ଗୋକର୍ଣ୍ଣପୁର ସମିତି ସଭ୍ୟ ଉପ ନିର୍ବାଚନ ନିମନ୍ତେ ୬ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

0
1404

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ସମିତି ସଭ୍ୟ ଉପ ନିର୍ବାଚନ ପାଇଁ ବର୍ତ୍ତମାନ ବିଭିନ୍ନ ଦଳ ମଧ୍ୟରେ ଅଙ୍କ କଷାକଷି ଚାଲି ଚାଲିଥିବା ସୋମବାର ଦିନ ୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଖବରପ୍ରକାରେ , ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ଗତ ଜୁନ୍ ୧୧ ତାରିଖରେ ଅକାଳ ବିୟୋଗ ପରେ ଦୀର୍ଘ ଦିନ ଧରି ଉକ୍ତ ପଦବୀ ଖାଲି ପଡିଥିବା ବେଳେ ବର୍ତ୍ତମାନ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ ଏହି ଦାୟିତ୍ବ ତୁଲାଉଛନ୍ତି । ଅପରପକ୍ଷରେ ଏହି ଉପ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ରହିଥିବା ବେଳେ ପ୍ରାର୍ଥୀ ମାନେ ସେମାନଙ୍କ ଦଳବଳ ସହ ଶୋଭାଯାତ୍ରାରେ ଆସି ବ୍ଳକ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି । ନାମାଙ୍କନ ପାଇଁ ତିନୋଟି ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଦିନରେ ଏଚ୍. ପୂର୍ଣ୍ଣଚନ୍ଦ୍ର ରେଡ୍ଡୀ ନାମାଙ୍କନ ଦାଖଲ କରିଥିଲେ । ଆଜି ଶେଷ ଦିବସରେ ବିପିନ ପ୍ରଧାନ ସମର୍ଥିତ ବିଜେଡି ପ୍ରାର୍ଥୀ ଅସିତ କୁମାର ସାହୁ ବିଶାଳ ଶୋଭାଯାତ୍ରା ସହ ବାଦ୍ଯ ବାଦଣା ସହକାରେ ବ୍ଳକରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସମେତ ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ବରିଷ୍ଠ ବିଜେଡି କର୍ମୀ ଶମ୍ଭୁନାଥ ପଣ୍ଡା , ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ ପ୍ରମୁଖ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ସେହିପରି ବିପ୍ଳବ ପାତ୍ରଙ୍କ ସମର୍ଥିତ ବିଜେଡି ପ୍ରାର୍ଥୀ ତଥା ସ୍ବର୍ଗତ ଅଧ୍ଯକ୍ଷାଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ସେଠୀ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହିପରି ବିଜେପି ସମର୍ଥିତ ପ୍ରାର୍ଥୀ ବଛା . ରାମହରି ଦୋରା ଓ ଡି . ନରସିଂହ ଦୋରା ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ବାଇନାଥ ଦୋରା ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଏହି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ବିଜେପି ପକ୍ଷରୁ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ସିଦ୍ଧାନ୍ତ ଗଙ୍ଗଦେଓ , ଜିଲ୍ଲା ଉପସଭାପତି ପରେଶ ଚନ୍ଦ୍ର ରଥ , କର୍ମୀ ମିଟୁ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here