ନିୟନ୍ତ୍ରଣ ବାହାରେ କର୍ମଚାରୀ ଚିକିତ୍ସାସେବାରୁ ବଞ୍ଚିତ ହୋଇ ଫେରୁଛନ୍ତି ରୋଗୀ। ଏମ୍ କେ ସି ଜି ମେଡିକଲର ଗୁମର।

0
714

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ) (ଶକ୍ତିଧର ରାଜଗୁରୁ): ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ରେଫେରାଲ ହସ୍ପିଟାଲ ବ୍ରହ୍ମପୁରର ଏମ୍ କେ ସି ଜି ମେଡିକାଲ। ନାହିଁ ନାହିଁରେ ଚାଲିଛି ଏହି ଡାକ୍ତରଖାନା। କେତେବେଳେ ଡାକ୍ତରଙ୍କ ଅଭାବ ତ ଆଉ କେତେବେଳେ ଯନ୍ତ୍ରପାତିର ଅଭାବ କାରଣରୁ ଦୂରଦୂରାନ୍ତରୁ ଚିକିତ୍ସା ସେବା ପାଇଁ ଏଠାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏବେ କିନ୍ତୁ ଏହି ସମସ୍ୟାରେ ଆଉ ଏକ ନୂଆ ଅଭାବ ଯୋଡି ହୋଇଯାଇଛି। ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ଓ ସୁବିଧାରେ ଉନ୍ନତ ମାନର ଚିକିତ୍ସାସେବା ଯୋଗାଇଦେବା ପାଇଁ ଯଦିଓ ଅନେକ ଯୋଜନା ଆରମ୍ଭ କରିଛନ୍ତି ତାହା ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ଏଠି ସ୍ପଷ୍ଟ ହୋଇଛି। ଠିକ ସମୟରେ କର୍ମଚାରୀ ଡାକ୍ତରଖାନାକୁ ଆସୁନଥିବା ଯୋଗୁଁ ଦୂରଦୂରାନ୍ତରୁ ଏଠିକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଦୀର୍ଘ ସମୟ ଅପେକ୍ଷା କରିବା ସହ ପରେ ନିରାଶ ହୋଇ ଫେରିବାକୁ ପଡୁଛି। ଡାକ୍ତରଖାନାର ବର୍ହି ଚିକିତ୍ସା ବିଭାଗ ହେଉ ଅଥବା ଆର ଡି ସି ଏପରିକି ଏକ୍ସରେ, ଏମ୍ ଆର ଆଇ, ସିଟି ସ୍କାନ ଓ ଅଲ୍ଟ୍ରାସାଉଣ୍ଡ ଆଦି ପରୀକ୍ଷା କେନ୍ଦ୍ରରେ ଯନ୍ତ୍ରପାତିର ଅଭାବ ଓ ସଠିକ ସମୟରେ କର୍ମଚାରୀ ଆସୁନଥିବାରୁ ଲୋକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ସବୁଠାରୁ ବଡ଼ କଥା ହେଉଛି ଡାକ୍ତର ଖାନାରେ ଏହି ବିଭାଗର କିଛି କର୍ମଚାରୀ ନିଜ ଦାୟିତ୍ୱ ଠିକ ଭାବେ ତୁଲାଇବା ପରିବର୍ତ୍ତେ ବାହାରେ ଘରୋଇ ନର୍ସିଂହୋମ ଗୁଡିକରେ କାମ କରୁଛନ୍ତି। ଏଣୁ ନିୟନ୍ତ୍ରଣ ବାହାରେ ଥିବା ଏଭଳି କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏହି ସମସ୍ୟାର ତୁରନ୍ତ ସମାଧାନ କରି ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here