ଖଲ୍ଲିକୋଟ ପୋଲିସର ବଡ଼ ସଫଳତା, ଗଞ୍ଜେଇ ଚାଲାଣ କାରୀଙ୍କ ଘରୁ ମିଳିଲା ଗଞ୍ଜେଇ, ଅଫିମ, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ସହ ୮ କେଜି ୫୯୬ ଗ୍ରାମ ସୁନା ଗହଣା

0
291

ଖଲ୍ଲିକୋଟ ( ନ୍ୟୁଜଏକ୍ସଟ୍ରା ) : ଖଲ୍ଲିକୋଟ ପୋଲିସର ବଡ଼ ସଫଳତା, ଗଞ୍ଜେଇ ଚାଲାଣ କାରୀଙ୍କ ଘରୁ ମିଳିଲା ୩୪ କେଜି ଗଞ୍ଜେଇ, ୧୦ କେଜି ଅଫିମ, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ସହ ୮ କେଜି ୫୯୬ ଗ୍ରାମ ସୁନା ଗହଣା । ଅଭିଯୁକ୍ତ କୁ ଗିରଫ କଲା ପୋଲିସ । ଖଲ୍ଲିକୋଟ ଥାନା ଇତିହାସରେ ଏତେ ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା ଜବତ ହେବା ପ୍ରଥମ ଘଟଣା । ଏ ସମ୍ପର୍କରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଖଲ୍ଲିକୋଟ ଥାନାରେ ଅନୁଷ୍ଠିତ ପ୍ରେସମିଟ ରେ ଉପସ୍ଥିତ ରହି ସମସ୍ତ ସୂଚନା ଦେଇଥିଲେ ।ମିଳିଥିବା ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ବଡଦାଣ୍ଡ ସାହି ର ରଜନୀକାନ୍ତ ପଟ୍ଟନାୟକ ନିଜ ସ୍କୁଟିରେ ଗଂଜେଇ ଚାଲାଣ କରିବା ପାଇଁ ଯୋଜନା କରୁଥିବା ଖବର ବିଶ୍ୱସ୍ତ ସୂତ୍ରରୁ ଭେଜିପୁଟ ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ପାଇଥିଲେ । ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନ ଙ୍କ ଏତଲା ଅନୁସାରେ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସଦଳ ବଳେ ଅଭିଯୁକ୍ତ ରଜନୀକାନ୍ତ ପଟ୍ଟନାୟକ ଙ୍କ ଖୋଜାପଲ୍ଲୀ ଘରେ ଚଢ଼ାଉ କରିଥିଲେ ।ଚଢ଼ାଉ ବେଳେ ଘର ଭିତରୁ ୩୪ କେଜି ୯୪ ଗ୍ରାମ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ ଅଫିମ, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ସହ ୮ କେଜି ୫୯୬ ଗ୍ରାମ ଓଜନ ର ସୁନା ଗହଣା ଜବତ ହୋଇଥିଲା । ଏହି ଚଢ଼ାଉ ବେଳେ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ । ଅଭିଯୁକ୍ତ ରଜନୀକାନ୍ତ କନ୍ଧମାଳ ରୁ ବେଆଇନ ଭାବେ ଚୋରା ରେ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲା ବୋଲି ଏସ୍ପି ସୂଚନା ଦେଇଛନ୍ତି । ତେବେ ଘର ଭିତରେ ଏତେ ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା କାହିଁକି ଗଚ୍ଛିତ ରଖିଥିଲା ଓ କେଉଁଠୁ ଆଣିଲା ତାହାର ଅନୁସନ୍ଧାନ କରାଯାଉଛି ଏବଂ ପୂର୍ବରୁ ଅଭିଯୁକ୍ତ ନାମରେ ଅନ୍ୟ କୌଣସି ଥାନାରେ ମାମଲା ରହିଛି କି ନାହିଁ ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି । ରଜନୀକାନ୍ତ ର କେଉଁ କେଉଁ ବ୍ୟାଙ୍କରେ ଆକାଉଣ୍ଟ ରହିଛି ଏବଂ ସେଥିରେ କେତେ ଟଙ୍କା ରହିଛି ତାହା ର ମଧ୍ୟ ଖୋଳତାଡ଼ କରୁଛି ପୋଲିସ । ବ୍ୟାଙ୍କ ଆକାଉଣ୍ଟ ସିଜ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଏସ୍ପି ବ୍ରିଜେଶ କୁମାର ରଏ ସାମ୍ବାଦିକ ମାନଙ୍କୁ କହିଛନ୍ତି । ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୬୪୫/୨୦୨୧ ଦଫା ୧୮ ବି,୨୦ ବି,୨୫,୨୯ ଏନ ଡି ପି ଏସ ଆକ୍ଟ ୧୯୮୫ ଅନୁସାରେ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ରଜନୀକାନ୍ତ ପଟ୍ଟନାୟକ ଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ରଙ୍କ ସହ ଛତ୍ରପୁର ଏସଡପିଓ ଗୌତମ କିଶାନ ପ୍ରମୁଖ ଉପସ୍ଥିତଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here