ଚାଷୀ ମୁଣ୍ଡରେ ଚଡକ : ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ

0
288

ପୋଲସରା : ଅଦିନିଆ ଲଗାଣ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ଚଡକ । ଦୁଇ ଦିନର ଲଗାଣ ବର୍ଷାରେ ପୋଲସରା ବ୍ଲକରେ ୧୩୭.୨ ମିଲି ମିଟର ବର୍ଷା ସାଙ୍ଗକୁ ଧନେଇ ଘାଇ ପାଣି ଦ୍ୱାରା ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଅମଳ ହେବାକୁ ଥିବା ପାଚିଲା ଧାନ ପାଣିରେ ବୁଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ମୁଣ୍ଡର ଝାଳ ତୁଣ୍ଡରେ ମାରି ବର୍ଷକର ଅମଳ ଧାନକୁ ଅପେକ୍ଷା କରିଥିବା ଚାଷୀ ଧାନ କ୍ଷେତର ଦୃଶ୍ୟ ଦେଖି ହତାଶ ହୋଇ ଆଖିରୁ ଲୁହ ଗଡାଉଥିବା ଦୃଶ୍ୟମାନ ହୋଇଛି। ପାଚିଲା ଧାନ କାଟି କ୍ଷେତରେ ପଡିଥିବା ବେଳେ ଦୁଇ ଦିନଧରି ଲଗାତାର ବର୍ଷାରେ କେତେକ ଧାନ ଫସଲ ପାଣିରେ ଭାସୁଥିବା ବେଳେ ଆଉ କେତେକ ପାଣିରେ ବୁଡି ନଷ୍ଟ ହେଲାଣି। ପୋଲସରା ଅଞ୍ଚଳର ରୂଖାକଣା, ପାଟିଗଡ଼, ବାଲିଘାଇ, ସିଦ୍ଧିପୁର, ସାନ ବରଗାଁ, ହିରାପଲ୍ଲୀ, ମହୁଲପଲ୍ଲୀ, ହାତୀଓଟ, କଳମ୍ବ, ଖଣ୍ଡୁରୁ, ଚିରିକିପଡା ଶାସନ, ବେଲ ଗାଁ, ନିମିନା, ଭାଟଖାଲି, ମଧୁପଲ୍ଲୀ ପ୍ରଭୃତି ଗ୍ରାମ ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇ ଜମି ଗୁଡିକ ଜଳମଗ୍ନ ରହିଛି। ଚାଷୀଙ୍କ ଗୋଟିଏ ବର୍ଷର ଉପାର୍ଜନ ବର୍ତ୍ତମାନ ଜଳରେ ବୁଡି ରହିଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସମବାୟ ସମିତି, ବ୍ୟାଙ୍କ ଓ ହାତ ଉଧାରୀ ଋଣ ଆଣି ଚାଷି, ଚାଷ କାର୍ଯ୍ୟରେ ଲଗାଇଥିବା ବେଳେ ଧାନ ଅମଳ କରି ପରିଶୋଧ କରିବ ବୋଲି ଆଶା ବାନ୍ଧିଥିଲା । ହେଲେ ଲଘୁଚାପ ଜନିତ ଲଗାତାର ବର୍ଷା ଦାଉ ସାଜିଲା। ସାରା ବର୍ଷର ଖାଦ୍ୟ ପାଇବ କେଉଁଠି ? ଋଣ ପରିଶୋଧ କରିବ କିପରି ? ଏହିସବୁ ବିଷୟକୁ ନେଇ ସମୂହ ଚାଷୀ କୂଳ ଶନିବାର ଦିନ ପୋଲସରା ତହସିଲଦାର ଦିଲ୍ଲୀପ କୁମାର ନାୟକଙ୍କୁ ଭେଟି ନଷ୍ଟ ହୋଇଥିବା ଧାନ ଫସଲ ଦେଖାଇ କ୍ଷୟକ୍ଷତି ପୁରଣ ପାଇଁ ଓ ଋଣ ଛାଡ ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ । ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ରିଲିଫ କମିଶନରଙ୍କୁ ଅବଗତ କରାଇ ବିଧିବଦ୍ଧ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ଶ୍ରୀ ନାୟକ ଚାଷୀ ମାନଙ୍କ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here