ପୂଜ୍ୟ ପୂଜା ସମିତି ପକ୍ଷରୁ ସାବିତ୍ରୀବାଇ ଫୁଲେ ସ୍ମୃତି ସଭା

0
182

ବ୍ରହ୍ମପୁର: ଭାରତବର୍ଷର ପ୍ରଥମ ଶିକ୍ଷିକା, ସମାଜ ସୁଧାରିକା, ପ୍ରଥମ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ସାବିତ୍ରୀବାଇ ଫୁଲେଙ୍କ ମୃତ୍ୟୁ ଦିବସରେ ପୂଜ୍ୟ ପୂଜା ସମିତି ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରିବାସହ ବିଜିପୁର କାଳୁଆସାହି ସ୍ଥିତ କମ୍ୟୁନିଟି ହଲଠାରେ ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ସ୍ମୃତିସଭା ଆୟୋଜନ ହୋଇଯାଇଛି l 1848ମସିହାରେ ସାବିତ୍ରୀବାଇ 9 ଜଣ ଛାତ୍ରୀଙ୍କୁ ନେଇ ଭାରତବର୍ଷରେ ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନା କରିଥିଲେ l ସେହି ସମୟରେ ଝିଅମାନେ ପାଠ ପଢିବାକୁ ସମାଜ ଗ୍ରହଣ କରୁନଥିଲା l ଏଣୁ ସବର୍ଣ୍ଣ ଜାତିର ଲୋକମାନେ ଏହି କଥାକୁ ସହିନପାରି ସାବିତ୍ରୀବାଇ ସ୍କୁଲ କୁ ଗଲାବେଳେ ରାସ୍ତାରେ ତାଙ୍କ ଉପରକୁ ଗୋବର ଫିଙ୍ଗି ନାନାପ୍ରକାର ଅଶ୍ଳୀଳ ଗାଳି ଗୁଲଜ କରୁଥିଲେ, ଏଣୁ ବିଦ୍ୟାଳୟ ଗଲାବେଳେ ସାବିତ୍ରୀବାଇ ଆଉ ଗୋଟିଏ ସଫା ଲୁଗା ବେଗରେ ରଖୁଥିଲେ l ମହିଳାଙ୍କ ଅଧିକାର, ମର୍ଯ୍ୟାଦା ଓ ସାମାଜିକ ସୁରକ୍ଷା ପାଇଁ ମହିଳା ସେବା ମଣ୍ଡଳ ଗଠନ କରିଥିଲେ l ଜାତି ଜାତି ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପନ ସପକ୍ଷରେ ପ୍ରଚାର କରିବାସହ ଜାତିପ୍ରଥା ବିରୁଦ୍ଧରେ ସଚେତନତା ସୃଷ୍ଟି କରୁଥିଲେ l ସେହି ସମୟରେ ଆଉ ଏକ ହିଂସ୍ର ପରମ୍ପରା କନ୍ୟା ବାଳ ହତ୍ୟାକୁ ରୋକିବା ଲାଗି 1863ମସିହାରେ ଭାରତରେ ପ୍ରଥମେ ସାବିତ୍ରୀବାଇ “ବାଳହତ୍ୟା ପ୍ରତିବନ୍ଧକ ଗୃହ’ ପ୍ରତିଷ୍ଠା କରିଥିଲେ l ବାଲ୍ୟ ବିବାହ ଓ ସତିପ୍ରଥlର ସାବିତ୍ରୀବାଇ ଦୃଢ଼ ବିରୋଧୀ ଥିଲେ l ସାବିତ୍ରୀବାଇ ବାଳିକା ଶିକ୍ଷା ଅଭିଯାନ ପାଇଁ ସମଗ୍ର ଜୀବନ ଲଢ଼ିଥିଲେ ଓ ତାଙ୍କର ଏକମାତ୍ର ଲକ୍ଷ ଥିଲା ଯେ, ଘରୁ ଝିଅ ମାନଙ୍କୁ ବାହାରକୁ ଆଣିବା ଓ ଉଚ୍ଚ ଶିକ୍ଷିତା କରାଇବା l ଏଣୁ ବ୍ରିଟିଶ ସରକାର ତାଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ମାନିତ କରିଥିଲା l ସାବିତ୍ରୀବାଇ ହିଁ ପ୍ରଥମେ PTM (Parent Teacher Meeting )ପ୍ରକ୍ରିୟା ଗଠନ କରିଥିଲେ ଓ ଯେଉଁ ଝିଅ ମାନେ ଦିନରେ ବିଭିନ୍ନ କୃଷି ଓ ଶ୍ରମ କାର୍ଯ୍ୟରେ ଜଡିତ ଥିଲେ, ସେମାନଙ୍କ ପାଇଁ ପ୍ରଥମ Night School ଆରମ୍ଭ କରିଥିଲେ l 1897ମସିହାରେ ମହାରାଷ୍ଟ୍ରରେ ପ୍ଲେଗ ରୋଗ ମହାମାରୀ ରୂପ ନେଇଥିଲା l ସାବିତ୍ରୀବାଇ ଓ ତାଙ୍କ ପୁତ୍ର ଡା. ୟାସୱାନ୍ତ ପ୍ଲେଗ ରୋଗୀଙ୍କ ଜୀବନ ବଞ୍ଚାଇବାପାଇଁ ଗୋଟିଏ ହସ୍ପିଟାଲ ଖୋଲିଥିଲେ l ଜୀବନକୁ ବାଜିଲାଗାଇ ରାତିଦିନ ସେବାରେ ସାବିତ୍ରୀବାଇ ପ୍ଲେଗ ରୋଗରେ ଶିକାର ହୋଇପଡିଲେ ଓ 1897 ମସିହା ମାର୍ଚ୍ଚ 10ତାରିଖରେ ତାଙ୍କର ମୃତ୍ୟୁ ହେଲା l ମହିଳାଙ୍କ ଶିକ୍ଷା ପାଇଁ ସମଗ୍ର ଜୀବନକୁ ବାଜିଲଗାଇଥିବା ସାବିତ୍ରୀବାଇଙ୍କ ଚିର ସ୍ମରଣୀୟ ହୋଇରହିବେ l ଆଜିର ଏହି ସ୍ମୃତି ସଭାରେ ଏସ. ସlମ୍ବଶିବା ରାଓ, ବିଜୟ ଚନ୍ଦ୍ର ବିଶୋଇ, ଏମ. ଭେଙ୍କେଟରମଣ, ଏ. ସୁରେଶ, ସନ୍ତୋଷ କୁମାର ପାତ୍ର, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here