କାତାରରେ ଭିକ ମାଗୁଛି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ବାପାମାଆଙ୍କ ଆକୁଳ ନିବେଦନ

0
209

ଖଲ୍ଲିକୋଟ – (ନ୍ୟୁଜ ଏକ୍ସଟ୍ରା) କାନ୍ଦି କାନ୍ଦି ମାଆ ଆଖିର ଲୁହ ଶୁଖୁନି । ବାପା ବି ଗୁମୁରି ଗୁମିରି କାନ୍ଦି ଗାମୁଛାରେ ଲୁହ ପୋଛୁଛି । ବିଦେଶରେ ଖଟୁଥିବା ଭେଣ୍ଡିଆ ପୁଅ ଅସୁବିଧାରେ ପଡି ଭିକ ମାଗୁଛି । ଆଉ ପୁଅକୁ ଫେରାଇ ଆଣିବାକୁ ସରକାରଙ୍କ ଆଗରେ ଏଭଳି ନିବେଦନ କରୁଛନ୍ତି ବୁଢା ବାପା, ମାଆ ।  ଘର ସ୍ଥିତି ସୁଧାରିବା ପାଇଁ ପୁଅ ଯାଇଥିଲା ସୁଦୂର କାତାର । ହେଲେ କମ୍ପାନୀ କାମ କରିବା ପରେ ପ୍ରାପ୍ୟ ନଦେଇ ବାହାର କରିଦେଲା । ସେଠାରେ ମୋବାଇଲ, ଭିସା, ପାସପୋର୍ଟ ହଜିବା ପରେ ପୋଲିସ ବାନ୍ଧିନେଲା, ଆଉ ଜେଲରେ ୨ ମାସ ରହିବା ପରେ ଘରକୁ ଫେରିବା ପାଇଁ ବିଦେଶରେ ଭିକ୍ଷା ବୃତ୍ତି କରୁଛନ୍ତି ଓଡିଆ ଶ୍ରମିକ ।ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ୮ ନମ୍ବର ୱାର୍ଡ ଶ୍ୟାମସୁନ୍ଦରପୁର ଗାଁର ବିଷ୍ଣୁପ୍ରସାଦ ଡାକୁଆ । କାମଧନ୍ଦା କରିବା ପାଇଁ ଦେଶ ଛାଡି କାତାର ଯାଇଥିଲେ । ସେଠାରେ ବର୍ଷେ କାମ କରିବା ପରେ କମ୍ପାନୀ ମାତ୍ର ୬ ମାସର ଦରମା ଦେଇ କ୍ୟାମ୍ପରୁ ବାହାର କରିଦେଲା । କମ୍ପାନୀରେ କାମ କରିବା ପୂର୍ବରୁ ଚୁକ୍ତି ଅନୁଯାୟୀ ଦୁଇ ବର୍ଷ କାମ କରିବା ପରେ ନିଜ ଖର୍ଚ୍ଚରେ ତାଙ୍କୁ ଘରକୁ ପଠାଇବ କହିଥିଲା । ହେଲେ, ବକେୟା ଟଙ୍କା ନ ଦେଇ ବିଷ୍ଣୁଙ୍କୁ ତଡିଦେଲା କମ୍ପାନୀ । କ୍ୟାମ୍ପରେ ସବୁ ହଜିଯାଇଥିବା  ବେଳେ ବିନା ପାସପୋର୍ଟରେ ସେ ଏଣେତେଣ ବୁଲିଲେ । ପୋଲିସ ତାଙ୍କୁ ବାନ୍ଧି ନେଇ ଜେଲରେ ପୂରାଇ ଦେଲା । ଦୁଇମାସ ଜେଲରେ ରଖିବା ପରେ ପୁଣି ଆଣି ସେଠାରେ ଛାଡି ଦେଲା । ତେବେ, ପାଖରେ ଟଙ୍କା ନଥିବାରୁ ସେ ଆଉ ଘରକୁ ଫେରିପାରୁନାହାନ୍ତି । ମୁଣ୍ଡ ଗୁଞ୍ଜିବାପାଇଁ ଛାତ ନାହିଁ, ପେଟର ଭୋକ ମେଣ୍ଟାଇବା ପାଇଁ ବିଦେଶରେ ଭିକ ମାଗୁଛନ୍ତି ବିଷ୍ଣୁ । ଜଣେ ଭାରତୀୟ ତାଙ୍କୁ ଦେଖିବା ପରେ ସେ ପରିବାର ସହ କଥା ହୋଇ ଫେରାଇ ନେବାକୁ ଅନୁରୋଧ କରିଛନ୍ତି । ବିଷ୍ଣୁଙ୍କ ବାବଦରେ ଖବର ପାଇ ପରିବାର ଲୋକ ବ୍ୟସ୍ତ ହୋଇପଡିଛନ୍ତି । କୋଦଳା ଅଞ୍ଚଳରେ ଜଣେ ଶ୍ରମିକଙ୍କ ପାଖରେ ବର୍ତ୍ତମାନ ବିଷ୍ଣୁ ରହିଛନ୍ତି । ତେବେ ପାଖରେ ଭିସା କି ପାସପୋର୍ଟ ନଥିବାରୁ ଦିନ ସାରା ବାହାରେ ବୁଲୁଥିବା ବେଳେ ରାତିରେ କ୍ୟାମ୍ପରେ ଲୁଚି ରହିବାକୁ ପଡୁଛି । ଏନେଇ ପରିବାର ଲୋକ ଜିଲ୍ଲାପ୍ରଶାସନ, ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣାଇଥିବା ବେଳେ ଶୀଘ୍ର ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଖଲ୍ଲିକୋଟ ଅଞ୍ଚଳରେ ଦାଦନ ସମସ୍ୟା ଦିନ କୁ ଦିନ ଉତ୍କଟ ହେବାରେ ଲାଗିଛି ।ନିଜ ଅଞ୍ଚଳରେ କାମଧନ୍ଦା ର କୌଣସି ସୁଯୋଗ ମିଳୁ ନଥିବା ରୁ ଯୁବକ ମାନେ ବାଧ୍ୟ ହୋଇ ରୋଜଗାର ପାଇଁ ରାଜ୍ୟ ଓ ଦେଶ ବାହାର କୁ ଯାଉଛନ୍ତି । ସେଠାରେ କେହି କେହି ନିର୍ଯ୍ୟାତନା ର ଶିକାର ହେଉଛନ୍ତି ତ ଆଉ କେହି କେହି ଶବ ହୋଇ ଗାଁ କୁ ଫେରିବା ଅତୀତରେ ବହୁ ନଜୀର ରହିଛି ।ଦାଦନ ଠିକାଦାର ମାନେ ମାଲାମାଲ ହେଉଥିବା ବେଳେ ଶ୍ରମିକ ନିର୍ଯ୍ୟାତିତ ହେଉଛନ୍ତି ।ତେଣୁ ଦାଦନ ଠିକାଦାର ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ଥାନୀୟ ଯୁବକ ମାନଙ୍କୁ କାମଧନ୍ଦା ଯୋଗାଇ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here