ସୁରତରେ ଓଡ଼ିଆ ଶ୍ରମିକଙ୍କ ଆତ୍ମହତ୍ୟା

0
547

ଗଞ୍ଜାମ:ଗୁଜରାଟ ରାଜ୍ୟର ସୁରତରେ ଜଣେ ଓଡ଼ିଆ ଦାଦନ ଶ୍ରମିକ ଗତ ୧୨ ତାରିଖ ସନ୍ଧ୍ୟାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଶ୍ରମିକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମର ବାଇରି ବେହେରା (୪୫) ବୋଲି ଖବର ମିଳିପାରିଛି । ଖବରନୁଯାୟୀ , କୁମ୍ଭାର ସାହି ବାସିନ୍ଦା ସ୍ବର୍ଗତ ବେହେରା ପରିବାର ପ୍ରତିପୋଷଣ ପାଇଁ ଦୀର୍ଘ ୭ ବର୍ଷ ହେଲା ସୁରତ ଯାଇ ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ ଗତ ଦୁଇ ମାସ ତଳେ ତାଙ୍କ ବାପାଙ୍କ ମୃତ୍ୟୁ ଖବର ପାଇ ଗ୍ରାମକୁ ଫେରି ଆସିଥିଲେ । ଶୁଦ୍ଧ କାର୍ଯ୍ୟ ସରିବାର ଦେଢ଼ ମାସ ପରେ ସେ ପୁଣିଥରେ ଦାଦନ ଖଟିବାକୁ ସୁରତ ଯାଇଥିଲେ । ତେବେ ୧୨ ତାରିଖ ଦେହ ଖରାପ କହି କାମକୁ ଯାଇନଥିବା ବେଳେ ଅପରାହ୍ନରେ ରୁମରେ ରହୁଥିବା ଅନ୍ୟମାନେ ଆସି ଦୀର୍ଘ ସମୟ ଧରି କବାଟ ବାଡେଇବା ପରେ କବାଟ ନ ଖୋଲିବା ପରେ ସନ୍ଦେହ ଜାତ ହେବାରୁ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶିବା ପରେ ଦେଖିବାକୁ ପାଇଥିଲେ ଯେ , ଯୁବକ ଜଣକ ନିଜ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିଲା । ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିଲା । ଅନ୍ୟପକ୍ଷରେ ଗ୍ରାମରେ ରହୁଥିବା ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁ ଖବର ପାଇଥିଲେ ମଧ୍ୟ ସ୍ବାମୀଙ୍କୁ ଦେଖିବା ଓ ଶବ ଆଣିବା ପାଇଁ ପାଖରେ ଅର୍ଥରାଶିର ଅଭାବ ରହିଥିଲା । ଏଭଳି ଦୁଃଖଦ ସମୟରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ସହାୟତା ଲୋଡ଼ିଥିଲେ । ଏହାପରେ ସରପଞ୍ଚ ଶ୍ରୀ ଗୈାଡ ସେଠାକାର ପୋଲିସ ସହ ଫୋନ ଯୋଗେ କଥାବାର୍ତ୍ତା ହେବାପରେ ତାଙ୍କ ଶଶୁର ଘରଙ୍କ ଉପସ୍ଥିତିରେ ଶବକୁ ଛଡ଼ା ଯାଇଥିଲା । ଏହାପରେ ଏତେ ଦୂର ଶବକୁ ଆଣିବା ବହୁ କଷ୍ଟକର ହେବାରୁ ସେଠାରେ ହିଁ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here