ଅଦିନିଆ ବର୍ଷାରେ ଭିଜିଲା ଧାନ , ଚାଷୀ ମୁଣ୍ଡରେ ଚଡକ

0
306

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ବର୍ତ୍ତମାନ ଚାଷୀ ଧାନ କାଟିବା ଆରମ୍ବ କରିଛି , ଧାନ କାଟି ଜମିରେ ରଖିଥିବା ବେଳେ ହଟାତ ଆସିଲା ଅଦିନିଆ ବର୍ଷା , ବର୍ଷାରେ ଧାନ ସବୁ ଭିଜିଲା , ଏସବୁକୁ ଦେଖିକି ଚାଷୀ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ । ଗତ କିଛି ଦିନ ତଳେ କୋଷାଗୁମୁଡା ବ୍ଲକ ଅଞ୍ଚଳର ଚାଷୀ ଧାନ ସବୁ ପାଚିଯାଇଥିବା ଧାନକୁ କାଟିବା ଆରମ୍ବ କରିଛି । ବ୍ଲକର ଶତକଡ଼ା ୮୦ ଭାଗ ଚାଷୀ ନିଜନିଜ ଧାନକୁ କାଟି ଜମିରେ ଶୁଖିବା ପାଇଁ ରଖିଥିଲେ । ଆଉ ଦିନେ ୨ଦିନ ଭିତରେ ଧାନ ସବୁ ଆଣି ଖଳାରେ ଅମଳ କରିଥାନ୍ତେ । କିନ୍ତୁ ଗତ ଦୁଇ ଦିନ ଧରି ଲଘୁଚାପ ହୋଇଥିବା ଯୋଗୁଁ ପାଗ ମେଘୁଆ କରିଥିଲା । କିନ୍ତୁ ଶନିବାର ଅପରାହ୍ନ ୩ ଟା ବେଳେ ହଟାତ ପ୍ରବଳ ବର୍ଷା ହେବାରୁ ଧାନ ସବୁ ଭିଜି ଓଦା ହୋଇଗଲା । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଲଘୁଚାପ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ପ୍ରଭାବ ରହିବ । ଏହାକୁ ନେଇ ଚାଷୀ ଙ୍କ ଚିନ୍ତା ବଢିଯାଇଛି । ଓଦା ଧାନ କିପରି ଶୁଖିବ ଆଉ କିପରି ଖଳାକୁ ଧାନ ଆଣି ରଖିବ ସେନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଚଳିତ ବର୍ଷ ଧାନ ଚାଷ ଆରମ୍ବରୁ ହିଁ ଚାଷୀ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛି । ଧାନ ତଳି ପକାଇବା ଠାରୁ ଧାନ କାଟିବା ପର୍ଯ୍ୟନ୍ତ ଚାଷୀକୁ ବହୁତ ଦୁଃଖ ଦେଇଛି । କେତେ ବେକେ ସାର ଅଭାବ ଦେଖାଦେଇଥିବା ବେଳେ ପାଗ କୁ ନେଇ ଚାଷୀକୁ ବହୁ ଅସୁବିଧା ଭୋଗିବାକୁ ପଡିଛି । ବର୍ତ୍ତମାନ ଅଦିନିଆ ବର୍ଷା ଚାଷୀର କାଳ ସାଜିଛି । ସେହିପରି ମକା ଚାଷୀ ମଧ୍ୟ ହଇରାଣ ହେଉଛନ୍ତି ଏହି ଅଦିନିଆ ବର୍ଷାରେ । ମକା ସବୁ ଭାଙ୍ଗି ଖଳାରେ ସୁଖେଇଥିବା ବେଳେ ବର୍ଷା ଯୋଗୁଁ ମକା ସବୁ ନଷ୍ଟ ହେବା ନେଇ ଚାଷୀ ଆଶଙ୍କା ସୃଷ୍ଟି କରିଛି । ଧାନ ଚାଷୀ ବ୍ୟାଙ୍କ , ଲ୍ୟାମ୍ପ ରୁ ଋଣ କରି ଚାଷ କାର୍ଯ୍ୟ କରିଛି । କିଭଳି ଋଣ ସୁଝିବ ଆଉ କିପରି ଚଳିତ ବର୍ଷ ପରିବାର ପ୍ରତିପୋଷଣ କରିବ ସେନେଇ ମୁଣ୍ଡରେ ହାତଦେଇ ବସିଛନ୍ତି ଅଞ୍ଚଳର ଚାଷୀକୁଳ । ଏଣୁ ଜିଲ୍ଲା ପ୍ରଶାସନ ଏଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଚାଷୀଙ୍କୁ ଧାନ ଓ ମକା କ୍ଷୟକ୍ଷତି ସହାୟତା ପ୍ରଦାନ ସହ ମଣ୍ଡିରେ ଧାନ ବିକ୍ରି ରେ କିଛି ନିୟମ କୋହଳ କରିବା ପାଇଁ କୋଷାଗୁମୁଡା ଅଞ୍ଚଳର ଚାଷୀମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here