ଡାକ୍ତର ପରିଚୟ ଦେଇ ଖୋଲିଥିଲେ ବେଆଇନ କ୍ଳିନିକ : ଅଭିଯୋଗ ପରେ ନକଲି ଡାକ୍ତର ଗିରଫ

0
883

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମରେ ଜଣେ ଯୁବକ ଶିକ୍ଷାଗତ ଯୋଗ୍ୟତା ନଥାଇ ନିଜକୁ ଡାକ୍ତର ପରିଚୟ ଦେଇ ଖୋଲିଥିଲେ ବେଆଇନ କ୍ଳିନିକ । ଏପରିକି ଅଭିଯୋଗ ପରେ ଦିଗପହଣ୍ଡି ପୋଲିସ ସଂପୃକ୍ତ ନକଲି ଡାକ୍ତର ଜଣକୁ ଗିରଫ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଗିରଫ ନକଲି ଡାକ୍ତର ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡା ଗ୍ରାମର ଶୁଭ୍ରଜିତ୍ ପଣ୍ଡା ବୋଲି ସୂଚନା ଆସିପାରିଛି । ଖବରପ୍ରକାରେ , ଅଭିଯୁକ୍ତ ଶୁଭ୍ରଜିତଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ରହିଥିବା ବେଳେ ସେ କୌଣସି ଡ଼ାକ୍ତର ପାଠ ପଢି ନାହାନ୍ତି । କେବଳ ଅର୍ଥ ଲାଳସାରେ ଢେଙ୍କାନାଳରୁ ଆସି ନିରୀହ ଲୋକମାନଙ୍କ ଜୀବନ ସହ ଗତ ୬ ବର୍ଷ ହେଲା ଡେଙ୍ଗାଓସ୍ତା ଗ୍ରାମରେ ଏକ ଘରୋଇ କ୍ଳିନିକରେ ରୋଗୀ ଚିକିତ୍ସା କରି ଆସୁଥିଲେ। ଏପରିକି ନିକଟସ୍ଥ ଛଣମେରୀ ଗ୍ରାମର ସିମାଞ୍ଚଳ ସାହୁଙ୍କ ମାଆଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସେ ଉକ୍ତ କ୍ଳିନିକକୁ ଆଣିଥିଲେ । ତେବେ ନକଲି ଡାକ୍ତର ଶୁଭ୍ରଜିତ ତାଙ୍କୁ ଚିକିତ୍ସା କରିବା ସହ କିଛି ଇଞ୍ଜେକସନ ଓ ଔଷଧ ମଧ୍ୟ ସେବନ ପାଇଁ ଦେଇଥିଲେ । ତେବେ ଔଷଧ ସେବନ ପରେ ସିମାଞ୍ଚଳଙ୍କ ମାଆଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଯାହାଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା । ଯାହାକୁ ନେଇ ସିମାଞ୍ଚଳ ନକଲି ଡାକ୍ତର ତଥା କ୍ବାକ ଉପରେ ସନ୍ଦେହ କରି ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଏତଲାକୁ ଭିତ୍ତିକରି ପୋଲିସ ଥାନା କେସ୍ ନଂ ୨୫୭/୨୩ ପ୍ରକାରେ ମାମଲା ରୁଜୁ କରିଥିଲା । ଆଜି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରାଙ୍କ ନେତୃତ୍ବରେ କର୍ମୀମାନେ ଉକ୍ତ କ୍ଳିନିକ ଉପରେ ଅତର୍କିତ ଚଢ଼ାଉ କରିବା ସହ ନକଲି ଡାକ୍ତରଙ୍କ କାଗଜପତ୍ର ଯାଞ୍ଚ କରିଥିବା ବେଳେ ବିଭିନ୍ନ ମେଡିକାଲ କଲେଜର ନକଲି ସାର୍ଟିଫିକେଟ ଓ ଗୁରୁତ୍ୱପୂର୍ଣ୍ଣ କାଗଜକୁ ଜବତ କରିଥିବା ଜଣାପଡିଛି । ଏପରିକି ପୋଲିସ ସେ ରହୁଥିବା ଘର ସମେତ ତାଙ୍କ ପୈତୃକ ଘର ସଣ୍ଡା ଗ୍ରାମର ଘରେ ମଧ୍ୟ ପୋଲିସ ରେଡ଼ କରି ତଦନ୍ତ ଚଳାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ପୋଲିସ ଶୁଭ୍ରଜିତଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଥିବା ବେଳେ ସୋମବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here