ଖୋଜାପଲ୍ଲୀ ଗୁଳିକାଣ୍ଡର ପର୍ଦ୍ଦାଫାଶ;୪ଗିରଫ

0
695

ଗଞ୍ଜାମ /ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ହୋଇଥିବା ଗୁଳିକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ପଞ୍ଚାୟତ ଉପନିର୍ବାଚନ, ପିଇଓଙ୍କ ସହ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ପୋଲିସ କହିଛି । ପିଇଓ ନିରଞ୍ଜନ ସେଠୀ ଜାଲ ମାଟ୍ରିକ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଅଭିଯୋଗ ଯୋଗୁଁ ଏହି ଘଟଣା ଘଟିଛି ।

ପୋଲିସ ଅନୁସନ୍ଧାନରୁ ଏହି ଘଟଣା ଖୋଜାପଲ୍ଲୀ ପଞ୍ଚାୟତ ଉପନିର୍ବାଚନକୁ ନେଇ ହୋଇଥିବା ଜଣାପଡିଥିଲା । ବିଜୟୀ ସରପଞ୍ଚ ଗୋଷ୍ଠୀ ଓ ପରାଜିତ ସରପଞ୍ଚ ଗୋଷ୍ଠୀ ମଧ୍ୟରେ ଉପନିର୍ବାଚନ ପରଠାରୁ ଉତେଜନା ଲାଗିରହିଥିଲା । ଗୁଳିମାଡରେ ଆହତ ହୋଇଥିବା ନୀଳକଣ୍ଠ ଗତ ଜାନୁଆରୀ ମାସରେ ଏକ ମାମଲାରେ ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । ସେଠାରୁ ଫେରିବା ପରେ ନୀଳକଣ୍ଠ ପିଇଓ ଶ୍ରୀ ସେଠୀ ଜାଲ ମାଟ୍ରିକ ସାର୍ଟିଫିକେଟ ଦେଇ ଚାକିରୀ କରିଥିବାରୁ ତାଙ୍କୁ ଚ୍ୟାଲେଞ୍ଜ କରିଥିଲେ । ଉପନିର୍ବାଚନର ପରାଜୟ ଓ ଜାଲ ସାର୍ଟିଫିକେଟରେ ଚାକିରୀ କରିଥିବା ଚ୍ୟାଲେଞ୍ଜକୁ ନେଇ ଶ୍ରୀ ସେଠୀ ନିଳକଣ୍ଠଙ୍କୁ ରାସ୍ତାରୁ ହଟାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଏଥିପାଇଁ ସେ ସୁପାରି କିଲରକୁ ନିଯୁକ୍ତ କରିଥିଲେ । ପୋଲିସ ମୋବାଇଲ ଟ୍ରାକିଂ କରି ଖଲ୍ଲିକୋଟ ଥାନା ଡି.ନୂଆପଲ୍ଲୀ ଗ୍ରାମର ସୁପାରୀକିଲର ନିଳକଣ୍ଠ ଶବର, ଖୋଜାପଲ୍ଲୀ ଗ୍ରାମର ପିଇଓ ଶ୍ରୀ ସେଠୀ , ଖୋଜାପଲ୍ଲୀ ଗ୍ରାମର ଗଣେଶ ପ୍ରଧାନ ଓ କୋଦଳା ଥାନା କୁମାରୀପାରି ଗ୍ରାମର ଶାନ୍ତନୁ ତାରିଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସେମାନଙ୍କ ଠାରୁ ୨ଟି ବାଇକ, ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଅଫୁଟା ଗୁଳି, ଗୋଟିଏ ଖାଲି ଗୁଳି ଓ ୬ଟି ମୋବାଇଲ ଫୋନ ଜବତ କରିଛି । ଏହି ଘଟଣାର ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ବର୍ତମାନ ସୁଦ୍ଧା ଫେରାର ଅଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here