ବାଲିଆପଟାରେ ୧୨ ପରିବାର ଘର ପୋଡି ପାଉଁଶ , ସ୍ଥିତି ଅନୁଧ୍ୟାନ କଲେ ବିଡ଼ିଓ ଏବଂ ତହସିଲଦାର

0
250

ଭଞ୍ଜନଗର : ଭଞ୍ଜନଗର ବ୍ଲକ ବାରୁଡ଼ା ପଞ୍ଚାୟତ ବାଲିଆପଟା ଗ୍ରାମରେ ରବିବାର ମଧ୍ଯ ରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।ଘରେ ଥିବା ସମସ୍ତ ଆସବାବପତ୍ର, ଲୁଗାପଟା, ଧାନ, ଚାଉଳ,ଜିନିଷପତ୍ର ସମେତ ଗୋଟିଏ ବାଇକ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ସୂଚନା ମୁତାବକ ଗତ ରାତି ପ୍ରାୟ ୧୨ଟା ସମୟରେ ସମସ୍ତେ ନିଜ ନିଜ ଘରେ ଶୋଇଥିବା ବେଳେ ହାଠାତ୍ ନିଆଁ ଲାଗିଥିବା ଜାଣିପାରି ସେମାନେ ହତବାକ୍ ହୋଇ ଯାଇଥିଲେ।କିଛି ବୁଝିବା ଆଗରୁ ନିଆଁ ଘରକୁ ଘର ବ୍ୟାପି ହୁତୁ ହୁତୁ ହୋଇ ଜଳିବାରେ ଲାଗିଥିଲା।ଫଳରେ ଘର ଭିତରେ ଥିବା ସମସ୍ତ ଜିନିଷପତ୍ର ଉଦ୍ଧାର କରିବା ସମ୍ଭପର ନଥିଲା।ଖବର ପାଇ ଭଞ୍ଜନଗରରୁ ଅଗ୍ନିଶମ ବିଭାଗର ୧୨ଜଣ କର୍ମଚାରୀ ସେଠାରେ ପହଞ୍ଚି ଦୁଇଟି ଦମକଳ ଓ ଗୋଟିଏ ପମ୍ପ ସାହାଯ୍ୟରେ ଦୀର୍ଘ ୪ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।ଉକ୍ତ ରାତିରେ ବାଣ ଫୁଟୁଥିବା ଶବ୍ଦ ଶୁଭୁଥିବାରୁ ବାଣ ନିଆଁ ପଡ଼ି ଘରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକମାନେ ଅନୁମାନ କରୁଛନ୍ତି।ଅଗ୍ନି ବିପନ୍ନ ମାନେ ହେଲେ ଅଶୋକ ନାୟକ, କୃଷ୍ଣ ନାୟକ, ଦୟା ନାୟକ,ଗୟା ନାୟକ, ଗୋବିନ୍ଦ ନାୟକ, ତମ୍ବାଳ ନାୟକ,କାହ୍ନୁ ନାୟକ, କେଶବ ନାୟକ,ଜଗନ୍ନାଥ ବିଷୋୟୀ, ରାଧା ବିଷୋୟୀ,ବିଦେଶୀ ବିଷୋୟୀ ଓ ଭାଗ୍ୟ ବିଷୋୟୀ। ସୋମବାର ଭଞ୍ଜନଗର ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ଓ ତହସିଲଦାର ଅଚ୍ୟୁତାନନ୍ଦ ଯାନି ବାଲିଆପଟା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ରାଜସ୍ୱ ବିଭାଗ ପକ୍ଷରୁ ଜରିପାଲ ଓ ବ୍ଳକ ପ୍ରଶାସନ ତରଫରୁ ରାନ୍ଧଖାଦ୍ୟ ଯୋଗାଇ ଦିଆଯାଇଛି । ଅତିଶୀଘ୍ର ଅଗ୍ନି ବିପନ୍ନ ଙ୍କୁ କ୍ଷତିପୂରଣ ବାବଦରେ ୫ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ସହ ଆବଶ୍ୟକ ଥିବା ଲୁଗାପଟା ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ତହସିଲଦାର କହିଛନ୍ତି। ବ୍ଳକ ପ୍ରଶାସନ ପକ୍ଷରୁ ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନ ଙ୍କ ଦୁର୍ଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଆବାସ ଯୋଜନାରେ କ୍ଷତିଗ୍ରସ୍ତ ପରିବାର ମାନଙ୍କୁ ସାମିଲ କରାଯିବା ବୋଲି ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ସୂଚନା ଦେଇଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here