ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ ଯୁବକ

0
1447

ଗଞ୍ଜାମ:କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତକ ଓ ଆହତଙ୍କ ଚିକିତ୍ସା ନିମନ୍ତେ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ଦିଗପହଣ୍ଡି ଅଞ୍ଚଳର ଜଣେ ଯୁବକ । ଯୁବକ ଜଣକ ହେଲେ ଦିଗପହଣ୍ଡି ଏନ୍ ଏସି ୬ ନମ୍ବର ୱାର୍ଡର ସହଦେବ ମହାରଣାଙ୍କ ପୁଅ ହିମାଂଶୁ ଚନ୍ଦ୍ର ମହାରଣା । ଖବରନୁଯାୟୀ , ଗତ ଜୁନ୍ ୨ ତାରିଖ ସନ୍ଧ୍ୟା ସମୟରେ ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରହିଥିବା ମାଲବାହୀ ଟ୍ରେନକୁ ଧକ୍କା ଦେବାପରେ କିଛି ବଗି ଓଲଟି ପଡିଥିଲା । ଏପରିକି ବିପରୀତ ଦିଗରୁ ଆସୁଥିବା ୟଶବନ୍ତପୁର ହାୱଡା ଟ୍ରେନ ମଧ୍ୟ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଘଟଣାସ୍ଥଳରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଉର୍ଦ୍ଧ୍ଵ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଆହତଙ୍କ ମଧ୍ୟରୁ ବହୁ ଯାତ୍ରୀ ଚିକିତ୍ସା ପରେ ନିଜସ୍ଵ ଘରକୁ ଫେରୁଥିବା ବେଳେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ମେଡିକାଲରେ ଗୁରୁତର ଆହତ ମାନେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏଭଳି ଦୁଃଖଦ ସମୟରେ ସେମାନଙ୍କ ଚିକିତ୍ସା ନିମନ୍ତେ ଦେଶ ତଥା ରାଜ୍ଯର ବିଭିନ୍ନ ବର୍ଗରୁ ଲୋକେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତାର ରାଶି ଯୋଗାଇ ଆସୁଥିବା ବେଳେ ହିମାଂଶୁ ଆଜି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ଚିତ୍ତରଞ୍ଜନ ଦାସଙ୍କ ଜରିଆରେ ୧ ଲକ୍ଷ ଟଙ୍କାର ଏକ ଚେକ୍ ସହାୟତାର ହାତ ବଢାଇ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଯୁବକଙ୍କ ଏଭଳି ମହନୀୟତା କାର୍ଯ୍ୟ ପାଇଁ ବିଭିନ୍ନ ସ୍ତରରୁ ପ୍ରଶଂସାର ସୁଅ ଛୁଟୁ ଆସୁଥିବା ଜଣାପଡିଛି । ଏହି ସମୟରେ ଅତିରିକ୍ତ ବିଡ଼ିଓ ପ୍ରଶାନ୍ତ ରଥ ଓ ଆକାଉଣ୍ଟ ଅଫିସର ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here