ଖଲିଙ୍ଗିରୁ ବିଦେଶୀ ମଦ ପ୍ରସ୍ତୁତି ୟୁନିଟ୍ ଠାବ,ଭିନ୍ନକ୍ଷମ ଅଭିଯୁକ୍ତ ଗିରଫ;୩୬ ଲିଟର ସ୍ପିରିଟ୍ ଜବତ

0
626

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶାକ୍ରମେ ବ୍ରହ୍ମପୁର ଅବକାରୀ ସୁପରିଟେଣ୍ଡେଣ୍ଟ୍ ବିବେକାନନ୍ଦ ନାୟକଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ସକାଳେ ଖଲିଙ୍ଗି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଧରପଗଡ କରାଯାଇଛି । ଗ୍ରାମର ନୂଆସାହି ସ୍ଥିତ ରାଧାକୃଷ୍ଣ ମନ୍ଦିର ନିକଟରେ ବେଆଇନ ଭାବେ ବିକ୍ରୀ କରୁଥିବା ବିଦେଶୀ ମଦ ଦୋକାନରେ ଚଢାଉ କରାଯାଇ ବିପୁଳ ପରିମାଣର ସ୍ପିରିଟ୍ ଜବତ କରାଯିବା ସହିତ ଅପମିଶ୍ରିତ ବିଦେଶୀ ମଦ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଅଭିଯୁକ୍ତ ଶିବାଜୀ ମହାନ୍ତି, ଯିଏକି ଜଣେ ଭିନ୍ନକ୍ଷମ ତାଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ସଂକ୍ରାନ୍ତରେ କେସନଂ ୨୯/୨୦୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ଘଟଣାରେ କିଏ କିଏ ସଂପୃକ୍ତି ଅଛନ୍ତି ଏବଂ ଏହାର ଚେର କେଉଁଆଡେ ଲମ୍ବିଛି ତାହାର ଖୋଲତାଡ ଚାଲିଥିବା ଦିଗପହଣ୍ଡି ଅବକାରୀ ଉପନିରୀକ୍ଷକ ଅଭିରାମ ସାହୁ କହିଛନ୍ତି । ଘଟଣାରେ ସମ୍ପୃକ୍ତ ମୂଖ୍ୟ ଅଭିଯୁକ୍ତଙ୍କୁ କାବୁ କରିବା ନେଇ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବାରୁ ତଦନ୍ତରେ ବାଧା ଆଶଙ୍କା କରି ଅଧିକା ତଥ୍ୟ ଦେବାକୁ ସେ ମନା କରିଦେଇଛନ୍ତି । ଘଟଣା ସ୍ଥଳରୁ ୧୮୦ ଏମଏଲର ୨୦୦ଟି ବିଭିନ୍ନ ବ୍ରାଣ୍ଡ୍ ର ନକଲି ବିଦେଶୀ ମଦ ବୋତଲ ଜବତ କରାଯାଇଛି । ପ୍ରକାଶ ଯେ, ଗ୍ରାମର ଶିବାଜୀ ମହାନ୍ତି ନିଜର ଅନ୍ୟ ଜଣେ ସହଯୋଗୀଙ୍କ ଦ୍ୱାରା ବିଭିନ୍ନ ହୋମିଓପାଥି ଦୋକାନ ମାନଙ୍କରୁ ବିପୁଳ ପରିମାଣର କନ୍ସନଟ୍ରେଟେଡ୍ ସ୍ପିରିଟ୍ ଆଣି ସେଥିରେ ରଙ୍ଗ ଏବଂ ପାଣି ମିଶ୍ରିତ କରି ବେଆଇନ ବିଦେଶୀ ମଦ ପ୍ରସ୍ତୁତ କରୁଥିଲେ । ପରେ କବାଡିଖାନାରୁ ଆଣିଥିବା ଖାଲି ବିଦେଶୀ ମଦ ବୋତଲ ଗୁଡିକରେ ଅପମିଶ୍ରିତ ବିଦେଶୀ ମଦ ଭର୍ତ୍ତି କରି ନକଲି ଲେବଲ୍ ଏବଂ ଠିପି ସବୁ ଭିଡିବା ପରେ ସେସବୁକୁ ବଜାରକୁ ବିକ୍ରୀ କରିବା ଉଦ୍ଦେଶ୍ୟରେ ଛାଡୁଥିଲେ । ବିଦେଶୀ ମଦ କୌଣସି ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକନରୁ ଆଣି ବିକ୍ରୀ କରିବାରେ ଲାଭାଂଶ ରହୁନଥିବାରୁ ଏଭଳି କୁବୃତ୍ତି ଆପଣାଇଥିବା ସେ କହିଛନ୍ତି । ୧୮୦ ଏମଏଲର ବିଦେଶୀ ମଦ ବୋତଲ ଗୋଟିଏ ପ୍ରସ୍ତୁତ କରିବା ଲାଗି ମାତ୍ର ୩୦ରୁ ୪୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସେଗୁଡିକୁ ବିଭିନ୍ନ ବ୍ରାଣ୍ଡ୍ ର ଷ୍ଟିକର୍ ଏବଂ ଲେବଲ୍ ଲଗାଯାଇ ସେଗୁଡିକୁ ପ୍ରିଣ୍ଟ୍ ଦରରେ ବିକ୍ରୀ କରାଯାଉଥିଲା । ଯାହା ଯୋଗୁଁ ମୁନାଫା ଅଧିକା ହେଉଥିବା ସେ କହିଛନ୍ତି । ତେବେ ଏହା କେତେ ଦିନ ଧରି ଚଲାଉଥିଲେ ଏବଂ କେଉଁଠିକୁ ସବୁ ଚାଲାଣ କରୁଥିଲେ ସେନେଇ କୌଣସି ସ୍ପଷ୍ଟୀ କରଣ ଦେଇନଥିବା ଜଣାପଡିଛି । ବଜାରରେ ନକଲି ଏବଂ ଅସଲି ବିଦେଶୀ ମଦ ସବୁ ଏକ ପ୍ରକାର ଦେଖାଯାଉଥିବା ବେଳେ ପ୍ରଥମେ ଦିଗପହଣ୍ଡି ଥାନା ପୋଲିସ ଏବଂ ବର୍ତ୍ତମାନ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ନକଲି ବିଦେଶୀ ମଦ ପ୍ରସ୍ତୁତି ୟୁନିଟ୍ ଉପରେ ଚଢାଉ କରାଯିବା ପରେ ମଦ୍ୟପ ମାନେ ମଦ ପିଇବା କିମ୍ବା ନିଶା ସେବନ କରିବା ନେଇ ଭୟପ୍ରକାଶ କରୁଥିବା ଜଣାପଡିଛି । ସେହିପରି ଉକ୍ତ ବିଦେଶୀ ମଦ ପ୍ରସ୍ତୁତି ୟୁନିଟ୍ ସବୁ ଠାବ ହେବା ପରେ ପୂର୍ବରୁ ଉକ୍ତ ସ୍ଥାନମାନଙ୍କରୁ ନିଶାସେବନ କରିଆସୁଥିବା ମଦ୍ୟପ ମାନେ ଏବେ ବିଭିନ୍ନ ମେଡିକାଲ ଏବଂ କ୍ଲିନିକ୍ ମାନଙ୍କୁ ଯାଇ ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଆଦି କରୁଥିବା ଆଭାସ ମିଳିଛି । ଅନ୍ୟପକ୍ଷରେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ବ୍ୟତୀତ ଅନ୍ୟ କେଉଁଠି ବିକ୍ରୀ କରିବାର ତଥ୍ୟ ଆସିଲେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ବେଆଇନ ବିଦେଶୀ ମଦ ପ୍ରସ୍ତୁତି, ବିକ୍ରୀ ଏବଂ ମଦକୁ ନେଇ ବଢୁଥିବା ରୋଗ ଗୁଡିକର ପରିମାଣ କମିପାରନ୍ତା ବୋଲି ସମାଜସେବୀ ଅନନ୍ତ ମହାନ୍ତି କହିଛନ୍ତି । ଶୁକ୍ରବାର ଉକ୍ତ ଚଢାଉରେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ, ପାଟପୁର ଥାନା ଆଇଆଇସି ରମେଶ ଚନ୍ଦ୍ର ପ୍ରଧାନ, ଚିକିଟି ଅବକାରୀ ନିରୀକ୍ଷକ ଲକ୍ଷ୍ମଣ କୁମାର ଷଡଙ୍ଗୀ, ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଉପନିରୀକ୍ଷକ ଶ୍ରୀଧର ମହାନ୍ତି ଓ ରବୀନ୍ଦ୍ରନାଥ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here