ମନରେଗା କାର୍ଯ୍ଯରେ ବ୍ଯାପକ ଦୁର୍ନୀତି ଅଭିଯୋଗ ; ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତଦନ୍ତ

0
686

ଦିଗପହଣ୍ଡି: ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟର ବିଭିନ୍ନ ପଞ୍ଚାୟତରେ ବର୍ମତ୍ତମାନ ମନରେଗା କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଗଡଗୋବିନ୍ଦପୁର ପଞ୍ଚାୟତରେ ମଧ୍ୟ ଉକ୍ତ ଯୋଜନାରେ ବ୍ଯାପକ ଦୁର୍ନୀତି ଓ ଟଙ୍କା ହରିଲୁଟ ହୋଇଥିବା ପଞ୍ଚାୟତ ବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଯାହାଫଳରେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ପ୍ରଧାନ ଗଡଗୋବିନ୍ଦପୁର ପଞ୍ଚାୟତ ପରିଭ୍ରମଣ କରି ହୋଇଥିବା ଅଭିଯୋଗର ତଦନ୍ତ କରିଥିଲେ । ଖବରପ୍ରକାରେ , ଗଡଗୋବିନ୍ଦପୁର ପଞ୍ଚାୟତର ଦୁର୍ନୀତି ସମ୍ବନ୍ଧରେ ସ୍ଥାନୀୟ ସ୍ଵେଚ୍ଛାସେବୀ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବା ସହିତ ଲୋକାୟୁକ୍ତରେ ମଧ୍ୟ ଅଭିଯୋଗ କରିଥିଲେ । ଦୀର୍ଘ ଦିନ ଧରି ହୋଇଥିବା ଏହି ଅଭିଯୋଗ ଉପରେ ବିଳମ୍ବରେ ହେଲେ ମଧ୍ୟ ଆଜି ଏପିଡି ତିନୋଟି ପ୍ରକଳ୍ପ କାମର କ୍ଷେତ୍ର ପରିଦର୍ଶନ କରିଥିଲେ । ପଞ୍ଚାୟତ ଅନ୍ତର୍ଗତ କଳିଙ୍ଗ ଦଳାର ବାହୁଦା ଆନିକଟ କେନାଲର ମେଟାଲ୍ ମୋରମ ରାସ୍ତା ପ୍ରକଳ୍ପ , ଧାନ୍ୟରାଶି ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ପାର୍କ ନିର୍ମାଣ , ଗ୍ରାମ୍ଯ ଉନ୍ନୟନ ରାସ୍ତା ଠାରୁ ବୁଡିଘାଈ ପର୍ଯ୍ୟନ୍ତ ରାସ୍ତା ପ୍ରକଳ୍ପ ନେଇ କ୍ଷେତ୍ର ପରିଦର୍ଶନ କରିବା ପରେ ପ୍ରକଳ୍ପ କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ରେକର୍ଡ ପତ୍ର ସାଙ୍ଗରେ ଧରି ଚାଲିଯାଇଥିବା ଜଣାପଡିଛି । ଏହି ପରିଦର୍ଶନ ସମୟରେ ଦିଗପହଣ୍ଡି ବିଡ଼ିଓ ଡ . ଚିତ୍ତରଞ୍ଜନ ଦାସ ଏବଂ ସହକାରୀ ଯନ୍ତ୍ରୀ ଇଂ . ରାଜୀବ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।କେବଳ ଗୋଟିଏ ପଞ୍ଚାୟତର ମନରେଗା କାମରେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ହୋଇଥିବା ଦୁର୍ନୀତି ଅଭିଯୋଗକୁ ଆକଳନ କଲେ ସମଗ୍ର ଦିଗପହଣ୍ଡି ବ୍ଲକ କିଛି ଅସାଧୁ ଅଧିକାରୀ , ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କିଭଳି ସ୍ବଚ୍ଛତାର ସହ ଆଗେଇ ଚାଲିଛି ତାହା ସ୍ପଷ୍ଟ ଅନୁମେୟ ହୋଇପଡିଛି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here