ରାଜ୍ୟରେ ୧୦୬ଟି ଏମରଜେନ୍ସି ରେସପନ୍ସ ବାହନର ଶୁଭାରମ୍ଭ

0
287

ଭୁବନେଶ୍ୱର: ରାଜ୍ୟରେ ଜରୁରୀକାଳୀନ ସେବା ଭିତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ସାରା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୦୬ଟି ଏମରଜେନ୍ସି ରେସପନ୍ସ ଭେଇକିଲ(ଇଆରଭି)ର ଶୁଭାରମ୍ଭ କରାଯାଇଛି । ଏହି ନୂତନ ସେବାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କର ଅସୁବିଧାଗୁଡ଼ିକୁ ଏକ ଅଧିକ ସମନ୍ୱିତ ଢଙ୍ଗରେ ସମାଧାନ କରିବା । ସ୍ୱତନ୍ତ୍ର ଡିଜି (ଏସ୍‌ଏପି) ମନୋଜ ଛାବ୍ରା କଟକ ସ୍ଥିତ ଓଏସଏପି ୬ଷ୍ଠ ବାଟାଲିୟନ ଗ୍ରାଉଣ୍ଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ୧୦୬ଟି ଏମରେଜେନ୍ସି ରେସପନ୍ସ ଭେଇକିଲ (ଇଆରଭି) ର ଶୁଭାରମ୍ଭ କରିଛନ୍ତି ।
ବିଭିନ୍ନ ଜରୁରୀକାଳୀନ ସେବା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଏବଂ ବିଭିନ୍ନ ଆବଶ୍ୟକତା ପାଇଁ ଅଲଗା ଅଲଗା ଜରୁରୀକାଳୀନ ନମ୍ବରରେ ଯୋଗାଯୋଗ କରିବାର ଦ୍ୱନ୍ଦକୁ ହ୍ରାସ କରିବାର ଏକ ପ୍ରୟାସ ଭାବେ ଏହି ନୂତନ ପଦକ୍ଷେପ ରାଜ୍ୟର ଲୋକମାନଙ୍କ ପାଇଁ ସାମଗ୍ରିକ ସମାଧାନ ପ୍ରଦାନ କରିବ । ଏହି ନୂତନ ୧୧୨ ଏମରଜେନ୍ସି ରେସପନ୍ସ ବାହନଗୁଡ଼ିକ ଗୋଟିଏ ପିସିଆର ଭ୍ୟାନ ଭଳି ସମାନ ଭାବେ କାର୍ଯ୍ୟ କରିବ । କିନ୍ତୁ କାର୍ଯ୍ୟଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଢ଼ଙ୍ଗରେ ପରିଚାଳନା କରିବା ଲାଗି ଏହି ନୂତନ ଭ୍ୟାନଗୁଡ଼ିକୁ ଜିଆଇଏସ ଏବଂ ଜିପିଏସ ଭଳି ଆଧୁନିକ ବ୍ୟବସ୍ଥାରେ ସୁସଜ୍ଜିତ କରାଯାଇଛି । ଏହି ନୂତନ ପ୍ରୟାସ ଦ୍ୱାରା ଅପରାଧ, ବିଶୃଙ୍ଖଳା କାର୍ଯ୍ୟ କିମ୍ବା ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଏବଂ ପ୍ରଭାବଶାଳୀ ଭାବେ ସହାୟତା ପ୍ରଦାନ କରାଯିବ । ଏହି ଉଦ୍‌ଘାଟନୀ ଅବସରରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ସ୍ୱତନ୍ତ୍ର ଡିଜିପି ଅରୁଣ ରାୟ ଓ ଆଡିସ୍‌ନାଲ ଡିଜି, ଆଇପିଏସ, ଶ୍ରୀ ରାଧା କିଶନ ଶର୍ମା ।
ଏହି ଅବସରରେ ସ୍ୱତନ୍ତ୍ର ଡିଜି (ଏସ୍‌ଏପି) ମନୋଜ ଛାବ୍ରା କହିଛନ୍ତି ଯେ, “ଆମେରିକାର ୯୧୧ ଭଳି ଆମର ଗୋଟିଏ ନମ୍ବର ୧୧୨ରେ ଓଡ଼ିଶାରେ ଜରୁରୀକାଳୀନ ସମୟରେ ପୋଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ମିଳିବ । ୧୦୬ଟି ଯାନ ପ୍ରଦାନ କରାଯାଇସାରିଣଲାଣି । ଆଜି ୬୨ଟି ଯାନକୁ ଲୋକାର୍ପଣ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୫୦ଟି ଯାନକୁ ଉନ୍ମୋଚନ କରାଯିବ । ଏହି ଗାଡ଼ିଗୁଡ଼ିକ ଏକସଙ୍ଗେ ତିନି ପ୍ରକାର ଜରୁରୀକାଳୀନ ସେବା ପ୍ରଦାନ କରିବେ ।’’
