ବିଦ୍ୟୁତ ଫାସରେ ଲାଗି ମହିଳା ମୃତ୍ୟୁ, ବନବିଭାଗ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି।

0
263

ବୁଗୁଡା :ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ଗୌଡ଼ିଆବୋରଦା ପଞ୍ଚାୟତର ଗାନ୍ଧିନଗର ଜଙ୍ଗଲରେ ବରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୩୫ ବର୍ଷ ମହିଳା ଗୁରୁତର ହୋଇ ପ୍ରଥମେ ବୁଗୁଡା, ପରେ ବ୍ରହ୍ମପୁର ଓ ଶେଷରେ କଟକ ମେଡ଼ିକାଲ ରେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ଡିସେମ୍ବର ୨୬ ତାରିଖ ଦିନ ଗାନ୍ଧିନଗର ନିକଟସ୍ଥ ଜଙ୍ଗଲରେ ବରାହ ଶିକାର ପାଇଁ କେହି ଶିକାରୀ ବିଦ୍ୟୁତ ଫାସ ପକାଇଥିଲେ। ଗାନ୍ଧିନଗର ଗ୍ରାମର ରଜନୀ ଜେନା କ୍ଷେତରୁ ଧାନ କାଟି ଘରକୁ ଫେରୁଥିବା ବେଳେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇପଡିଥିଲେ। ଅନ୍ୟଜଣେ ମହିଳା ଏହା ଦେଖି ଗ୍ରାମରେ ଖବର ଦେଇଥିଲେ। ଗ୍ରାମଲୋକେ ଘଟଣା ବିଷୟ ନେଇ ବାଲିପଦର ଫାଣ୍ଡିକୁ ଖବର ଦେବାସହ ବନ ବିଭାଗକୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ଘଟଣା ସ୍ଥଳକୁ ଜଙ୍ଗଲ ବିଭାଗର ବନରକ୍ଷୀ ମଧ୍ୟ ଯାଇଥିବା ଜଣାପଡିଛି। ଆହତ ମହିଳାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡିଯାଇ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ମାନଙ୍କ ଅକ୍ଲାନ୍ତ ପରିଶ୍ରମ ସ୍ଵତ୍ତ୍ୱେ ରଜନୀ ଜେନାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ। ଡିସେମ୍ବର ୨୭ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡ଼ିକାଲରେ ରାଜନୀଙ୍କ ମୃତ୍ୟୁ ଘଟିଛି। ବନବିଭାଗର ଦ୍ୱାୟିତ୍ୱ ହୀନତା ଓ ଅପାରଗତା ଯୋଗୁଁ ଏକମାସ ମଧ୍ୟରେ ଦୁଇଟି ଅମୂଲ୍ୟ ଜୀବନ ଚାଲିଯାଇଛି। ନଭେମ୍ବର ୨୬ ତାରିଖ ଦିନ କରଚୁଲି ପଞ୍ଚାୟତର କହ୍ନେଇପୁର ଗ୍ରାମର ଶ୍ରୀକାନ୍ତ ଗୌଡ଼ ବିଦ୍ୟୁତ ଫାସରେ ଲାଗି ପ୍ରାଣ ହରାଇଥିବା ବେଳେ ଠିକ ଏକମାସ ପରେ ଡିସେମ୍ବର ୨୬ ତାରିଖ ଦିନ ଗାନ୍ଧିନଗର ଗ୍ରାମର ରଜନୀ ଜେନା ବରାହ ଶିକାର ପାଇଁ ବିଛା ଯାଇଥିବା ଫାସରେ ଲାଗି ଗୁରୁତର ଅବସ୍ଥାରେ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା ବେଳେ ଡିସେମ୍ବର ୨୭ ତାରିଖ ଦିନ ସକାଳେ ମୃତ୍ୟୁ ବରଣ କରିଛନ୍ତି। ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କୁ କିଛିଦିନ ପୂର୍ବେ ଯୋଗାଯୋଗ ବେଳେ ସେ କହିଥିଲେଯେ ଆଉ ଦୁଇ ମାସ ପରେ ମୁଁ ଅବସର ନେବି ……..। ଅବସର ନେବାକୁ ଆଉ ଦୁଇମାସ ଥିବା ଯୋଗୁଁ ଜଣେ ଦାୟିତ୍ୱବାନ ଅଧିକାରୀ ଭାବେ କାର୍ଯ୍ୟ କରୁନଥିବା ଅନୁମାନ କରାଯାଉଛି। ପେଟ୍ରୋଲିଂ ବ୍ୟବସ୍ଥା ପାଇଁ ବନାଞ୍ଚଳ ଅଧିକାରୀ କୌଣସି ପ୍ରକାର ପଦକ୍ଷେପ ନେଉନଥିବା ଯୋଗୁଁ ଏହିପରି ଅଭାବନୀୟ ଘଟଣା ଘଟି ଦୁଇଟି ଅମୂଲ୍ୟ ଜୀବନ ଚାଲି ଯାଇଛି। ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି ଯେ ବନବିଭାଗର ସମ୍ପୂର୍ଣ୍ଣ ସହଯୋଗରେ ଗାନ୍ଧିନଗର, କୁଞ୍ଜବନ, ବେଠିଆ ବୋରଦା, ବେଲପଡା, ଡାକରବାଡି, କାନସୁକା, କେ ପଥରପଲ୍ଲୀ ଗ୍ରାମର ଜଙ୍ଗଲରେ ଶିକାରୀ ମାନେ ବିଦ୍ୟୁତ ଫାସ ପକାଇ ବରାହ ଶିକାର କରୁଛନ୍ତି। ଫାସ ପକାଇଥିବା ଓ ବରାହ ମାଂସ ବିକ୍ରି କରୁଥିବା ନେଇ ବନବିଭାଗକୁ ଖବର ଦେଲେ ବନବିଭାଗ ପକ୍ଷରୁ ଶିକାରୀ ମାନଙ୍କୁ ଖବର ଜଣାଇ ଦିଆଯାଉଛି। ଯାହା ଫଳରେ ଶିକାରୀ ମାନେ ଜନସାଧରଣଙ୍କୁ ଧମକ ଚମକ ଦେବାସହ ଗାଳିଗୁଲଜ କରୁଥିବା ଅଭିଯୋଗ ହେଉଛି। ରକ୍ଷକ ଯଦି ଭକ୍ଷକ ହେବ ତାହାହେଲେ ଜଙ୍ଗଲ ଓ ବନ୍ୟ ପ୍ରାଣୀ ସୁରକ୍ଷିତ ହୋଇ ପାରିବେକି ? ଏହି ବିଷୟରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଅଧିକାରୀଙ୍କ ଦ୍ୱାରା ଅନୁସନ୍ଧାନର ଆବଶ୍ୟକତା ଥିବା ଜରୁରୀ ହୋଇଛି। କାର୍ଯ୍ୟରେ ଅବହେଳା ଯୋଗୁ ମହିଳାଙ୍କ ମୃତ୍ୟୁ ପାଇଁ ବନାଞ୍ଚଳ ଅଧିକାରୀଙ୍କ ସହ ଶିକାରୀ ବିରୁଦ୍ଧରେ ହତ୍ୟା ଅଭିଯୋଗ ନେଇ ମାମଲା ରୁଜୁ କରିବା ପାଇଁ ସାଧାରଣରେ ଦୃଢ଼ ଦାବୀ ହେଉଛି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here