ସଡକ ଦୁର୍ଘଟଣା ରୋକିବା ନିମନ୍ତେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର

0
1062

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ଠାରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲିସ୍ ବିଭାଗ ଓ ପରିବହନ ବିଭାଗର ଅଧିକାରୀ ମାନଙ୍କୁ ‘ଦୁର୍ଘଟଣା ପରବର୍ତ୍ତି ତଦନ୍ତ ପ୍ରଶିକ୍ଷଣ’ ପ୍ରଦାନ କରାଯାଇଛି । ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇ.ଜି. ଅଫ୍ ପୋଲିସ୍ ସତ୍ୟବ୍ରତ ଭୋଇ, ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ଉପଜିଲ୍ଲାପାଳ ବ୍ରହ୍ମପୁର ଓ୍ବ କୀର୍ତ୍ତି ଓ୍ବାସନ୍ ଯୋଗଦାନ କରି ନିଜନିଜ ବକ୍ତବ୍ୟରେ ପ୍ରଶିକ୍ଷଣର ନିର୍ଯ୍ୟାସକୁ ଆଧାର କରି କାର୍ଯ୍ୟର ସୁପରିଚାଳନା ହୋଇପାରିଲେ ଦୁର୍ଘଟଣା ରୋକିବା ସହ ଜନଜୀବନ ସୁରକ୍ଷିତ ରହିବ ବୋଲି ମତ ଦେଇଥିଲେ ।
ପରିବହନ ବିଭାଗର ବହୁ ସଂଖ୍ୟକ ଦୁର୍ଘଟଣା ଏବଂ ସାଂଘାତିକ ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟରେ ସଡକ ସୁରକ୍ଷା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଓଡିଶା ସରକାର ଅନେକ ଗୁଡିଏ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସଡକ ମାନଙ୍କରେ ଘଟୁଥିବା ଦୁର୍ଘଟଣାର ପୁନରାବୃତ୍ତି ରୋକିବା ସକାଶେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଜରୁରୀ ହୋଇ ପଡିଛି । ଆଜିର ପ୍ରଶିକ୍ଷଣରେ ପୋଲିସ୍ ବିଭାଗ ଏବଂ ପରିବହନ ବିଭାଗର ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସମସ୍ତ ସମ୍ଭାବ୍ୟ ଦିଗକୁ ଅନ୍ତର୍ଭୁକ୍ତ କରି ସଡକ ଦୁର୍ଘଟଣାର ସଠିକ୍ ଅନୁସନ୍ଧାନ ପାଇଁ କ୍ଷମତା ବୃଦ୍ଧି କରିବା । ଏହି ପ୍ରକାର ଅନୁସନ୍ଧାନ ପ୍ରାମାଣିକ ତଥ୍ୟ ପ୍ରଦାନ କରିବା ସହିତ ସଡକ ଦୁର୍ଘଟଣାକୁ ହ୍ରାସ ପାଇଁ ନିଜ ସ୍ତରରେ ଅନୁସନ୍ଧାନକୁ ସହଜ କରିବ ।
ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆଇ.ଜି. ଅପ୍ ପୋଲିସ୍ ସତ୍ୟବ୍ରତ ଭୋଇ ଜଣାଇଥିଲେଯେ, ସଡକ ଦୁର୍ଘଟଣାକୁ ରୋକିବା ଦିଗରେ ସଚେତନତାହିଁ ପ୍ରଥମ । ଦୁର୍ଘଟଣା ପରେ କରାଯାଇଥିବା ଅନୁସନ୍ଧାନ ଗୁଡିକ ତରବରିଆ ଭାବେ ନ କରି ସମୟ ସାପେକ୍ଷ ଅନୁସନ୍ଧାନ କରାଯିବା ଆବଶ୍ୟକ, ଦୁର୍ଘଟଣା ଅଞ୍ଚଳର ସ୍ଥିତି, ରାସ୍ତାର ଅବସ୍ଥା, ପାରିପା୍ଶ୍ବିକ ପରିସ୍ଥିତି, ରାସ୍ତାରେ ଆଲୁଅ ବ୍ୟବସ୍ଥା, ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ତଦନ୍ତ ପରିସରଭୁକ୍ତ ହେବା ଆବଶ୍ୟକ । ଯାହାରି ଫଳରେ ସେହି ଅଞ୍ଚଳର ଦୁର୍ଘଟଣା ଯେପରି ପୁନରାବୃତ୍ତି ହେବ ନାହିଁ ତାହାର ସମସ୍ତ ବ୍ୟବସ୍ଥା କରିବା ଜରୁରୀ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଭାପତିତ୍ବ କରି ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ସ୍ବଳ୍ପ ପ୍ରଶିକ୍ଷଣରେ ଯାନ ବାହନ ଚଳାଇବା ଉଚିତ୍ ନୁହେଁ । ଯାନବହନ ଚଳାଇବା ଦିଗରେ ପ୍ରତ୍ୟେକେ ସଚେତନ ହେବା ଜରୁରୀ । ଦୁର୍ଘଟଣା ଘଟିବା ପରେ ଯେଉଁ ମାନଙ୍କୁ ତଦନ୍ତ ଦାୟୀତ୍ବ ଦିଆଯାଉଛି ସେମାନେ ତଦନ୍ତର ସମସ୍ତ ଦିଗ ପ୍ରତି ସଜାଗ ରହି ସଠିକ୍ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ପ୍ରଶିକ୍ଷଣ ହାସଲ କରିବା ଅପରିହାର୍ଯ୍ୟ । ସମସ୍ତ ଚାଳକ ଖାମଖିଆଲ ଭାବରେ ବାଚାଳ ପ୍ରବଣ ନ ହୋଇ, ଶାନ୍ତ ମନରେ, ବ୍ୟସ୍ତ ନହୋଇ ସଡକ ନିୟମର ସଠିକ୍ ଅନୁପାଳନ କରି ନିଜ ଯାନ ଚଳାଇବେ ତେବେ ଯାଇ ନିଜ ଜୀବନ ସୁରକ୍ଷିତ ରହିବା ସହିତ ଅନ୍ୟର ଜୀବନକୁ ମଧ୍ୟ ସୁରକ୍ଷିତ ରଖିପାରିବେ । ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ବର ବଳୀରାମ ବୋନ୍ଦାର ଏବଂ ବ୍ରହ୍ମପୁର ଉପ ଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେଯେ, ଦକ୍ଷତା ବୃଦ୍ଧି ହୋଇପାରିଲେ ସଠିକ୍ ତଦନ୍ତ ହେବା ସହ ସଡକ ଦୁର୍ଘଟଣା ଦିଗରେ ଆନୁସଙ୍ଗୀକ ସ୍ଥିତି ଗୁଡିକର ପୁନରୁଦ୍ଧାର ହୋଇପାରିବ ଯଦ୍ବାରା ଦୁର୍ଘଟଣା ରୋକିବା ସମ୍ଭବ ହେବ ବୋଲି ମତ ପୋଷଣ କରିଥିଲେ ।
ଦୁଇଦିନଧରି ଚାଲିବାକୁ ଥିବା ଏହି କର୍ମଶାଳାଟିରେ ମୁସ୍କାନ ସଂସ୍ଥାର ପ୍ରଶିକ୍ଷକଗଣ ପ୍ରଶିକ୍ଷଣ ପ୍ରଦାନ କରିବେ । ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିବହନ ବିଭାଗୀୟ ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଲାଲ୍ ମୋହନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ନାଳନ୍ଦା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here