘରକୁ ଶୁକ୍ରବାର ପୂର୍ବାହ୍ନରେ ୪ମହିଳା ଆସି ତାଙ୍କ ମାଆ ଶାନ୍ତିଙ୍କୁ ମାଳି ଗୁନ୍ଥିବା ନିମନ୍ତେ କହିଥିଲେ। ଶାନ୍ତି ସେମାନଙ୍କୁ ଏକ ଖାସୁ ମାଳି ଗୁନ୍ଥିବା ପାଇଁ ଦେଇଥିଲେ। ସେମାନେ ସୁନାମାଳିକୁ କୌଶଳରେ ଲୁଟି ନେଇ ଏକ ନକଲି ଖାସୁ ମାଳି ଶାନ୍ତିଙ୍କୁ ଦେଇ ଚାଲିଯାଇଥିଲେ। ଏ ସମ୍ପର୍କରେ କାଳୁ ଜାଣିବା ପରେ ହିଞ୍ଜିଳି ପୋଲିସକୁ ତୁରନ୍ତ ଖବର ଦେଇଥିଲେ। ପୋଲିସ ଅଭିଯୁକ୍ତମାନଙ୍କ ପିଛା କରି ବୁରୁପଡ଼ାଠାରୁ କାବୁ କରିବା ସହ ସେମାନଙ୍କ ଠାରୁ ଲୁଟ୍ ସୁନାମାଳି ଜବତ କରିଛି। ଥାନାରେ କେସ୍ ନଂ.୨୮୪/୧୯ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଶୁକ୍ରବାର ରାତିରେ ଅଭିଯୁକ୍ତ ୪ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here