ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

0
308

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ପଞ୍ଚାୟତ ସମିତି ପରିସରରେ ଥିବା ସଭା ଗୃହ ଠାରେ ବ୍ଲକ ଅଧକ୍ଷା ଦେବକୀ ନାୟକ ଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଡ଼ିଓ ପଦ୍ମନାଭ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇ ସମସ୍ତ ଲୋକ ପ୍ରତନିଧି ଙ୍କୁ ସ୍ୱାଗତ ଜଣାଇଥିଲେ । ସମିତି ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶାନ୍ତିଲତା ହେମ୍ବ୍ରମ,ଉପାଧ୍ୟକ୍ଷ ତନୟ ସାଗର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର କାର୍ଯ୍ୟକ୍ରମ କୁ ଭାରପ୍ରାପ୍ତ ଜିପିଓ ଜଗମୋହନ ମାଝୀ ପରିଚାଳନା କରିବା ସହ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ । ଜଳଭଣ୍ଡାର ଅପର ପାର୍ଶ୍ୱରେ ବସବାସ କରୁଥିବା ଜନସାଧାରଣ ଙ୍କ ନିମନ୍ତେ ଯନ୍ତ୍ର ଚାଳିତ ବୋଟ ର ବ୍ୟବସ୍ଥା କରାଯିବା ନେଇ ବିଧାୟକ ସଦାଶିବ ପ୍ରଧାନୀ ପ୍ରକାଶ କରିଥିଲେ । ତେନ୍ତୁଳିଖୁଣ୍ଟି ବ୍ଲକରେ ୨୩ ହଜାର ରୁ ଉର୍ଦ୍ଧ ହିତାଧିକାରୀ ଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ ବୋଲି ବିଡ଼ିଓ ଶ୍ରୀ ପଦ୍ମନାଭ ତ୍ରିପାଠୀ ପ୍ରକାଶ କରିଥିଲେ । ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଂଚଳଗୁମ୍ମା ପଞ୍ଚାୟତ ରେ ଥିବା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଙ୍କ ପାଇଁ ଏଯାବତ ହଷ୍ଟେଲ ବ୍ୟବସ୍ଥା ଆରମ୍ଭ ହୋଇ ନାହିଁ ବୋଲି ଅଞ୍ଚଳଗୁମ୍ମା ସରପଞ୍ଚ ସୂର୍ଯ୍ୟ ନାରାୟଣ ରନ୍ଧାରୀ ପ୍ରଶ୍ନ କରିଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରିନଥିଲା । ତେନ୍ତୁଳିଖୁଣ୍ଟି ବାପୁଜି ହାଇସ୍କୁଲ ପରିସରରେ ୨୦୦ ଶଯ୍ୟା ବିଶିଷ୍ଟ ଏକ ବାଳିକା ହଷ୍ଟେଲ ନିର୍ମାଣ ହୋଇଥିଲେ ହେଁ ଏଯାବତ ବିଦ୍ୟାଳୟ କତୃପକ୍ଷ ଙ୍କୁ ହସ୍ତାନ୍ତର କରାଯାଇନି । ଅନ୍ୟପଟେ ଏକ କୋଟି ଟଙ୍କାର ଏହି ଛାତ୍ରୀନିବାସ ସମ୍ପୂର୍ଣ ନଷ୍ଟ ହେବାକୁ ବସିଲାଣି, ତେବେ କେଉଁ ଉଦ୍ଧେଶ୍ୟରେ ଏହି ଛାତ୍ରୀନିବାସ କାର୍ଯ୍ୟକ୍ଷମ କରାଯାଉନି ବୋଲି ବିଧାୟକ ସଦାଶିବ ପ୍ରଧାନୀ କ୍ଷୋଭ ପ୍ରକାଶ କରି ତୁରନ୍ତ ହସ୍ତାନ୍ତର କରି ଛାତ୍ରୀନିବାସ ଆରମ୍ଭ କରିବାକୁ ନିର୍ଦ୍ଧେଶ ଦେଇଥିଲେ ।
ଏହି ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସାଧାରଣ ବଣ୍ଟନ, କୃଷି, ବିଦ୍ୟୁତ ଆଦି ବିଷୟରେ ଆଲୋଚନା ହୋଇଥିଲା । ତେବେ ବୈଠକରେ ଅନେକ ବିଭାଗର ଅଧିକାରୀ ଅନୁପସ୍ଥିତ ଥିବା ଯୋଗୁଁ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇପାରିନଥିଲା । ଯେଉଁମାନେ ବୈଠକ ରେ ଅନୁପସ୍ଥିତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଧାୟକ, ବ୍ଲକ ପ୍ରଶାସନ କୁ ନିର୍ଦ୍ଧେଶ ଦେଇଥିଲେ । ଅଞ୍ଚଳଗୁମା ଠାରେ ସ୍ମାର୍ଟ ବିଦ୍ୟାଳୟ ପାଇଁ ବିଧାୟକ ଙ୍କ ନିଜସ୍ଵ ପାଣ୍ଠିରୁ ପାଞ୍ଚ ଲକ୍ଷ ଅନୁଦାନ ପ୍ରଦାନ କରାଯାଇଛି । ସେହିପରି ବ୍ଲକ ପାଣ୍ଠିରୁ ୧୫ ଲକ୍ଷ ଏବଂ ମୋ ସ୍କୁଲ ଅନୁଦାନ ମିଶି ୬୦ ଲକ୍ଷ ବ୍ୟୟ ଅଟକଳରେ ସ୍ମାର୍ଟ ବିଦ୍ୟାଳୟ କାର୍ଯ୍ୟ ଚାଲିଛି ଏବଂ ଖୁବ କମ ଦିନ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ ହେବା ନେଇ ବିଡ଼ିଓ ପ୍ରକାଶ କରିଥିଲେ । ଏହା ଅକ୍ଟୋବର ୨ ତାରିଖ ରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟନ ହେବ ବୋଲି ଜଣାପଡିଛି ।ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଲମତାଗୁଡା ଠାରେ ଚାଲିଥିବା ମେଗା ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ପାଇପ ପୋତା କାର୍ଯ୍ୟ ଚାଲିଛି । ଏଥିପାଇଁ ଚାରିଆଡେ ଗର୍ତ ଖୋଳା କାର୍ଯ୍ୟ ଚାଲିଥିବା ବେଳେ ଗାଁ ଗହଳି ରାସ୍ତା ସମେତ ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ସମ୍ପୂର୍ଣ ନଷ୍ଟ ହୋଇ ସାରିଥିବା ସମସ୍ତ ଜନ ପ୍ରତିନିଧି ମାନେ ଅଭିଯୋଗ କରି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ । ପଞ୍ଚାୟତ ସମିତି ବୈଠକ ରେ ସମସ୍ତ ସରପଞ୍ଚ,ସମିତି ସଭ୍ୟା,ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ସମେତ କନିଷ୍ଠ ଯନ୍ତ୍ରୀ କ୍ରାନ୍ତି କୁମାର ପଟ୍ଟନାୟକ, ଅରବିନ୍ଦ ବେହେରା, ସୁରତ ନାୟକ, କୁଣେଶ ବିଶ୍ୱାଳ ଓ ଅଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here