ଏଆଇକେଏମଏସ୍ ପକ୍ଷରୁ ମୁନିଗୁଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0
326

ଵ୍ରହ୍ମପୁର: ଆଜି ଅଖିଳ ଭାରତ କିଶାନ୍ ମଜଦୂର୍ ସଭା (AIKMS) ତରଫରୁ ରାୟଗଡ଼ା ଜିଲ୍ଲାର ମୁନିଗୁଡା ତହସିଲ ଅଫିସ୍ ସମ୍ମୁଖରେ ଜମି ଓ ଘରଡିହ ପଟ୍ଟା, ଜଙ୍ଗଲ ଜମି ପଟ୍ଟା ପାନୀୟ ଜଳ ଓ ମନରେଗା ଯୋଜନାରେ ଶହେ ଦିନ କାମ ଯୋଗାଇବା ଆଦି ଦାବି ନେଇ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ଆଜି ପୂର୍ବାହ୍ନରେ ବ୍ଳକର ବିଭିନ୍ନ ପଞ୍ଜାୟତରୁ ବହୁ ସଂଖ୍ୟକ ଗରିବ ଲୋକେ ବିଶେଷ କରି ଆଦିବାସୀ ଓ ଦଳିତମାନେ ସ୍ଥାନୀୟ ମୁନିଖୋଲ ଛକଠାରେ ଏକାଠି ହୋଇ ଏକ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲଦାରଙ୍କୁ ଆଠ ଦଫା ଦାବି ସମ୍ଵଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଘୋଷିତ ଅଗ୍ନିବୀର ଯୋଜନାକୁ ପ୍ରତ୍ୟାହାର କରିବା ଏବଂ ସଂଗଠନର ସର୍ବଭାରତୀୟ ସାଧାରଣ ସମ୍ପାଦକ ଆଶିଷ ମିତ୍ତଲଙ୍କ ବିରୋଧରେ ଉତ୍ତର ପ୍ରଦେଶର ବିଜେପି ସରକାର କରିଥିବା ମିଥ୍ୟା ମକଦ୍ଦମାକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରି ଭାରତର ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ସଂଗଠନର ବ୍ଳକ୍ ସମ୍ପାଦକ ସୁବାଷ କୁଲେସିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କ ୨୨ ବର୍ଷର ଶାସନ ଓ କେନ୍ଦ୍ର ନରେନ୍ଦ୍ର ମୋଦି ନେତୃତ୍ଵାଧିନ ବିଜେପି-ଆରଏସଏସ୍ ସରକାରର ଆଠ ବର୍ଷର ଶାସନକାଳରେ ସାଧାରଣ ଜନତା ପ୍ରତାରିତ ଓ ଅଧିକ ଶୋଷିତ ହୋଇଛନ୍ତି ବୋଲି କହିଥିଲେ । ରାଜ୍ୟର ବଡ ସଂଖ୍ୟକ ଲୋକ ଭୂମିହୀନ ହେବା ଏବଂ କାମ ନଥିବାରୁ କୋଡିଏ ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରକୁ ଦାଦନ ଯିବା ଉଭୟ ସରକାରଙ୍କ କୁଶାସନ ଓ ଅପାରଗତାକୁ ଉଜାଗର କରୁଛି ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ଘୋଷିତ ଚାରି ବର୍ଷିଆ ଅଗ୍ନିବୀର ଯୋଜନା ଦେଶର ସୁରକ୍ଷାକୁ ପ୍ରଭାବିତ କରିବା ସହିତ କୋଟି କୋଟି ବେରୋଜଗାର ଯୁବକଙ୍କୁ ପ୍ରତାରଣା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ୍ କମିଟି ସଭ୍ୟ ଗଣେଶ ଜାକାସିକା, କନୀନ୍ଦ୍ର ଜାଲିକା, କାଶୀପୁର ବ୍କକ୍ ସଭାପତି କୃଷ୍ଣ ନାୟକ, ନରେଶ ସୁନା, ପଦ୍ମନାଭ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here