ଉପର ଆଲପୁର ଗ୍ରାମରେ ୬ ପରିବାର କୁ ସାମାଜିକ ବାସନ୍ଦ ଅଭିଯୋଗ, ପୋଲିସ ଓ ଗ୍ରାମବାସୀଙ୍କ ଆଲୋଚନା ପରେ ସମସ୍ୟାର ହେଲା ସମାଧାନ

0
251

ଖଲ୍ଲିକୋଟ – (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଂଚାୟତ ର ଉପର ଆଲପୁର ଗ୍ରାମରେ ୬ ପରିବାର କୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିଲା । ଉପର ଆଲପୁର ଗ୍ରାମର ଭଗବାନ ପ୍ରଧାନ, ଟି. ସନିଆ ପ୍ରଧାନ, କୃଷ୍ଣ ପ୍ରଧାନ, ମାଧବ ପ୍ରଧାନ, ଟି. ସତ୍ୟ ପ୍ରଧାନ, କେ. ନବୀନ ପ୍ରଧାନଙ୍କ ପରିବାରକୁ ଗ୍ରାମବାସୀମାନେ ସାମାଜିକ ବାସନ୍ଦ କରି ରଖିଥିବା ନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିଲା । ଗ୍ରାମରେ ଥିବା ରତନେଇ ଠାକୁରାଣୀ ମନ୍ଦିର ନିର୍ମାଣ କାର୍ଯ୍ୟରେ ଅସହଯୋଗ ଯୋଗୁଁ ଏହି ୬ ପରିବାରକୁ ଗ୍ରାମରେ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଏ ନେଇ ଉପର ଆଲପୁର ଗ୍ରାମ୍ୟ କମିଟିର ସଦସ୍ୟ ମାନଙ୍କୁ ଥାନାକୁ ଡକାଇ ଆଲୋଚନା କରିଥିଲେ । ଏ ସଂପର୍କରେ ଆଜି ଉପର ଆଲପୁର ଗ୍ରାମର ଅନ୍ଧାରେଇ ଠାକୁରାଣୀଙ୍କ ପୀଠରେ ୬ ବାସନ୍ଦ ପରିବାର, ଗ୍ରାମବାସୀ ଓ ପୋଲିସ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଖଲ୍ଲିକୋଟ ଥାନାର ଅତିରିକ୍ତ ଆଇଆଇସି ତଥା ଭେଜିପୁଟ ଫାଣ୍ଡି ଅଧିକାରୀ ପି. ସ୍ୱରୂପ କିଷାନ, ଥାନା ଏସ ଆଇ ଅମ୍ବିକା ବେଣିଆ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଉପର ଆଲପୁର ଗାଁ ମୁଖିଆ କାଙ୍ଗା ପ୍ରଧାନ,ଗ୍ରାମ୍ୟ କମିଟି ସଭାପତି ଦାଶରଥି ପ୍ରଧାନ, ସମ୍ପାଦକ ନବଘନ ପ୍ରଧାନ, ସଦସ୍ୟ ଅବସରପ୍ରାପ୍ତ ସାମରିକ କର୍ମଚାରୀ ଏନ. ନରସିଂହ ପ୍ରଧାନ ଏବଂ ଗ୍ରାମବାସୀ ଓ ୬ ବାସନ୍ଦ ପରିବାର ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ସମସ୍ତେ ମିଳିମିଶି ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here