ଓଡ଼ିଶା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌ରେ ୧୦ ଷ୍ଟାର୍ଟଅପ୍ ସମ୍ବର୍ଦ୍ଧିତ, ଷ୍ଟାର୍ଟଅପ୍‌ଙ୍କ ପାଇଁ ଓଡ଼ିଶା ଉପଯୁକ୍ତ ସ୍ଥାନ: ମନ୍ତ୍ରୀ

0
244

ଭୁବନେଶ୍ୱର: ଆଗକୁ ବଢ଼ିବା ଓ ସମୃଦ୍ଧ ହେବା ଲାଗି ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ । ଓ-ହବ୍ ଠାରେ ଆୟୋଜିତ ଓଡ଼ିଶା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ୨୦୨୨ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହା କହିଛନ୍ତି । ସେ କହିଲେ, ସମସ୍ତ ନିବେଶକ ଓ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ଜାଣିବା ଦରକାର ଯେ ଏବେ ଓଡ଼ିଶାର ସମୟ ଆସିଛି ଏବଂ ନିଜ ଯାତ୍ରା ଆରମ୍ଭ କରିବା ଲାଗି ଓଡ଼ିଶା ସଠିକ ସୁଯୋଗ ପ୍ରଦାନ କରୁଛି । ଓଡ଼ିଶାରେ ବିପୁଳ ପରିମାଣର ବୈଷୟିକ ସମ୍ବଳ ରହିଛି ଏବଂ ଜମି, ଜଳ, ଭିତିଭୂମି ଓ ଶକ୍ତି ଆଦି ପ୍ରସ୍ତୁତ ହୋଇ ରହିଛି ଯାହା ଯେକୌଣସି ସଂସ୍ଥାକୁ କାରବାର ଆରମ୍ଭ କରିବା ଓ ଆଗକୁ ବଢ଼ିବା ଲାଗି ଓଡ଼ିଶା ଉପଯୁକ୍ତ ସୁଯୋଗ ପ୍ରଦାନ କରୁଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ଡକ୍ଟର ଓମ୍‌କାର ରାଏ କହିଛନ୍ତି ଯେ ବିଶ୍ୱସ୍ତରୀୟ ଭିତିଭୂମି ଓ ସୁବିଧା ସୁଯୋଗ ଥିବାରୁ ରାଜ୍ୟରେ ଏଭଳି କାର୍ଯର୍୍ୟକ୍ରମ ପାଇଁ ଓ-ହବ୍ କେନ୍ଦ୍ର ସ୍ଥଳରେ ପରିଣତ ହୋଇଛି । ଓଡ଼ିଶାରେ ୧୩୦୦ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଛନ୍ତି ଓ ସେମାନଙ୍କ ମଧ୍ୟରୁ ୪୦% ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଛି ଯାହା ଦେଶରେ ଅନ୍ୟ ବ୍ୟବସ୍ଥା ତୁଳନାରେ ଏହାକୁ ସ୍ୱତନ୍ତ୍ର କରିପାରିଛି ।
ଏଆଇସି-ନାଳନ୍ଦାର ସିଇଓ, ଶ୍ରୀ ଦେବଜ୍ୟୋତି ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଷ୍ଟାର୍ଟଅପ୍ ଓଡ଼ିଶାର ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହା ହେଉଛି ପ୍ରଥମ ଧରଣର ଅନ୍ୟତମ ମେଂଟର-ନିବେଶକ-କନେକ୍ଟ ଉତ୍ସବ ଯାହାକୁ ଷ୍ଟାର୍ଟଅପ୍ ଓଡ଼ିଶା, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ଓ ଫ୍ଲୁଇଡ୍ ଭେଂଚର୍ସ ସହଯୋଗରେ ଏଆଇସି-ନାଳନ୍ଦା ପକ୍ଷରୁ ଆୟୋଜନ କରାଯାଇଥିଲା । ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ କ୍ଷେତ୍ରରୁ ୪୦ରୁ ଅଧିକ ବିଶେଷଜ୍ଞ, ମେଂଟର, ନିବେଶକ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ନିବେଶକ ଓ ଷ୍ଟାର୍ଟଅପମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସାମ୍ନା ସାମ୍ନି ବୈଠକ ଆୟୋଜନ ହୋଇଥିଲା । ନେଟୱର୍କିଂ ଅଧିବେଶନରେ ଷ୍ଟାର୍ଟଅପ୍‌ଗୁଡ଼ିକ ମେଂଟର ଓ ନିବେଶକମାନଙ୍କଠାରୁ ମାର୍ଗଦର୍ଶନ ହାସଲ କରିିଥିଲେ ।
ଉଦଯାପନୀ ସମାରୋହରେ ନିବେଶକ, ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତି, ସରକାରୀ ଅଧିକାରୀ ଓ ଗୋଷ୍ଠୀ ନେତାମାନଙ୍କୁ ନେଇ ଏକ ପ୍ୟାନେଲ୍ ଆଲୋଚନା ଆୟୋଜନ କରାଯାଇଥିଲା । ଏହି ଅବସରରେ ୫୦ ଷ୍ଟାର୍ଟଅପ୍‌ଙ୍କ ପ୍ରିଭିଲେଜ୍ କ୍ଲବ୍ ଘୋଷଣା କରାଯାଇଥିଲା ଯେଉଁମାନେ ସରକାରୀ ଶିଳ୍ପ, ଓ ନିବେଶକଙ୍କ ଠାରୁ ସହାୟତା ଓ ଲିଙ୍କେଜ ପାଇପାରିବେ । ୧୦ ଶ୍ରେଷ୍ଠ ପ୍ରଦର୍ଶନକାରୀ ଷ୍ଟାର୍ଟଅପ୍‌ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here