ଦୋକାନକୁ ଚଢ଼ିଗଲା ଟ୍ରାକ୍ଟର, ଜଣେ ମୃତ୍ୟୁ, ଡ୍ରାଇଭର ଫେରାର

0
282

ପୋଲସରା :ଗଂଜାମ ଜିଲ୍ଲା, ପୋଲସରା ଏନ୍.ଏ.ସି.ର ଗୋପବନ୍ଧୁ ହାଇ ସ୍କୁଲ ଛକଠାରେ ଅକ୍ଟୋବର ୨୫ ତାରିଖ ସକାଳେ ଦୃତଗତିରେ ଯାଉଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ଦୋକାନ ଉପରେ ଚଢିଯିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ବାଇକ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଯୁବକ ବସନ୍ତ ସାହୁ(୩୫) । ପ୍ରତକ୍ଷ୍ୟଦର୍ଶୀ କହିବା ପ୍ରକାରେ ସୋମବାର ସକାଳ ୮ ଟା ସମୟରେ ଓଡ଼ି ୦୭ଏସ ୧୬୨୯ ନମ୍ବର ଥିବା ଟ୍ରାକ୍ଟର ଟି ବାଲି ବୋଝେଇ କରି ଦୃତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗୋପବନ୍ଧୁ ହାଇ ସ୍କୁଲ ଛକରେ ମୁଖ୍ୟ ସଡ଼କ ପଥରେ ଥିବା ଏକ ଦୋକାନ ଗୃହକୁ ଧସେଇ ପସିଥିଲା। ଯାହା ଫଳରେ ଦୋକାନ ପାଖରେ ଛିଡ଼ା ହୋଇଥିବା ଟୁକୁନା ସାହୁଙ୍କୁ ଧକ୍କା ଦେବା ସହ ଏକ ବାଇକ କୁ ମଧ୍ୟ ଧକ୍କା ଦେଇଥିଲା । ଟ୍ରାକ୍ଟର ଧକ୍କାରେ ଗୁରୁତର ଆହତ ଟୁକୁନା ସାହୁଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲସରା ମେଡ଼ିକାଲ କୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ବେପାରୁଆ ଭାବେ ଟ୍ରାକ୍ଟର ଚଳାଇ ଦୁର୍ଘଟଣା ଘଟାଇ ଡ଼୍ରାଇଭର ଫେରାର ହୋଇ ଯାଇଥିଲା । ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତେଜନା ଦେଖିବାକୁ ମିଳିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନିୟନ୍ତ୍ରଣକୁ ନେଇ ଘଟଣାର ତଦନ୍ତ କରିଥିବା ଜଣାପଡିଛି । ଅନ୍ୟ ପଟେ ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଙ୍କୁ ହରାଇ ପତ୍ନୀ ଓ ଆତ୍ମିୟ ସଜନମାନଙ୍କ ବୁକୁ ଫଟା କାନ୍ଦ ଶୁଣିବାକୁ ମିଳିଥିଲା। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here