ଏହି ଅବସରରେ ନିଜ ମତ ରଖି ରାଜ୍ୟରେ ୧୧୨ ଇଆରଭି ପରିଚାଳନା କମ୍ପାନୀ, ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ, ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ପୂର୍ବରୁ ଓଡ଼ିଶା ସରକାର ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସେବାଗୁଡ଼ିକୁ ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ(ଇଆରଏସଏସ) ଅଧୀନକୁ ଆଣିବା ଲାଗି ଏକ ସାମଗ୍ରିକ ଜରୁରୀକାଳୀନ ହେଲପ୍‌ଲାଇନ ନମ୍ବର ୧୧୨ର ଶୁଭାରମ୍ଭ କରିଛନ୍ତି । ଏହି ନୂଆ ୧୦୬ ଟି ଇଆରଭିର ଶୁଭାରମ୍ଭ ୧୧୨ସେବାକୁ ଆହୁରୀ ମଜବୁତ କରିବ । ଏହି ପଦକ୍ଷେପ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ଏବଂ ରାଜ୍ୟର ୪.୩ କୋଟି ଜନତାଙ୍କୁ ଠିକ୍ ସମୟରେ ସହାୟତା ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବ ।”
ଏହି ସେବାର ଅଂଶ ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ପ୍ରମୁଖ ସହରଗୁଡ଼ିକ ଯଥା ଅନୁଗୁଳ(୩), ବାଲେଶ୍ୱର((୩), ବରଗଡ଼(୩), ବ୍ରହ୍ମପୁର (୩), ଭଦ୍ରକ(୩), ବଲାଙ୍ଗୀର(୩), ବୈାଦ୍ଧ(୨), କଟକ(୩), ଦେଓଗଡ଼(୨), ଢେଙ୍କାନାଳ(୩), ଗଜପତି(୩), ଗଞ୍ଜାମ(୩), ଜଗତସିଂହପୁର(୩), ଯାଜପୁର(୩), ଝାରସୁଗୁଡ଼ା(୩), କଳାହାଣ୍ଡୀ(୩), କେନ୍ଦ୍ରାପଡ଼ା(୩), କେନ୍ଦୁଝର(୩), ଖୋର୍ଦ୍ଧା(୩), କୋରାପୁଟ(୩), ମାଲ୍‌କାନଗିରି(୩), ମୟୁରଭଞ୍ଜ(୩), ନବରଙ୍ଗପୁର(୩), ନୟାଗଡ଼(୩), ନୂଆପଡ଼ା(୨), ପୁରୀ(୩), ରାୟଗଡ଼ା(୩), ରାଉରକେଲା(୩), ସମ୍ବଲପୁର(୩), ସୁବର୍ଣ୍ଣପୁର(୨), ସୁନ୍ଦରଗଡ଼(୩), ଡିସିପି ଭୁବନେଶ୍ୱର(୭) ରେ ରଣନୈତିକ ଭାବେ ସମୁଦାୟ ୧୦୬ ସଂଖ୍ୟକ ୧୧୨ ଏମରେଜେନ୍ସି ରେସପନ୍ସ ବାହନ ନିୟୋଜିତ କରାଯାଇଛି ।
ଏହି ଏମରଜେନ୍ସି ରେସପନ୍ସ ବାହନଗୁଡ଼ିକର ପରିଚାଳନା ଏବଂ କାର୍ଯ୍ୟକାରୀତା ପାଇଁ ଜିକିତ୍ସା ହେଲଥକେୟାର ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ଜରୁରୀକାଳୀନ ସେବାଗୁଡ଼ିକ ପରିି ଏହି ସେବା ମଧ୍ୟ ରାଜ୍ୟର ସମସ୍ତ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ । ବର୍ତମାନ ସରକାର ନାଗରୀକମାନଙ୍କୁ ଅଲଗା ଅଲଗା ଶୃଙ୍ଖଳ ମାଧ୍ୟମରେ ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟସେବା ଇତ୍ୟାଦି ପରି ଅନେକ ଜରୁରୀକାଳୀନ ସେବା ଯୋଗାଉଛନ୍ତି । ଏକାଧିକ ସଂଖ୍ୟକ ଜରୁରୀକାଳୀନ ନମ୍ବରଗୁଡ଼ିକର ଉପସ୍ଥିତି ଜନସାଧାରଣଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରୁଛି । ଏହି ନୂତନ ୧୧୨ ଏମରଜେନ୍ସି ରେସପନ୍ସ ସେବା ମାଧ୍ୟମରେ ଏକ ସାଧାରଣ ସାମଗ୍ରିକ ପ୍ଲାଟଫର୍ମ ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ଏବଂ ଅନ୍ୟ ସେବାଗୁଡ଼ିକୁ ଏକତ୍ର ନେଇଆସିବ । ଏହା ପ୍ରକ୍ରିୟାକୁ ଆହୁରି ସରଳ କରିବ ଏବଂ ଜନସାଧାରଣଙ୍କ ପାଇଁ ପ୍ରତିକ୍ରୟା ସମୟକୁ ହ୍ରାସ କରିବ ।

LEAVE A REPLY

Please enter your comment!
Please enter your name here