ଲୋକ ସଂସ୍କୃତି ଗବେଷଣା ପ୍ରତିଷ୍ଠାନର ପାଠଚକ୍ର

0
248

ବ୍ରହ୍ମପୁର() ଲୋକଧର୍ମ ମଣିଷ ଜୀବନର ରକ୍ଷା କବଚ l ଲୋକଧର୍ମର ବିଚାର ଓ ସିଦ୍ଧାନ୍ତ ଦିଗଭ୍ରଷ୍ଟ ମଣିଷ ସମାଜକୁ ସଠିକ୍ ଦିଶା ନିର୍ଦ୍ଦେଶ କରିବା ସଂଗେ ସଂଗେ ଜୀବନର ପ୍ରତି ପର୍ଯ୍ୟାୟରେ ମାର୍ଗଦର୍ଶକର ଭୂମିକା ନିର୍ବାହ କରିଥାଏ l ସେଇ ଲୋକଧର୍ମ ପୁଣି ମଣିଷ ଜାତିକୁ ସକଳ ବିପର୍ଯ୍ୟୟରୁ ରକ୍ଷା କରିଥାଏ ବୋଲି ଲୋକସଂସ୍କୃତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଜାତୀୟ ପାଠଚକ୍ରରେ ମତ ପ୍ରକାଶ ପାଇଛି l
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଜନ୍ମଲାଭ କରିଥିବା ଲୋକସଂସ୍କୃତି ଗବେଷଣା ପ୍ରତିଷ୍ଠାନର ଏକଦିବସୀୟ ଅଷ୍ଟମ ଜାତୀୟ ପାଠଚକ୍ରକୁ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ ସାରଙ୍ଗଧର ରାୟଗୁରୁ ଜଗନ୍ନାଥଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ‘ଓଡ଼ିଶାର ଲୋକଧର୍ମ : ଏକ ଅନୁଶୀଳନ’ ଶୀର୍ଷକ ଏହି ପାଠଚକ୍ରରେ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର୍ ଦୁର୍ଗାମାଧବ ନନ୍ଦ ପୌରୋହିତ୍ୟ କରିଥିଲେ l ଉଦଘାଟନୀ ଉତ୍ସବରେ ବିଶିଷ୍ଟ ଲୋକ ସଂସ୍କୃତି ଓ ଭଞ୍ଜ ସାହିତ୍ୟ ଗବେଷକ ଡକ୍ଟର୍ କମ୍ବୁପାଣି ସାମନ୍ତ ମୁଖ୍ୟବକ୍ତା, କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସହଯୋଗୀ ପ୍ରଫେସର୍ ଡକ୍ଟର୍ ରୁଦ୍ରାଣୀ ମହାନ୍ତି ସମ୍ମାନିତ ଅତିଥି ଓ ଜନଜାତି ସଂସ୍କୃତି ଓ ସାହିତ୍ୟ ଗବେଷକ ଡକ୍ଟର୍ କ୍ଷେତ୍ରବାସୀ ମାନସେଠ ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ଲୋକଧର୍ମ ତତ୍ତ୍ୱ ଓ ଲୋକଧର୍ମର କ୍ଷତ୍ରୀୟ ସ୍ୱରୂପ ବିଷୟରେ ସବିଶେଷ ଆଲୋଚନା କରିଥିଲେ l
ଉଦଘାଟନୀ ପର୍ବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଉସସଚିବ ଡକ୍ଟର୍ କୁଳମଣି ଓଝା ‘ପୂର୍ବାଞ୍ଚଳ ଓଡ଼ିଶାର ଲୋକଧର୍ମ : ଦିଶା ଓ ଦର୍ଶନ’ ଶୀର୍ଷକ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରି ଓଡ଼ିଶାର ପୂର୍ବାଞ୍ଚଳ ଅଧୀନସ୍ଥ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ସମୂହରେ ଅନୁସୃତ ମାନବଧର୍ମୀ ଲୋକଧର୍ମର ବିଭିନ୍ନ ଦିଗ ଓ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ l ମୁଖ୍ୟଅତିଥି ଶ୍ରୀ ରାୟଗୁରୁ ଲୋକଧର୍ମ ଆଲୋଚନା କ୍ରମରେ କଳିଙ୍ଗ ଜୀନାଶ୍ରମ, ଋଷଭନାଥ, ବୌଦ୍ଧ ଓ ବ୍ରାହ୍ମଣ୍ୟ ଧର୍ମର ସମନ୍ୱୟ, ଧର୍ମ ବୁଦ୍ଧ ସଙ୍ଘର ରୂପାନ୍ତରିତ ପ୍ରତୀକ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଷୟରେ ଆଲୋଚନା କରିବା ସଂଗେ ସଂଗେ ଓଡ଼ିଶାରେ ନାଗ ସଂସ୍କୃତିର ବିସ୍ତାର ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ l
