ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ଜିଲ୍ଲାପାଳ

0
217

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଛି ଆଇସିଆଇସିଆଇ ବ୍ୟାଙ୍କ । ଆଇସିଆଇସିଆଇ ବ୍ୟାଙ୍କ ଫାଉଣ୍ଡେସନ ତରଫରୁ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆ ଯାଇଥିବା ଆମ୍ବୁଲାନ୍ସ କୁ ଆଜି ଲୋକାର୍ପିତ କରିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଆଜି ଏନେଇ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା । ଆଇସିଆଇସିଆଇ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ପ୍ରବନ୍ଧକ ଅମିୟ ନାୟକ, ଆଞ୍ଚଳିକ ମୁଖ୍ୟ (ସରକାରୀ ମାମଲା) ଅରୂପ ମହାପାତ୍ର ପ୍ରମୁଖ ଆମ୍ବୁଲାନ୍ସର ଚାବିକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଆମ୍ବୁଲାନ୍ସର ମୂଲ୍ୟ ପ୍ରାୟ ୨୩ ଲକ୍ଷ ଟଙ୍କା ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାର ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମିଳିପାରିବ ଆମ୍ବୁଲାନ୍ସ ସେବା । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଆଇସିଆଇସିଆଇ ବ୍ରାଞ୍ଚ ମୂଖ୍ୟ ସୁଜିତ କୁମାର ସ୍ୱାଇଁ , ବିବେକାନନ୍ଦ ପ୍ରମୁଖଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ବର ଚନ୍ଦ୍ର ନାଏକ, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ ବହୁ ଜିଲ୍ଲା ଅଧିକାରୀ ଉପସ୍ଥିତ ରହିଥିଲେ । ଜିଲ୍ଲାରେ ମୁଖ୍ୟତଃ ନୂଆଗଡ ବ୍ଲକ ଓ ରାୟଗଡ ବ୍ଲକର ବିଭିନ୍ନ ପଂଚାୟତ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଅପହଞ୍ଚ ରହିଛି । ଏଠାକାର ଲୋକେ ଯୋଗାଯୋଗ ଅଭାବରୁ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଥିଲେ । ଉକ୍ତ ଆମ୍ବୁଲାନ୍ସ ଟି ନୂଆଗଡ ବ୍ଲକ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମୁତୟନ ରହିବ ବୋଲି ଜଣାପଡିଛି । ଆଇସିଆଇସିଆଇ ବ୍ୟାଙ୍କ ଫାଉଣ୍ଡେସନର ଏପରି ବଦାନ୍ୟତା ତଥା ଜନହିତକର ପଦକ୍ଷେପ ପାଇଁ ସମସ୍ତ ମହଲରୁ ସାଧୁବାଦ ଜଣାଇଛନ୍ତି l

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here