ସାଲବେଗ ମନ୍ଦିର ସଭାକକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ବିଭୂତି ଭୂଷଣ ପଣ୍ଡା ଵେଦପାଠ କରିଥିଲେ l ଲୋକ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ‘ଆମ ଲୋକବିଶ୍ୱାସ’ ପୁସ୍ତକ ଲୋକାର୍ପିତ ହୋଇଥିଲା l ଏହି ଉତ୍ସବରେ ସାରଙ୍ଗଧର ରାୟଗୁରୁଙ୍କ ରଚିତ ବିଶାଳକାୟ ଗ୍ରନ୍ଥ ‘ନାଗ ସଂସ୍କୃତିରେ ନାଗେଶ୍ବରୀ ବିରଜା ଚିତ୍ରକଳ୍ପ’ ଏବଂ ଡକ୍ଟର୍ ଲକ୍ଷ୍ମୀଧର ପଣ୍ଡାଙ୍କ ରଚିତ ଦୁଇଟି କବିତା ସଂକଳନ ‘ଗାଁ ମୋର ସରଗ’ ଓ ‘ସାୟାହ୍ନର ସ୍ବର’ ଉନ୍ମୋଚନ କରାଯାଇଥିଲା l ସଭାପତି ଅଭିଭାଷଣରେ ଡ. ଦୁର୍ଗାମାଧବ ନନ୍ଦ ଗବେଷଣା ପ୍ରତିଷ୍ଠାନର ବିଭିନ୍ନ ସାରସ୍ୱତ କର୍ମ ଓ ପୁସ୍ତକ ସଂକଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l
ପାଠଚକ୍ରର ପ୍ରଥମ ଓ ଦ୍ଵିତୀୟ ଅଧିବେଶନରେ ଯଥାକ୍ରମେ ଡକ୍ଟର୍ ସରୋଜ କୁମାର ପରିଡ଼ା ଓ ଡକ୍ଟର୍ କ୍ଷେତ୍ରବାସୀ ମାନସେଠ ସଭାପତିତ୍ୱ କରିଥିବା ବେଳେ ଉଭୟ ଅଧିବେଶନରେ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର୍ ଡକ୍ଟର୍ ବିଦ୍ୟୁତ୍ ପ୍ରଭା ସାହୁ ସମୀକ୍ଷକ ରୂପେ ଯୋଗଦେଇ ପଠିତ ପ୍ରବନ୍ଧଗୁଡ଼ିକର ସମୀକ୍ଷା କରିଥିଲେ l ପ୍ରଥମ ଓ ଦ୍ଵିତୀୟ ବୈଷୟିକ ଅଧିବେଶନରେ ରେଭେନ୍ସା ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ସହକାରୀ ପ୍ରଫେସର୍ ଡ. ସଂଘମିତ୍ରା ବେହେରା, ଡ. ଆଶିଷ କୁମାର ସାହୁ, ଡ. ବିଦ୍ୟୁତ୍ ପ୍ରଭା ସାହୁ, ଡ. ନମିତା ପ୍ରଧାନ, ଗବେଷକ ଉତ୍ତମ ହାଁସଦା, ଦୀପ୍ତିମଞ୍ଜରୀ ନାୟକ, ସୁଶାନ୍ତ କୁମାର କିଷାନ୍ ଓ ଭୀମସେନ ମହାପାତ୍ର ପ୍ରମୁଖ ପ୍ରବନ୍ଧ ଉପସ୍ଥାପନ କରିଥିଲେ l
ଏହି ଜାତୀୟ ପାଠଚକ୍ରରେ ଡ. କୈଳାସ ଚନ୍ଦ୍ର ଟିକାୟତରାୟ, ଡ. ଲକ୍ଷ୍ମୀଧର ପଣ୍ଡା, ଡ. ନିତ୍ୟାନନ୍ଦ ସାହୁ, ଡ. ବନମାଳୀ ବାରିକ, ଡ. ପ୍ରଦୀପ କୁମାର ଦାସ, ଡ. ବେଣୁଧର ଦାସ, ଡ. ମାନସ ରଞ୍ଜନ ମହାପାତ୍ର, ଡ. ସତ୍ୟନାରାୟଣ ମିଶ୍ର, ନାଗରତ୍ନ ନନ୍ଦ, ଶୈଳବାଳା ସାମନ୍ତ, ମୀନକେତନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here